ଏକାଠି ହେଲେ ୨୦ରୁ ଅଧିକ ବିଧାୟକ ଓ ପୂର୍ବ ବିଧାୟକ

Advertisment

ସମ୍ବଲପୁର: ବର୍ତ୍ତମାନର ବିଜେପି ସରକାର ଏକ ‘ଆକ୍ସିଡେଣ୍ଟାଲ’ ସରକାର। ରାଜ୍ୟକୁ କେମିତି ଶାସନ କରାଯାଏ, ଜନସେବା କେମିତି କରାଯାଏ; ତାହା ଜାଣିନାହାନ୍ତି। ଗୋଟିଏ ବର୍ଷର ଶାସନରେ ରାଜ୍ୟକୁ ଦୁର୍ଗତି ଆଡ଼କୁ ଟାଣିନେଲେଣି। ରାଜ୍ୟରେ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି। ଆମେ ବିଜୁବାବୁଙ୍କ ନେତୃତ୍ବରେ ଲଢ଼େଇ କରିବା ଶିଖିଛୁ। ଆଉ ନବୀନ ବାବୁଙ୍କ ନେତୃତ୍ବରେ ରାଜ୍ୟକୁ ସୁଶାସନ ଦେଇଛୁ। ତେଣୁ ଶୃ୍ଙ୍ଖଳା ଆଉ ଏକତା ବଜାୟ ରଖି ଲଢ଼ିଲେ ଏହି ସରକାର ୫ ବର୍ଷ ଶାସନ ପୂରା କରିପାରିବ ନାହିଁ। ୩ ବର୍ଷ ମଧ୍ୟରେ ଏହି ବିଜେପି ସରକାରକୁ ଉପାଡ଼ି ବଙ୍ଗୋପସାଗରକୁ ଫିଙ୍ଗିଦେବା ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଜେଡିର ବରିଷ୍ଠ ଉପସଭାପତି ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ବିଜେଡି ନେତାମାନେ କହିଥିଲେ,    ବାଲେଶ୍ବର ଛାତ୍ରୀ ଆତ୍ମଦାହ ଘଟଣାର ନ୍ୟାୟିକ ତଦନ୍ତ ଆମର ଦାବି। ସଭାରେ ଅଧ୍ୟକ୍ଷତା କରିଥିବା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ନାରୀ ନିର୍ଯାତନା ତଥା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପଛରେ ରାଜ୍ୟରେ ବଢ଼ୁଥିବା ନିଶା କାରବାରକୁ ଦାୟୀ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସମଗ୍ର ପଶ୍ଚିମ ଓଡ଼ିଶାର ପ୍ରମୁଖ ନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ବିଜେଡି କର୍ମୀ ଓ ସମର୍ଥକ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଗଙ୍ଗାଧର ମଣ୍ଡପ ନିକଟରୁ ବିଶାଳ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ପରେ ନେତାମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆର୍‌ଡିସିଙ୍କୁ ଦାବିପତ୍ର ଦେଇଥିଲେ। ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ନିରଞ୍ଜନ ପୂଜାରୀ, ସାରଦା ନାୟକ, କଳିକେଶ ନାରାୟଣ ସିଂହଦେଓ, ନଳିନୀ ପ୍ରଧାନ, ବର୍ଷା ସିଂ ବରିହା, ରୋମାଞ୍ଚ ରଞ୍ଜନ ବିଶ୍ବାଳ, ସୁଦର୍ଶନ ହରିପାଲ, ଅଧିରାଜ୍‌ ପାଣିଗ୍ରାହୀଙ୍କ ସମେତ ବରିଷ୍ଠ ନେତା ପ୍ରଦୀପ ଅମାତ, ଅଳକା ମହାନ୍ତି, ରୀତା ସାହୁ, ନିଧି ସାମଲ, ସରୋଜ ମେହେର, ଦେବେଶ ଆଚାର୍ଯ୍ୟ, ମୁକେଶ ପାଲ, ମହେଶ ସାହୁ, ଲମ୍ବୋଦର ନିଆଳ, ସୁବ୍ରତ ତରାଇ, ରାଜେନ୍ଦ୍ର ଛତ୍ରିଆ, ଅନୀଲ ବାର୍ଲା, ଅଭିମନ୍ୟୁ ସେଠୀ, ସଞ୍ଜୟ ବାବୁ, କୁମୁଦିନୀ ନାୟକଙ୍କ ‌ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି, ଜିଲ୍ଲା ବିଜେଡି ସଭାପତି, ମହିଳା, ଯୁବ ଓ ଛାତ୍ର ଜନତା ଦଳର ସଭାପତିଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଜୁ ପ୍ରେମୀମାନେ ସାମିଲ ଥିଲେ।

ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ବ୍ରହ୍ମପୁର: ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ଓ ଗୋପାଳପୁର ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ଆଜି ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟ ଘେରାଉ କରିଛି ବିଜେଡି। ବିଜେଡି ନେତା ଓ କର୍ମୀ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପଡ଼ିଆରେ ଏକତ୍ରିତ ହୋଇଥିଲେ। ପୂର୍ବତନ ମନ୍ତ୍ରୀ ତଥା ଉପସଭାପତି ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ଏକ ଦାବିପତ୍ର ଆର୍‌ଡିସି ରୁପା ରୋଷନ ସାହୁଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ରାଜ୍ୟରେ ୧୩ମାସର ବିଜେପି ସରକାରରେ ବିଭିନ୍ନ ଅରାଜକତା ଦେଖିବାକୁ ମିଳୁଥିବା ବେଳେ ରାଜ୍ୟରେ ନାରୀ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ନଥିବା ଯୋଗୁଁ ନାରୀମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି ବୋଲି ଦଳ ପକ୍ଷରୁ  ଅଭିଯୋଗ  କରାଯାଇଛି। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଇସ୍ତଫା ଦାବି କରିଥିଲା ଦଳ। ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିକ୍ରମ କୁମାର ପଣ୍ଡା, ବିଧାୟକ ରୂପେଶ ପାଣିଗ୍ରାହୀ,  ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର, ମନୋହର ରନ୍ଧାରୀ, ମାନସ ମାଡକାମୀ, ଝିନ ହିକକା, ପୂର୍ବତନ ସାଂସଦ ଭାସ୍କର ରାଓ, ଜଗନ୍ନାଥ ସାରକା, ଚକ୍ରମଣି କହଁର, ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ, ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ରଞ୍ଜିତା ସାହୁ, ମେୟର ସଙ୍ଘମିତ୍ରା ଦଳେଇ, ପ୍ରଫୁଲ୍ଲ ପାଙ୍ଗୀ, ପ୍ରଦୀପ କୁମାର ଦିଶାରୀ, ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ମନୋରମା ମହାନ୍ତି, ରଘୁନାଥ ଗମାଙ୍ଗୋ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ଶ୍ରୀକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର  ସ୍ୱାଇଁ, ମଞ୍ଜୁଳା ସ୍ୱାଇଁ, ସୁବାସ ବେହେରା, ବିପ୍ଳବ ପାତ୍ର, ସୂର୍ଯ୍ୟମଣୀ ବୈଦ୍ୟ, ତୁମ୍ବନାଥ ପଣ୍ଡା, ଚକ୍ରମଣୀ କହଁର, ପ୍ରଭୁ ଜାନି, ନନ୍ଦିନୀ ଦେବୀ, ଶ୍ରୀରୂପ ଦେବ, ଅନୁସୂୟା ମାଝୀଙ୍କ ସମେତ ୮ଟି ଜିଲ୍ଲାର ବିଜେଡି ନେତାଙ୍କ ସମେତ ହଜାର ହଜାର  କର୍ମୀ ଯୋଗଦେଇଥିଲେ।

ହାଇକୋର୍ଟ ବିଚାରପତିଙ୍କ ନେତୃତ୍ବରେ ତଦନ୍ତ ଦାବି

କଟକ: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି)ଙ୍କ କାର୍ଯ୍ୟାଳୟ ସାମନାରେ ବିଜେଡି ପକ୍ଷରୁ ପ୍ରତିବାଦ ସହ ଶକ୍ତି ପ୍ରଦର୍ଶନ କରାଯାଇଛି। ସନ୍‌ସାଇନ୍‌ ପଡ଼ିଆ ନିକଟରୁ ଶୋଭାଯାତ୍ରା ବାହାରି ଆର୍‌ଡିସି ଅଫିସ ପର୍ଯ୍ୟନ୍ତ ଯାଇଥିଲା। ୫୧ ଜଣିଆ ପ୍ରତିନିଧିମଣ୍ଡଳୀ ଆର୍‌ଡିସିଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।
ବିଜେଡି ପକ୍ଷରୁ କୁହାଯାଇଛି ଯେ ଗୋପାଳପୁର ଗଣଦୁଷ୍କର୍ମ, ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି, ପୁରୀ ଜିଲ୍ଲା ବଳଙ୍ଗା ନାବାଳିକାଙ୍କୁ ଜିଅନ୍ତା ଜାଳିଦେବାକୁ ଉଦ୍ୟମ ଭଳି ଘଟଣା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ପ୍ରମାଣ ଦେଉଛି। ରାଜ୍ୟରେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ଏଫ୍‌ଏମ୍‌ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ଉଚ୍ଚନ୍ୟାୟାଳୟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା କରାଯାଉ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାଂସଦ ଦେବାଶିଷ ସାମନ୍ତରାୟ, ସାଂସଦ ସୁଭାଶିଷ ଖୁଣ୍ଟିଆ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସୌଭିକ ବିଶ୍ବାଳ, ଦେବୀରଂଜନ ତ୍ରିପାଠୀ, ମେୟର ସୁବାସ ସିଂହ, ସୁଲୋଚନା ଦାସ, ବିଧାୟକ ପ୍ରଶାନ୍ତ ବେହେରା, ରମାକାନ୍ତ ଭୋଇ, ବ୍ୟୋମକେଶ ରାୟ, ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପ୍ରଣବ ବଳବନ୍ତରାୟ, ଅତନୁ ସବ୍ୟସାଚୀ ନାୟକ, ଚିରଞ୍ଜୀବୀ ବିଶ୍ୱାଳ, ରାଜଶ୍ରୀ ମଲ୍ଲିକ, ପ୍ରଫୁଲ୍ଲ ସିଂ, ସଞ୍ଜୀବ ମଲ୍ଲିକ, ସୁଶାନ୍ତ ରାଉତ, ରମେଶ ବେହେରା, ମଞ୍ଜୁଲତା ମଣ୍ଡଳ, ଗଣେଶ୍ୱର ବେହେରା, ଧ୍ରୁବ ସାହୁ, ସାରଦା ଜେନା, ସ୍ୱରୂପ ଦାସ, ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, ପ୍ରଫୁଲ୍ଲ ସାମଲ, ଅଂଶୁମାନ ମହାନ୍ତି, ସୁକାନ୍ତ ନାୟକ, ଅଶୋକ ପଣ୍ଡା, ରାଜେନ୍ଦ୍ର ସାହୁ, ପ୍ରଦୀପ ସାହୁ, ରୁଦ୍ର ମହାରଥୀ, ତୁଷାରକାନ୍ତି ବେହେରା, ବିଜୟ ନାୟକ, ଶର୍ମିଷ୍ଠା ସେଠୀ, କ୍ୟାପଟେନ୍‌ ରାଜନାରାୟଣ ମହାପାତ୍ର, ରାଜେନ୍ଦ୍ର ଦାସ, ବାସନ୍ତୀ ହେମ୍ବ୍ରମ, ସାନନ୍ଦ ମାରାଣ୍ଡି, ଡକ୍ଟର ରଂଜନ ବିଶ୍ବାଳ, ମହମ୍ମଦ ସକିଲ ପ୍ରମୁଖ ସାମିଲ ହୋଇଥିଲେ।