୨ ଅଭିଯୁକ୍ତଙ୍କଠାରୁ ଟିକେଟ୍‌ ଫେରାଇନେଲା ବିଜେଡି

ଛତ୍ରପୁର/ଭବାନୀପାଟଣା  : ଯେଉଁ ୨ ଅଭିଯୁକ୍ତଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ କରି ସମାଲୋଚନାର ଶରବ୍ୟ ହୋଇଥିଲେ, ଶେଷମୁହୂର୍ତ୍ତରେ ସେମାନଙ୍କ ଠାରୁ ଟିକେଟ୍‌ ଫେରାଇ ନେଇଛି ବିଜେଡି। ସମ୍ପୃକ୍ତ ଜୋନ୍‌ରେ ଆଉ ୨ ଜଣଙ୍କୁ ଦଳ ପ୍ରାର୍ଥୀ କରିଛି ଏବଂ ସେମାନେ ଆଜି ମନୋନୟନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି।

ଦୁହିଁଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ସୁଲୁ ସ୍ବାଇଁ। ସୁଲୁଙ୍କୁ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ୍ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ପ୍ରାର୍ଥୀ କରାଯାଇଥିଲା। ସୁଲୁଙ୍କ ନାଁରେ ଖଲ୍ଲିକୋଟ ଜେଏମ୍‌ଏଫ୍‌ସି କୋର୍ଟରେ ୧୦ଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି। ଏହାସତ୍ତ୍ବେ ଦଳ ତାଙ୍କୁ ଟିକେଟ୍ ଦେବାପରେ ସେ ଗତ ୧୯ ତାରିଖରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ଦଳର ଏଭଳି ନିଷ୍ପତ୍ତିକୁ ନେଇ ରାଜନୈତିକ ବିଶେଷଜ୍ଞ ଓ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଲୁଙ୍କ ଟିକେଟ୍ ନାକଚ କରି ସେହି ଜୋନ୍‌ ପାଇଁ ସୋନମ୍‌ ପଲାଇଙ୍କୁ ସୁଯୋଗ ଦେଇଛନ୍ତି। ଆଜି ସୋନମ୍ ବିଧିବଦ୍ଧ ଭାବେ ବିଧାୟକ ସୂର୍ଯ୍ୟମଣି ବୈଦ୍ୟଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି।

ସେହିଭଳି, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ର ୨ ନଂ ଜିଲ୍ଲା ପରିଷଦ ଜୋନ୍ ଶାସକ ବିଜେଡି ଅଡୁଆ ସ୍ଥିତି ସୃଷ୍ଟି କରିଛି। ଆଶାୟୀ ପ୍ରାର୍ଥୀଙ୍କ ସମ୍ପର୍କରେ ତିନିସ୍ତରୀୟ ଯାଞ୍ଚ୍‌ ପରେ ବି ଦଳ ବେଦାନ୍ତ ଲିମିଟେଡ୍‌ ପୋଡାଜଳା ମାମଲାର ଜଣେ ଫେରାର ଅଭିଯୁକ୍ତ ସୁବାସ ନାଏକଙ୍କୁ ଟିକେଟ୍ ପ୍ରଦାନ କରିଥିଲା। ଗୁରୁବାର ସେ ଦଳୀୟ ଟିକଟ୍‌ ସହିତ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏନେଇ ଜିଲ୍ଲାବ୍ୟାପୀ ଚର୍ଚ୍ଚା ହୋଇଥିଲା ତାଙ୍କ ନାମରେ ଫେରାର ଅଭିଯୁକ୍ତର ଅଭିଯୋଗ ଥିବା ସମ୍ପର୍କରେ ‘ସମ୍ବାଦ ପକ୍ଷରୁ ତଥ୍ୟଭିତ୍ତିକ ଖବର ପ୍ରକାଶିତ ହୋଇଥିଲା। ପ୍ରକାଶିତ ଖବରକୁ ଗୁରୁତ୍ୱ ସହିତ ନେଇ ଦଳ ଶୁକ୍ରବାର ସୁବାସଙ୍କ ଟିକଟ୍‌କୁ ବାତିଲ କରିଛି। ଏହାସହିତ ଦଳ ପକ୍ଷରୁ ଅନ୍ୟତମ ଆଶାୟୀ ପରୀକ୍ଷିତ ନାଏକଙ୍କୁ ଟିକଟ୍‌ ପ୍ରଦାନ କରାଯାଇଛି। ଦଳୀୟ ଟିକଟ୍‌ ବାତିଲ ହେବା ପରେ ଏବେ ସୁବାସ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନରେ ରହିଥିବାବେଳେ ଶୁକ୍ରବାର ଶେଷ ମୁହୂର୍ତ୍ତରେ ପରୀକ୍ଷିତ ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର