ବ୍ୟାସନଗର: ବ୍ୟାସନଗରର ବିଜେଡି ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଦଳୀୟ କାଉନସିଲରମାନେ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ। ଉପାଧ୍ୟକ୍ଷ ସୁବାସ ବଳଙ୍କ ନେତୃତ୍ବରେ ୧୯ଜଣ କାଉନସିଲର ଏ ନେଇ ଆଜି ଯାଜପୁର ଜିଲ୍ଲାପାଳ ପି.ଅନ୍ବେଷା ରେଡ୍ଡୀଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ପୌରାଧ୍ୟକ୍ଷା ଶ୍ରୀମତୀ ପିଙ୍ଗୁଆ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରୁନାହାନ୍ତି ବୋଲି ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏହା ପୂର୍ବରୁ କାଉନସିଲରମାନେ ଗତ ୬ ତାରିଖରେ ଏ ପ୍ରସଙ୍ଗରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ। ଅନାସ୍ଥା ଆଗତ ପାଇଁ ସେଠାରେ ରାଜ୍ୟ ସଭାପତିଙ୍କଠାରୁ ସବୁଜ ସଙ୍କେତ ମିଳିଥିବା କୁହାଯାଇଥିଲା। ଶେଷରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦଳୀୟ କାଉନସିଲରମାନେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି ଯେ ପ୍ରତିମାସରେ ପୌର ବୈଠକ ବସୁନାହିଁ। ଯେତେବେଳେ ବି ବୈଠକ ହେଉଛି, ସେଥିରେ ଆଲୋଚନା ହେଉଥିବା ବିଷୟ ବିବରଣୀରେ ସ୍ଥାନ ପାଉନାହିଁ। ପୌରାଧ୍ୟକ୍ଷା କୌଣସି କାଉନସିଲରଙ୍କୁ ବିଶ୍ବାସକୁ ନେଉନାହାନ୍ତି ଏବଂ ସେମାନଙ୍କ ଅଜ୍ଞାତରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଏହାକୁ ନେଇ ବହୁଦିନ ତଳୁ ପୌରାଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ନେତୃତ୍ବାଧୀନ କାଉନସିଲରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତ ବ୍ୟାସ ସରୋବର ମହୋତ୍ସବ ସମୟରେ ପୌରାଧ୍ୟକ୍ଷା ଓ କାଉନସିଲରମାନଙ୍କ ମଧ୍ୟରେ ଥିବା ବିବାଦ ଆହୁରି ସ୍ପଷ୍ଟ ହୋଇଥିଲା।
ମହୋତ୍ସବ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷଙ୍କ ସମେତ କାଉନସିଲରମାନେ ସାମିଲ ହୋଇ ନ ଥିଲେ। ଏହି ପ୍ରସଙ୍ଗରେ ବିଜେଡିର ଅସନ୍ତୁଷ୍ଟ କାଉନସିଲରମାନଙ୍କୁ କଂଗ୍ରେସ କାଉନସିଲରମାନେ ସହଯୋଗ କରୁଛନ୍ତି। ଆଜି ଅନାସ୍ଥା ଦାଖଲ ସମୟରେ ଉପନଗରପାଳ ଶ୍ରୀ ବଳଙ୍କ ସମେତ କାଉନସିଲର ବିଜୟ ଜେନା, କୁନି ହାଁସଦା, ରଶ୍ମିତା ଖୁଣ୍ଟିଆ, ମୋନାଲିସା ସାହୁ, ସୁଜାତା ପ୍ରିୟଦର୍ଶିନୀ ପରିଡ଼ା, ଟୁନିଆ ନାୟକ, ଅଶୋକ ଦାସ, ମଣୀନ୍ଦ୍ର କୁମାର ସାହୁ, ସରିତା ଜେନା, ସନ୍ତୋଷ ବରାଳ, ବୁଦୁନି ଦରାଇ, ସିଦ୍ଧାର୍ଥ ଶଙ୍କର ସାମଲ, ଶିବାନନ୍ଦ ନାୟକ, ସରୋଜିନୀ ସେଠୀ, ଉର୍ମିଳା ପରିଡ଼ା, କୁମୁଦିନୀ ରାଉତ, ପାର୍ଥସାରଥୀ ନାୟକ, ଅଶୋକ ରାଉତ, ଦିଲ୍ଲୀପ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ ୨୬ ୱାର୍ଡବିଶିଷ୍ଟ ବ୍ୟାସନଗର ପୌର ପରିଷଦରେ ବିଜେଡି ସମର୍ଥିତ ୧୭ ଜଣ କାଉନସିଲର ନିର୍ବାଚିତ ହୋଇଥିଲେ। ଏହାବାଦ୍ ୩ ଜଣ (ସ୍ବାଧୀନ) ବିଜେଡି ସମର୍ଥିତ କାଉନସିଲର ଅଛନ୍ତି। ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥୀ ଭାବେ ସଙ୍ଗୀତା ପିଙ୍ଗୁଆ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। କାର୍ଯ୍ୟ ଆରମ୍ଭରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ପୌରାଧ୍ୟକ୍ଷା ଓ ଦଳୀୟ କାଉନସିଲରମାନଙ୍କ ମଧ୍ୟରେ ମତଭେଦ ହୋଇ ବିବାଦ ତୀବ୍ର ରୂପ ଧାରଣ କରିଥିଲା।