ଅମିତ ଶାହ ଦେଇଥିବା ବକ୍ତବ୍ୟ, ବିଜେଡି କହିଲା ହାସ୍ୟାସ୍ପଦ

ଭୁବନେଶ୍ବର: ସାଲେପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ବକ୍ତବ୍ୟ ହାସ୍ୟାସ୍ପଦ। ଏହା କେବଳ ବିଜେପି କର୍ମୀଙ୍କ ମନୋବଳକୁ ଉଦ୍ଧାର କରିବାର ଏକ ପ୍ରୟାସ ବୋଲି କହିଛି ବିଜେଡି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେଡି ଓ କଂଗ୍ରେସ ଏକ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ସେ ଦେଇଥିବା ବକ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ। କଂଗ୍ରେସ ମତପୋଷଣ କରୁଛି ଯେ ବିଜେପି ଓ ବିଜେଡିର ସମ୍ପର୍କ ରହିଛି। ଅପର ପକ୍ଷରେ ବିଜେପି ଦାବି କରୁଛି ଯେ ବିଜେଡି ଓ ‌କଂଗ୍ରେସର ସମ୍ପର୍କ ରହିଛି। ବାସ୍ତବରେ ବିଜେଡିର ସମ୍ପର୍କ କେବଳ ଓଡ଼ିଶାର ଜନସାଧାରଣଙ୍କ ସହିତ ରହିଛି। ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ସହ ରହିଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାମାନଙ୍କରେ ତାଙ୍କର ଲୋକପ୍ରିୟତାକୁ ପ୍ରତିପାଦିତ କରୁଛି। ବିଜେପି ମନରେ ଏହା ଭୟ ସଞ୍ଚାର କରୁଛି। ଓଡ଼ିଶା ଦ୍ରୁତ ଗତି‌େର ପ୍ରଗତି ପଥରେ ଚାଲୁଛି ଓ କେନ୍ଦ୍ର ସରକାର ଓଡ଼ିଶା ଉପରେ ପୁରସ୍କାର ପରେ ପୁରସ୍କାର ଅଜାଡ଼ି ଚାଲିଛନ୍ତି। କେନ୍ଦ୍ର ସରକାର ଓ ତାଙ୍କର କେନ୍ଦ୍ର ମନ୍ତ୍ରୀମାନେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାକୁ ବାରମ୍ବାର ପ୍ରଶଂସା କରି ଆସିଛନ୍ତି। ରାଜ୍ୟର ୬୪୦୦ କୋଟି ଟଙ୍କାର ପ୍ରାପ୍ୟକୁ କେନ୍ଦ୍ର ସରକାର ପକାଇ ରଖିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଏହାର ସମୀକ୍ଷା କରିଥିଲେ। ମହାନଦୀ, ପୋଲାଭରମ୍, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣ ବୃଦ୍ଧି, ୩୩ଟି ଯୋଜନାର ଅର୍ଥକାଟ ଏବଂ ଆଇଏପି, ବିଆର୍‌ଜିଏଫ୍ ଓ କେବିକେ ଯୋଜନା ପରି ୮ଟି ଯୋଜନାକୁ ବନ୍ଦ କରିବା ଆଦି ପ୍ରସଙ୍ଗଗୁଡ଼ିକ ପ୍ରାଞ୍ଜଳ ଭାବେ ବିଜେପିର ଓଡ଼ିଶା ବିରୋଧୀ ନୀତିକୁ ପ୍ରକାଶିତ କରୁଛି। ଓଡ଼ିଶାର ଜନସାଧାରଣ ନବୀନ ପଟ୍ଟନାୟକଙ୍କୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବେ ବୋଲି ମନ ସ୍ଥିର କରିସାରିଛନ୍ତି। ଏହି ବାସ୍ତବତାକୁ ସ୍ବୀକାର କରିବା ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବିଜେପି ପ୍ରସ୍ତୁତ ରହିବାକୁ ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର