ବୌଦ୍ଧ : ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ବୌଦ୍ଧ ଏନ୍ଏସି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା। ବିଧାୟକ ପ୍ରଦୀପ ଅମାତଙ୍କ ନେତୃତ୍ବରେ ଅନୁଷ୍ଠିତ ଧାରଣାରେ ଯୁବ, ଛାତ୍ର ଓ ମହିଳା ବିଜେଡିର କର୍ମକର୍ତ୍ତା ଯୋଗ ଦେଇଥିଲେ।
ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କ କାର୍ଯ୍ୟକାଳରେ ରନ୍ଧନ ଗ୍ୟାସର ଦର ଦୁଇ ଗୁଣା ବଢ଼ିଛି। ଉଜ୍ବଳା ଯୋଜନା ପ୍ରହସନ ପାଲଟିଛି। ଏହି ଯୋଜନାର ହିତାଧିକାରୀ ଗ୍ୟାସ ଆକାଶ ଛୁଆଁ ଦରରେ କିଣି ନପାରି ଚୁଲି ଫୁଙ୍କିବାକୁ ବାଧ୍ୟ ହେଉଛନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସାଧାରଣ ଲୋକଙ୍କୁ କନ୍ଦାଉଛି ବୋଲି ଶ୍ରୀ ଅମାତ ନିଜ ବକ୍ତବ୍ୟରେ କହିଥିଲେ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।
ଧାରଣାରେ ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ରାଜ୍ୟ ବିଜେଡି ଯୁଗ୍ମସଂପାଦକ ଅଶୋକ ସାହୁ, ଜିଲ୍ଲା ସାଧାରଣ ସଂପାଦକ ଆଶୁତୋଷ ମହାପାତ୍ର, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଯସ୍ମିନ ପ୍ରଧାନ, ପୂର୍ବ ଏନ୍ଏସି ଅଧ୍ୟକ୍ଷା ଦୀପ୍ତିମୟୀ ସ୍ବାଇଁ, ଛାତ୍ର ବିଜେଡି ଜିଲ୍ଲା ସଭାପତି ସଂଗ୍ରାମ କେଶରୀ ଦାସ, ବଘିଆପଡ଼ା ସରପଞ୍ଚ ସୈରେନ୍ଦ୍ରୀ ମହାକୁଳ, ମୁଣ୍ଡାପଡ଼ା ସରପଞ୍ଚ ବିଦ୍ୟାଧର ସ୍ବାଇଁ, ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନୋରଞ୍ଜନ ପୁରୋହିତ ଓ ବରଜ ବେହେରାଙ୍କ ସହ ଅନେକ କର୍ମୀ ଉପସ୍ଥିତ ଥିଲେ।