ଏମ୍‌ସ୍‌ରେ ହିନ୍ଦୀକୁ ନେଇ ରାଜନୀତି ତେଜିଲା : ଏମ୍‌ସ୍‌ ନିର୍ଦ୍ଦେଶକଙ୍କୁ ଭେଟିଲେ ବିଜେ଼ଡି ସାଂସଦ ଓ ବିଧାୟକ, କଂଗ୍ରେସ ସମେତ ଅନ୍ୟ ଦଳର ବି ବିରୋଧ

ଭୁବନେଶ୍ବର : ଭୁବନେଶ୍ବର ଏମ୍‌ସ୍‌ରେ ହିନ୍ଦୀ ଭାଷାକୁ ଅଧିକ ପ୍ରଚଳନ କରିବା ସଂକ୍ରାନ୍ତ ନିର୍ଦ୍ଦେଶନାମାକୁ ନେଇ ଚାରିଆଡ଼େ ବିରୋଧ ତେଜିବାରେ ଲାଗିଛି। ବିଜେପିକୁ ଛାଡ଼ି ଆଜି ବିଜେଡି ସମେତ କଂଗ୍ରେସ ଓ ଅନ୍ୟଦଳମାନେ ଏହାକୁ ବିରୋଧ କରିଛନ୍ତି। ବିଜେ଼ଡି ପକ୍ଷରୁ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ବରେ ଏକ ୯ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ବର ସ୍ଥିତ ଏମ୍‌ସ୍‌ ନିର୍ଦ୍ଦେଶକଙ୍କୁ ଭେଟି ମେଡିକାଲ କର୍ତ୍ତପକ୍ଷଙ୍କ ଏପରି ନିଷ୍ପତ୍ତି ଉପରେ ଉଦ୍‌ବେଗ ପ୍ରକାଶ କରିବା ସହ ଗତ ୨୦ ତାରିଖର ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏହାସହିତ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ମଧ୍ୟ ଦଳ ସ୍ମାରକ ପତ୍ର ପ୍ରଦାନ କରିଛି। ସେହିପରି ଏମ୍‌ସ୍‌ କର୍ତ୍ତୃପକ୍ଷଙ୍କୁ ଏହି ନିଷ୍ପତ୍ତି ବିରୋଧରେ ସ୍ବର ଉଠାଇଛନ୍ତି କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ।

ସ୍ମାରକ ପତ୍ରରେ ବିଜେଡି ଦର୍ଶାଇଛି, ଭାଷା ଭିତ୍ତିରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ପାଇଥିଲା। ଏହି ଦୃଷ୍ଟିରୁ ମାତୃଭାଷା ଓଡ଼ିଆକୁ ହତାଦର କରିବାଭଳି କାହାରିକୁ ପ୍ରଶୟ ଦିଆଯିବନି। ବିଶେଷକରି ଓଡ଼ିଶାରେ ଓ ଓଡ଼ିଆ ଲୋକଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା କୌଣସି କେନ୍ଦ୍ରୀୟ ଅନୁଷ୍ଠାନରେ ଏଭଳି ଅବହେଳା ଆଦୌ ବରଦାସ୍ତ କରାଯିବନି। ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏକ ସରକାରୀ ମେଡିକାଲ ହୋଇଥିବାରୁ ଏଠାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଓଡ଼ିଆ ଲୋକ ଚିକିତ୍ସା ପାଇଁ ଆସିଥାନ୍ତି। ଓଡ଼ିଶା ହିନ୍ଦୀ ଭାଷାଭାଷୀ ବହୁଳ ରାଜ୍ୟ ନୁହେଁ। ଚିକିତ୍ସା ସେବା ପାଇବାକୁ ଆସୁଥିବା ରୋଗୀଙ୍କ ଉପରେ ହିନ୍ଦୀ ଭାଷାକୁ ଲଦିଦେବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ମେଡିକାଲ କର୍ତ୍ତୃପକ୍ଷଙ୍କ ଏଭଳି ଏକତରଫା ନିଷ୍ପତ୍ତି ବିଭେଦ ସୃଷ୍ଟି କରିବା ସହ ସ୍ବେଚ୍ଛାଚାରିତାର ପରିଚୟ ଦେଉଛି। ଯଥାଶୀଘ୍ର ପୂର୍ବ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରି ମେଡିକାଲର ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷାକୁ ପ୍ରଚଳନ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ବିଜେଡି ଜଣାଇଛି। ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ସମାଲୋଚନା କରି କହିଛନ୍ତି ଭୁବନେଶ୍ବର ଏମ୍‌ସ୍‌ରେ ଓଡ଼ିଆ ଭାଷାକୁ ବ୍ୟବହାର ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଶାର ରୋଗୀ ଓ ତାର ପରିବାର ଯଦି ଡାକ୍ତରଙ୍କ ସହିତ ଓଡ଼ିଆ ଭାଷାରେ କଥା ହୋଇପାରିବେ ନାହିଁ ତା ହେଲେ ଚିକିତ୍ସାରେ ସୁଫଳ ମିଳିବ କେମିତି? କେନ୍ଦ୍ର ସରକାରଙ୍କ ଏହି ହୀନ ଉଦ୍ୟମକୁ କେବେ ବି ସଫଳ ହେବାକୁ ଦିଆଯିବନି। ସେହିପରି ସମାଜବାଦୀ ଓଡ଼ିଶା ଶାଖା ସଭାପତି ରବି ବେହେରା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟଇଟ୍‌ କରି ବିରୋଧ କରିଛନ୍ତି। ଶ୍ରୀ ବେହେରା କହିଛନ୍ତି, ଭୁବନେଶ୍ବର ଏମ୍‌ସ୍‌ରେ ୯୦% ରୋଗୀ ଓ ୬୦% କର୍ମଚାରୀ ଓଡ଼ିଆ। ହିନ୍ଦୀ ଓ ଇଂରାଜି ଭାଷା ସମେତ ସେମାନଙ୍କ ପାଇଁ ଓଡ଼ିଆ ଭାଷା ବି ପ୍ରଚଳନ କରାଯାଉ। ନଚେତ୍‌ ଆଗାମୀ ଦିନରେ ଏମ୍‌ସ୍‌ ବିରୋଧରେ ଜୋରଦାର ପ୍ରତିବାଦ ହେବ।

ପ୍ରକାଶଥାଉକି, ଗତ ୨୦ ତାରିଖରେ ଭୁବନେଶ୍ବର ଏମ୍‌ସ୍‌ର ରୋଗୀ ସେବା ଓ ପ୍ରଶାସନିକ କାର୍ଯ୍ୟରେ ୫୫% ହିନ୍ଦୀ ଭାଷାରେ ଫର୍ମ ପୂରଣ ଓ ରେଜିଷ୍ଟାର ଲେଖିବାକୁ ନେଇ ସମସ୍ତ କର୍ମଚାରୀଙ୍କ ପାଇଁ ମେଡିକାଲ ଉପନିର୍ଦ୍ଦେଶକ (ପ୍ରଶାସନ) ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ବିଜେଡି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସରୋଜିନୀ ହେମ୍ବ୍ରମ୍‌, ସସ୍ମିତ୍‌ ପାତ୍ର, ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀ, ଅନୁଭବ ମହାନ୍ତିଙ୍କ ସମେତ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ସାମିଲ ଥିଲେ।

ସମ୍ବନ୍ଧିତ ଖବର