କଟକ: ବିଜେଡି ଭିତରେ ଅନ୍ତର୍ଦ୍ବନ୍ଦ୍ବ, ବାଦବିବାଦ ଧୀରେ ଧୀରେ ବିସ୍ଫୋରକ ରୂପ ନେଉଛି। ଆଜି କଟକରେ ଆୟୋଜିତ ଦୁଇଟି କାର୍ଯ୍ୟକ୍ରମରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ମହାନଦୀବିହାରରେ ଆୟୋଜିତ ଗୋଟିଏ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ବାଳ ବିଜେଡିର ଦୁଇ ବରିଷ୍ଠ ନେତାଙ୍କ ନାଁ ନ ନେଇ ଆକ୍ଷେପ କରିବା ସହିତ ରାବଣ ଓ କଂସର ଆଖ୍ୟା ଦେଇଛନ୍ତି। ସେମାନଙ୍କ ପାଇଁ ସେ ଧଳା ପୋଷାକ ଛାଡ଼ି ଖଇରିଆ ପୋଷାକ ପିନ୍ଧୁଛନ୍ତି। ସେମାନେ ତାଙ୍କୁ ଚିଟ୍ଫଣ୍ଡ ମାମଲାରେ ଫସାଇଛନ୍ତି। ଲୋକ ଲଗାଇ ନକଲି ଷ୍ଟାମ୍ପ୍ପେପର ପ୍ରସ୍ତୁତ କରି ତାଙ୍କୁ ସିବିଆଇ ଜାଲରେ ଛନ୍ଦିବାକୁ ଉଦ୍ୟମ କରିଛନ୍ତି। ସମୟ ଆସିଛି, ସେମାନଙ୍କ ମୁଖା ଖୋଲାଯିବା ସହିତ ଉଚିତ ଜବାବ ଦିଆଯିବ ବୋଲି ମଧ୍ୟ ପ୍ରଭାତ ଚେତାଇ ଦେଇଛନ୍ତି। ଅନ୍ୟପଟେ କଟକ ବାଦାମବାଡିସ୍ଥିତ ହୋଟେଲ୍ ଗ୍ରାଣ୍ଡ୍ରେ ଆୟୋଜିତ ବିଜେଡିର ଡିସେମ୍ବର ୬ ପ୍ରତିବାଦ ଦିବସ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ପ୍ରଭାତଙ୍କ ସମର୍ଥକମାନେ ହଟ୍ଟଗୋଳ କରିଛନ୍ତି। ଦଳର ସେହି ପ୍ରସ୍ତୁତି ବୈଠକରେ ପ୍ରଭାତ ବିଶ୍ବାଳ ଅଥବା ତାଙ୍କ ପୁଅ ବିଧାୟକ ସୌଭିକ ବିଶ୍ବାଳ ଉପସ୍ଥିତ ନ ଥିଲେ। କିନ୍ତୁ ତାଙ୍କ ସମର୍ଥକମାନେ ଯୋଗଦେଇ ପ୍ରଭାତ ଓ ସୌଭିକଙ୍କୁ ଦଳ ଭିତର ଲୋକ ଅକଳରେ ପକାଉଛନ୍ତି ବୋଲି ଅଭିଯୋଗ ଆଣି ପାଟିତୁଣ୍ଡ କରିଥିଲେ। ପ୍ରଭାତ-ସୌଭିକଙ୍କ ବିରୋଧରେ ଦଳ ଭିତରେ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ସେମାନଙ୍କୁ ଗୁରୁତ୍ବ ଦିଆଯାଉ ନାହିଁ ବୋଲି ମଧ୍ୟ ପ୍ରଭାତଙ୍କ ସମର୍ଥକ ଅଭିଯୋଗ ଆଣିଥିଲେ। ଉପସ୍ଥିତ ବରିଷ୍ଠ ନେତାମାନେ ଏ ପ୍ରସଙ୍ଗ ସ୍ବତନ୍ତ୍ର ଭାବେ ଆଲୋଚନା ହେବ ବୋଲି କହି ପ୍ରସଙ୍ଗକୁ ଟାଳିବାକୁ ଉଦ୍ୟମ କରିଥିଲେ। ଅନ୍ୟପଟେ ବୈଠକ ଶେଷରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ପ୍ରଭାତଙ୍କ ମନ୍ତବ୍ୟ ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତର ଦେଇ କହିଥିଲେ ଯେ ପ୍ରଭାତ ହେଉଛନ୍ତି ଜଣେ ଟାଣୁଆ ଆଉ ଲଢୁଆ ନେତା। ସବୁ ଦଳରେ, ସବୁ ଘରେ ଅସନ୍ତୋଷ ଅଛି। ପ୍ରଭାତ ଯଦି ବା ଯାହା କହିଛନ୍ତି ତାହା ଦଳ ଭିତର କଥା। ଦଳ ଭିତରେ ତାହାର ସମାଧାନ ହେବ।
କିନ୍ତୁ ବିଜେଡି ପ୍ରସ୍ତୁତି ବୈଠକରେ ବାଦବିବାଦ କେବଳ ପ୍ରଭାତଙ୍କୁ ନେଇ ସୀମିତ ନଥିଲା। ପ୍ରକାଶ ବେହେରାଙ୍କୁ କାହିଁକି ସାଲେପୁରରୁ ଆଣି ବାରବାଟୀ-କଟକରେ ପ୍ରାର୍ଥୀ କରାଗଲା ବୋଲି ପ୍ରସଙ୍ଗ ଉଠାଇ ପାଟିତୁଣ୍ଡ ହୋଇଥିଲା। ଅନ୍ୟପଟେ ମେୟର ସୁବାସ ସିଂହ ମଧ୍ୟ ଦଳୀୟ କର୍ମୀଙ୍କୁ ଗୁରୁତ୍ବ ଦେଉ ନାହାନ୍ତି ବୋଲି କହି କେତେକ କର୍ମୀ ସିଧାସଳଖ ଅଭିଯୋଗ ଆଣି ପାଟିତୁଣ୍ଡ କରିଥିଲେ। ଏଭଳି ପ୍ରସଙ୍ଗ ଏଠାରେ ଆଲୋଚନା ହେବା ଅନୁଚିତ। ଏଥିପାଇଁ ସ୍ବତନ୍ତ୍ର ବୈଠକ ହେବ ବୋଲି କହି ବରିଷ୍ଠ ନେତାମାନେ ପ୍ରସଙ୍ଗ ଏଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ବୈଠକରେ କଟକ ଜିଲ୍ଲାର ଅଧା ବରିଷ୍ଠ ନେତା ଓ ବିଧାୟକ ଅନୁପସ୍ଥିତ ଥିଲେ। ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ପୂର୍ବତନ ବିଧାୟକ ପ୍ରମୋଦ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ, ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ଭଳି ନେତା ଆଜିର ଏହି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକରେ ଅନୁପସ୍ଥିତ ଥିଲେ। ତେବେ ରାଜ୍ୟସଭା ସଦସ୍ୟ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ବିଧାୟକ ଅରୁଣ ସାହୁ, ପ୍ରଶାନ୍ତ ବେହେରା, ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, କଟକ ଜିଲ୍ଲା ପରିଷଦ ସଭାପତି କିଶୋରଚନ୍ଦ୍ର ମିଶ୍ର, କଟକ ନଗର ବିଜେଡି ସଭାପତି ମଧୁସୂଦନ ସାହୁଙ୍କ ସମେତ ବିଭିନ୍ନ ଛାମୁଆ ସଙ୍ଗଠନର କର୍ମକର୍ତ୍ତା, ବରିଷ୍ଠ ନେତା, କର୍ମୀ ଏହି ବୈଠକରେ ଉପସ୍ଥିତ ଥିଲେ। ଭୁବନେଶ୍ବରର ଲୋୟର ପିଏମ୍ଜି ଛକରେ ଡିସେମ୍ବର ୬ ତାରିଖ ଦିନ ବିଜେଡିର ପ୍ରତିବାଦ କାର୍ଯ୍ୟକ୍ରମରେ କଟକ ଜିଲ୍ଲାରୁ ହିଁ ୧୦ ହଜାର କର୍ମୀ ସାମିଲ ହେବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2017/09/BJD-Biju-Janata-Dal-logo-2.jpg)