ସମ୍ବଲପୁର: ରନ୍ଧନ ଗ୍ୟାସ୍ ଦରବୃଦ୍ଧିକୁ ନେଇ ଗର୍ଜିଛି ବିଜେଡି। ମମିତା ମେହେର ପ୍ରସଂଗରେ ମାସେରୁ ଅଧିକ ସମୟ ଧରି ବିଜେପିର ତମ୍ବିତୋଫାନ ପରେ ପ୍ରଥମ କରି ବଡ଼ ଆକାରରେ ଏହାର ଜବାବ ଦେଇଛି ଶାସକ ଦଳ। ମଙ୍ଗଳବାର ରନ୍ଧନ ଗ୍ୟାସ୍ର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜେଡି ତରଫରୁ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେଡିର ମହିଳା, ଯୁବ ଓ ଛାତ୍ର ଜନତା ଦଳ ତରଫରୁ ହଜାର ହଜାର କର୍ମୀ ବିକ୍ଷୋଭରେ ସାମିଲ ହୋଇ ଦଳର ଶକ୍ତି ପ୍ରଦର୍ଶନ କରିଥିଲେ।
ସରକାରୀ ଉପମୁଖ୍ୟ ସଚେତକ ଇଂଜିନିୟର୍ ରୋହିତ ପୂଜାରୀ ଯୁବ ଓ ଛାତ୍ର ମାନଙ୍କ ତଥା ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ ମହିଳା ମାନଙ୍କ ନେତୃତ୍ବ ନେଇଥିଲେ। ଜିଲ୍ଲାର ସମସ୍ତ ପ୍ରମୁଖ ନେତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ରାଜ୍ୟ ମହିଳା କଂଗ୍ରେସ୍ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଉପସ୍ଥିତିରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏ ସଂକ୍ରାନ୍ତ ଦାବିପତ୍ର ପ୍ରେରଣ କରା ଯାଇଥିଲା। ଅନ୍ୟ ବରିଷ୍ଠ ନେତାଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ଇଂ ନଳିନୀକାନ୍ତ ପ୍ରଧାନ, ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ସିଦ୍ଧାର୍ଥ ଦାସ, ପୂର୍ବତନ ସାଂସଦ ପ୍ରମିଳା ବହିଦାର, ପୂର୍ବତନ ଏସ୍ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମର ପୁରୋଭାଗରେ ଥିଲେ।
ଏହି ଅବସରରେ ନିଜ ବକ୍ତବ୍ୟ ରଖି ସ୍ନେହାଙ୍ଗିନୀ କହିଲେ, କେନ୍ଦ୍ର ବିଜେପି ସରକାରର ପତନ ସମୟ ପାଖେଇ ଆସୁଛି। ରୋଷେଇ ଗ୍ୟାସ୍ଠୁ ନେଇ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ବଢ଼ାଇ ଏହି ସରକାର ସାଧାରଣ ଲୋକଙ୍କ ବଞ୍ଚିବା କଷ୍ଟସାଧ୍ୟ କରି ଦେଇଛି ବୋଲି ଶ୍ରୀମତୀ ଛୁରିଆ କହିଥିଲେ। ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ କହିଲେ କିଛି ବର୍ଷ ପୂର୍ବରୁ ଯେଉଁ ରନ୍ଧନ ଗ୍ୟାସ୍ ୪୨୫ ଟଙ୍କାରେ ମିଳୁଥିଲା ତାହା ଏବେ ୯୨୬ ଟଙ୍କା ହୋଇଛି। ଏହି ସରକାର ମା’ ମାନଙ୍କ ଆଖିରେ ଲୁହ ଭରି ଦେଇଛି। ଆଗାମୀ ଦିନରେ ଏହାର ଫଳ ଭୋଗିବାକୁ ପଡ଼ିବ। ଶାସକ ଦଳର ମୁଖ୍ୟ ସଚେତକ ବିଧାୟକ ରୋହିତ ପୂଜାରୀ କହିଥିଲେ ନବୀନ ପଟ୍ଟନାୟକଙ୍କ ସରକାର ସାଧାରଣ ଲୋକଙ୍କ ଭଲ ପାଇଁ ଯେତିକି କାମ କରୁଛନ୍ତି କେନ୍ଦ୍ର ସରକାର ଲୋକଙ୍କୁ ଅସୁବିଧାରେ ପକାଇବା ପାଇଁ ସେତିକି ପଦକ୍ଷେପ ନେଉଛି। ତେଣୁ ଆଗାମୀ ଦିନରେ ଜନସାଧାରଣ ଉଚିତ ଜବାବ ଦେବେ ବୋଲି ଶ୍ରୀ ପୂଜାରୀ କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ମହିଳା ନେତ୍ରୀ ବନ୍ଦିତା ମିଶ୍ର, ଯୁବ ଜିଲ୍ଲା ସଭାପତି ଲକ୍ଷ୍ମୀ ମହାପାତ୍ର, ଛାତ୍ର ଜିଲ୍ଲା ସଭାପତି ସିଦ୍ଧାନ୍ତ ମହାନ୍ତି, ଯୁବ ମହାନଗର ସଭାପତି ନିଶାନ୍ତ ବହିଦାର, ରାଜ୍ୟ ମହିଳା ଉପସଭାନେତ୍ରୀ କବିତା ପୁରହିତ ଓ ଉଷା ପ୍ରଧାନ, ସମ୍ପାଦିକା କଳ୍ପନା ମିଶ୍ର, ସିପ୍ରା ମହାନ୍ତି, ରାଜଲଷ୍ମୀ ପ୍ରଧାନ, ମିତାଲି ସାହୁ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ହୀରାଲଲ ବେହେରା, ମନୋଜ ମହାପାତ୍ର, ଧର୍ମରାଜ ମରେଇ, ସତୀଶ ବିଶି, ସୁମନ୍ତ୍ର ପଣ୍ଡା, ଜୋନ୍ ସଭାପତି ଦେବାଶିଷ ପରିଡା, ଯୁବ ଉପସଭାପତି ଅମିତାଭ ପରିଡା, ବିଜୁ ସ୍ମୃତି କମିଟିର ଆବାହକ ପ୍ରଶାନ୍ତ ଥାପା, ସତ୍ୟେନ୍ଦ୍ର ଦାସ, ଦୁଲାଲ ଚନ୍ଦ୍ର ରାୟ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।