ଭୁବନେଶ୍ବର : ସମସ୍ତ ଆଞ୍ଚଳିକ ରାଜନୈତିକ ଦଳମାନଙ୍କ ମଧ୍ୟରୁ ବିଜୁ ଜନତା ଦଳ(ବିଜେଡି) ସର୍ବାଧିକ ରାଶିର ନିର୍ବାଚନୀ ଚାନ୍ଦା ପାଇଛି। ଜାତୀୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ସର୍ବାଧିକ ପରିମାଣର ଚାନ୍ଦା ପାଇଛି ଭାରତୀୟ ଜନତା ପାର୍ଟି।

Advertisment

ଆଜି ନ୍ୟାସନାଲ୍‌ ଇଲେକ୍ସନ୍‌ ୱାଚ ତରଫରୁ ଆସୋସିଏସନ୍‌ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର) ପ୍ରକାଶ କରିଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ବିଜେଡିକୁ ମିଳିଛି ୧୩.୦୪ କୋଟି ଟଙ୍କାର ଚାନ୍ଦା। ଏହା ପଛକୁ ରହିଛି ଜେଡିୟୁ- ୧୧.୧୯ କୋଟି, ୱାଇଏସ୍‌ଆର-ସି- ୮.୩୫ କୋଟି, ଆମ୍‌ ଆଦ୍‌ମୀ ପାର୍ଟି- ୮.୩୨ କୋଟି, ଟିଆରଏସ୍‌-୩.୩୦ କୋଟି, ଡିଏମ୍‌କେ-୧.୨୬ କୋଟି ଇତ୍ୟାଦି। ସୂଚନାଯୋଗ୍ୟ, ୨୦ ‌ହଜାର ଟଙ୍କାରୁ ଅଧିକ ରାଶିର ନିର୍ବାଚନୀ ଚାନ୍ଦା ଦେଉଥିବା ବିଭିନ୍ନ ସଂସ୍ଥା ଶତ ପ୍ରତିଶତ ଆୟକର ରିହାତି ପାଇଥାନ୍ତି। ଦେଶରେ ଥିବା ମୋଟ ୪୮ଟି ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟରୁ ୨୫ଟି ଦଳ ପାଇଥିବା ଚାନ୍ଦା ପରିମାଣ ଦର୍ଶାଇଛନ୍ତି। ଆଞ୍ଚଳିକ ଦଳମାନେ ୨୮୨୪ ଥର ଚାନ୍ଦା ପାଇଛନ୍ତି। ସମୁଦାୟ ଚାନ୍ଦା ପରିମାଣ ହେଉଛି ୫୪.୮୧ କୋଟି ଟଙ୍କା।

ଏଡିଆର ରିପୋର୍ଟରେ ୨୦୧୬-୧୭ ଆର୍ଥିକ ବର୍ଷରେ ରାଜନୈତିକ ଦଳମାନେ ପାଇଥିବା ନିର୍ବାଚନୀ ଚାନ୍ଦା ଏବଂ ୨୦୧୭-୧୮ରେ ମିଳିଥିବା ଚାନ୍ଦା ସଂପର୍କରେ ବିଶ୍ଳେଷଣ କରାଯାଇଛି। ତଥ୍ୟ ଅନୁଯାୟୀ ୬ଟି ସଂସ୍ଥାରୁ ବିଜେଡି ପାଇଛି ୧୩.୦୪ କୋଟି ଟଙ୍କାର ନିର୍ବାଚନୀ ଚାନ୍ଦା। ୨୦୧୬-୧୭ରେ ଏହି ଆଞ୍ଚଳିକ ଦଳ କେତେ ଚାନ୍ଦା ପାଇଛି ସେ ନେଇ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ। ତେବେ ଏଡିଆର ରିପୋର୍ଟ ବୟାନ କରୁଛି ଯେ ମୁମ୍ବାଇର ଏବି ଜେନେରାଲ୍‌ ଇଲେକ୍ଟ୍ରୋରାଲ୍‌ ଟ୍ରଷ୍ଟ ଦୁଇଥର ୪ କୋଟି ଲେଖାଏଁ ଏବଂ ନୂଆଦିଲ୍ଲୀର ପ୍ରୁଡେଣ୍ଟ ଇଲେକ୍ଟ୍ରୋରାଲ୍‌ ଟ୍ରଷ୍ଟ ୩ କୋଟି ଟଙ୍କାର ଚେକ୍‌ ଜରିଆରେ ବିଜେଡିକୁ ଚାନ୍ଦା ଦେଇଛି।

ଜାତୀୟ ରାଜନୈତିକ ଦଳମାନେ ୨୦୧୭-୧୮ ବର୍ଷରେ ମୋଟ ୪୬୯.୮୯ କୋଟି ଟଙ୍କାର ନିର୍ବାଚନୀ ଚାନ୍ଦା ପାଇଛନ୍ତି। ସେଥିମଧ୍ୟରୁ ବିଜେପି ସର୍ବାଧିକ ୪୩୭.୦୪ କୋଟି ପାଇଥିବା ବେଳେ ଭାରତୀୟ କଂଗ୍ରେସ ଦଳ ୨୬.୬୫୮ କୋଟି, ଏନ୍‌ସିପି ୨.୦୮୭ କୋଟି, ସିପିଆଇ(ଏମ୍‌) ୨.୭୫୬ କୋଟି, ସିପିଆଇ ୧.୧୪୬ କୋଟି, ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ ୦.୨୦ କୋଟି ଟଙ୍କାର ଚାନ୍ଦା ପାଇଛନ୍ତି। ୨୦୧୬-୧୭ରେ ବିଜେପି ୫୩୨.୨୭ କୋଟି ଓ କଂଗ୍ରେସ ୪୧.୯୦ କୋଟି ଟଙ୍କାର ଚାନ୍ଦା ପାଇଥିଲେ। ତେବେ କୌତୁହଳର ବିଷୟ ଯେ ବିଜେଡିକୁ ଚାନ୍ଦା ଦେଇଥିବା ନୂଆଦିଲ୍ଲୀର ପ୍ରୁଡେଣ୍ଟ ଇଲେକ୍ଟ୍ରୋରାଲ୍‌ ଟ୍ରଷ୍ଟ ଏବଂ ମୁମ୍ବାଇର ଏବି ଜେନେରାଲ୍‌ ଇଲେକ୍ଟ୍ରୋରାଲ୍‌ ଟ୍ରଷ୍ଟ ବିଜେପିକୁ ଯଥାକ୍ରମେ ୧୫୪.୩୦ କୋଟି ଟଙ୍କାର ଚାନ୍ଦା ଦେଇଛନ୍ତି। କିନ୍ତୁ କଂଗ୍ରେସକୁ ଉଭୟ ସଂସ୍ଥା ଦେଇଛନ୍ତି ଯଥାକ୍ରମେ ୧୦ କୋଟି ଓ ୨ କୋଟି ଟଙ୍କା।