ଭୁବନେଶ୍ବର: ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଗତକାଲି ଦେଶର ନିର୍ବାଚନ କମିସନରଙ୍କୁ ଭେଟି ଗତ ସାଧାରଣ ନିର୍ବାଚନରେ ଏକ ବଡ଼ ଧରଣର ଅସଙ୍ଗତି ଥିବା ଦର୍ଶାଇଥିଲା। ଆଜି ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିର୍ବାଚନର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ ଶେଷ ହେବା ପରେ ପ୍ରଦାନ କରାଯାଇଥିବା ଭୋଟ ସଂଖ୍ୟା ଓ ଗଣତି ହୋଇଥିବା ଭୋଟ ସଂଖ୍ୟା ଭିତରେ ଥିବା ତାରତମ୍ୟ ସମଗ୍ର ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।
କାହା ଚାପରେ ନିର୍ବାଚନ ଅଧିକାରୀମାନେ ତଥ୍ୟ ଦେଉ ନାହାନ୍ତି?
ଶ୍ରୀ ସାହୁ କହିଲେ, ଗତ ନିର୍ବାଚନର ଭୋଟ ଗଣତି ବେଳେ କିଛି ସ୍ଥାନରେ ଭୋଟ ଅସଙ୍ଗତି ଥିବାର ପ୍ରାକ୍ ସୂଚନା ମିଳିଥିଲା। ବିଜେଡି ତରଫରୁ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀର ତଥ୍ୟକୁ ତର୍ଜମା କରିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ପରେ ନିର୍ବାଚନ ଅଧିକାରୀମାନଙ୍କୁ ସୂଚନା ଅଧିକାର ଆଇନ ଆଧାରରେ ଫର୍ମ ୧୭ସି ର ନକଲ ପାଇଁ ଆବେଦନ କରାଯାଇଥିଲା। ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଆଇନର ବ୍ୟବସ୍ଥା ଅନୁଯାୟୀ ଏହି ଫର୍ମ ପାଇବାକୁ ହକଦାର ହୋଇଥିଲା ବେଳେ ସାଧାରଣ ଜନତା ମଧ୍ୟ ସୂଚନା ଅଧିକାର ଆଇନ ମାଧ୍ୟମରେ ଏହାକୁ ପାଇପାରିବେ। କିନ୍ତୁ ଏହା ସତ୍ତ୍ୱେ ରାଜ୍ୟର ନିର୍ବାଚନ ଅଧିକାରୀମାନେ ଏହାକୁ ପ୍ରଦାନ କରି ନଥିଲେ। ସୂଚନାଯୋଗ୍ୟ, ଭୋଟିଂ ଶେଷ ହେବା ପରେ ପ୍ରିଜାଇଡିଙ୍ଗ ଅଫିସର ଫର୍ମ ୧୭ସି ମାଧ୍ୟମରେ ସେହି ବୁଥରେ ପଡ଼ିଥିବା ଭୋଟ ସଂଖ୍ୟାକୁ ଉଲ୍ଲେଖ କରିଥାନ୍ତି। ଏଥିରେ ପ୍ରଦାନ କରାଯାଉଥିବା ଭୋଟ ଠାରୁ ଗଣତି ହେଉଥିବା ଭୋଟ ସଂଖ୍ୟା ଅଧିକ ବାହାରୁଥିବାରୁ ସମଗ୍ର ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ରାଜ୍ୟର ନିର୍ବାଚନ ଅଧିକାରୀମାନେ ଫର୍ମ ୧୭ସି ର ନକଲ ପ୍ରଦାନ ନକରିବା, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିବା କଥାକୁ ଘୋଡାଇବାକୁ ଉଦ୍ୟମ କରୁଥିବା ପରି ମନେ ହେଉଛି। ସମ୍ଭବତଃ ସେମାନେ ରାଜ୍ୟ ସରକାରଙ୍କ ଚାପରେ ଏପରି କରୁଛନ୍ତି।
ଏହି ଆଧାରରେ ଏକ ଦାୟିତ୍ୱସମ୍ପନ୍ନ ଦଳ ଭାବେ ବିଜେଡିର ପ୍ରତିନିଧିମଣ୍ଡଳୀ ନିଜର ଅନୁସନ୍ଧାନ ମାଧ୍ୟମରେ ପାଇଥିବା ତଥ୍ୟ କିପରି ଭୋଟ୍ରେ ଅସଙ୍ଗତିକୁ ପ୍ରମାଣିତ କରୁଛି ତାହା ଦେଶର ନିର୍ବାଚନ କମିସନରଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି। ଏହା ସହିତ ନିର୍ବାଚନରେ ସ୍ୱଚ୍ଛତା, ବୈଧତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଯାଇଛି। ଏହି ଭୋଟ ଅସଙ୍ଗତି ପାଇଁ ବିଜେଡି ପକ୍ଷରୁ କାହାକୁ ଦାୟୀ କରାଯାଇ ନଥିଲେ ମଧ୍ୟ ବିଜେପି ଚିହିଁକି ଉଠି କାହିଁକି ତା’ର ପ୍ରତିକ୍ରିୟା ରଖିଛି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ବିଜେପିର ପ୍ରତିକ୍ରିୟା ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ ସଦୃଶ ହୋଇଛି। ପୂର୍ବରୁ ନିର୍ବାଚନ ଅଧିକାରୀମାନେ ଫର୍ମ ୧୭ସି ପ୍ରଦାନ ନକରିବା ଓ ଏବେ ବିଜେପି ପ୍ରତିକ୍ରିୟା ଦେବା ବିଜେପି ଭୋଟ ଜାଲିଆତିରେ ସମ୍ପୃକ୍ତ ଥିବା ନେଇ ସ୍ପଷ୍ଟ ହେଉଛି ବୋଲି ଶ୍ରୀ ସାହୁ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/HjuoSAG3o7Edmv3bqQZi.jpeg)