କୋରାପୁଟ: ପରିବର୍ତ୍ତନ ହାୱାରେ କୋରାପୁଟ ଜିଲ୍ଲାରେ ମୂଳପୋଛ ହୋଇଗଲା ବିଜେଡି। ଜିଲ୍ଲାର ୫ ବିଧାନସଭା ଆସନ ମଧ୍ୟରୁ ୩ ଆସନ ଦଖଲ କରିଛି କଂଗ୍ରେସ। ଦୁଇଟି ଆସନରେ ବିଜୟ ସହ କୋରାପୁଟ ଜିଲ୍ଲାରେ ପ୍ରଥମଥର ଖାତା ଖୋଲିଛି ବିଜେପି। ଦୁଇ ବିଧାୟକଙ୍କ ଟିକେଟ କାଟିବା, ନୂଆ ମୁହଁଙ୍କୁ ପ୍ରାର୍ଥୀ କରିବା ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇଛି। କୋରାପୁଟ ବିଧାନସଭା ଆସନରେ ଅଭିଜ୍ଞ ରଘୁରାମ ପଡ଼ାଲ ବିଜେଡି ପ୍ରାର୍ଥୀ ହୋଇ ଲଢ଼େଇ କଲେ। କିନ୍ତୁ ନିର୍ବାଚନର କିଛି ଦିନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ରଘୁରାମ ମାଛ କଡ଼ା ଟକ୍କର ଦେଇ ବଡ଼ ଓଲଟପାଲଟ କରିଛନ୍ତି। ରଘୁରାମ ମାଛ ୪୬,୩୫୫ ଖଣ୍ଡ ଭୋଟ୍‌ ପାଇଥିଲା ବେଳେ ରଘୁରାମ ପଡ଼ାଲଙ୍କୁ ୪୪,୦୧୭ ଖଣ୍ଡ ଭୋଟ୍‌ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ କୃଷ୍ଣ କୁଳଦୀପ ୪୨,୦୨୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଲେ। ରଘୁରାମ ମାଛ ୨୩୩୮ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

Advertisment

ଲକ୍ଷ୍ମୀପୁର ଆସନକୁ ଏଥର ବିଜେଡି ହାତରୁ ଛଡାଇ ନେଇଛି କଂଗ୍ରେସ। କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁନ୍ତାଙ୍କୁ ୫୮,୭୪୧ଖଣ୍ଡ ଭୋଟ ମିଳିଥିଲା ବେଳେ ବି‌ଜେଡି ପ୍ରାର୍ଥୀ ପ୍ରଭୁ ଜାନି ୩୭,୮୧୯ ଖଣ୍ଡ ଭୋଟ୍‌ ପାଇଛନ୍ତି। ବିଜେପି ପ୍ରାର୍ଥୀ କୈଳାସ କୁଲେସିକାଙ୍କୁ ୨୩,୩୧୫ ଖଣ୍ଡ ଭୋଟ ମିଳିଛି। ପବିତ୍ର ୨୦, ୯୧୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେହି ପରି ପଟାଙ୍ଗୀ ଆସନରେ ବାଜି ମାରିନେଲେ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡ଼ାମ। ବିଧାୟକ ପୀତମ ପାଢୀଙ୍କ ଟିକେଟ୍‌ କାଟି ପ୍ରଫୁଲ୍ଲ ପାଙ୍ଗିଙ୍କୁ ପ୍ରାର୍ଥୀ କରିବା ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ରାମଚନ୍ଦ୍ର କାଡ଼ାମଙ୍କୁ ୫୨,୦୨୪ ଖଣ୍ଡ ଭୋଟ ମିଳିଥିଲା ବେଳେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି ୫୦,୧୧୭ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ନନ୍ଦବାଲି ଚୈତନ୍ୟ ୩୫,୨୪୭ ଭୋଟ ପାଇଛନ୍ତି।

କୋରାପୁଟ ଜିଲ୍ଲାରେ ସବୁଠାରୁ ବଡ଼ ବିଜୟ (୨୫,୮୩୭ ଭୋଟ୍‌) କୋଟପାଡ଼ ଆସନରେ ବିଜେପି ପ୍ରାର୍ଥୀ ରୁପୁ ଭତ୍ରା ହାସଲ କରିଛନ୍ତି। କଂଗ୍ରେସର ଦୁର୍ଗ ଭାବେ ପରିଚିତ ଏହି ଆସନକୁ ପ୍ରଥମଥର ବିଜେଡି ୨୦୧୯ ନିର୍ବାଚନରେ ଦଖଲ କରିଥିଲା। କିନ୍ତୁ ୫ବର୍ଷ ପରେ ଆସନକୁ ବିଜେପି ଛଡ଼ାଇ ନେଇଛି। ବିଜେପି ପ୍ରାର୍ଥୀ ରୁପୁ ଭତ୍ରା ୭୪,୫୭୭ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ୪୮,୬୫୬ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅନାମ ଦିଆନଙ୍କୁ ୪୪,୬୭୩ ଖଣ୍ଡ ଭୋଟ୍‌ ମିଳିଛି। ଜୟପୁର ନିର୍ବାଚନ ମଣ୍ଡଳୀରେ ହାଟ୍ରିକ୍‌ ବିଜୟ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି। ବିଜେଡି ପ୍ରାର୍ଥୀ ଇନ୍ଦିରା ନନ୍ଦ ୫୬,୨୯୨ଖଣ୍ଡ ଭୋଟ ପାଇଥିଲା ବେଳେ ତାରା ୧୨,୮୭୭ ଖଣ୍ଡ ଅଧିକ ଭୋଟ୍‌ ଅର୍ଥାତ ୬୯,୧୬୯ ଖଣ୍ଡ ଭୋଟ୍‌ ପାଇଛନ୍ତି। ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ୩୦,୯୫୨ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଲେ।