ଭୁବନେଶ୍ୱରରେ ସମାବେଶ କରିବ ବିଜେଡି ଏସ୍‌ସି ସେଲ୍‌

ଭୁବନେଶ୍ୱର : ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ୍‌ର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜାତି ସେଲ୍‌ର ରାଜ୍ୟ ଆବାହକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁଚରଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଏହି ବର୍ଗର ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସ୍ଥିର ହୋଇଛି, ଆସନ୍ତା ମାସରେ ଅନୁସୂଚିତ ଜାତି ତରଫରୁ ଭୁବନେଶ୍ୱରେ ଏକ ବିଶାଳ ସମାବେଶ କରାଯିବ।

ଅନୁସୂଚିତ ଜାତି ଓ ଉପଜାତି ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚଶିକ୍ଷା ବୃତ୍ତି ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ୮୦ ଭାଗ ବହନ କରାଯାଉଥିଲା, ଏବେ ତାହାକୁ ୨୦ ଭାଗକୁ କୁହାଯାଇଛି। ଏହା ବିରୋଧରେ ଉଦ୍‌ବେଗ ପ୍ରକାଶ କରି ବକ୍ତାମାନେ ବକ୍ତବ୍ୟ ରଖିଥିଲେ। ଅନୁସୂଚିତ ଜାତିର କଲ୍ୟାଣ ପାଇଁ ଏକ ଅନୁସୂଚିତ ଜାତି ଉନ୍ନୟନ ପରିଷଦ ଗଠନ କରିବା ଓ ସ୍ବତନ୍ତ୍ର ଅନୁଦାନର ବ୍ୟବସ୍ଥା େନଇ ନେତାମାେନ ଗୁରୁତ୍ୱାରୋପ କରିଥିଲେ। ସଂପ୍ରତି ଦଳ ତରଫରୁ ୱାର୍ଡ କମିଟି ଓ ହାଉସ୍‌ ଟ୍ୟାଗିଙ୍ଗ ବ୍ୟବସ୍ଥାରେ ସ୍ଥାନୀୟ ପ୍ରତିନିଧିମାନେ ଅନୁସୂଚିତ ଜାତି ପରିବାରଙ୍କୁ ପ୍ରାଧାନ୍ୟ ଦେବା, ବିଭିନ୍ନ ସାଂଗଠନିକ ଦାୟିତ୍ୱରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବା, ସରକାରଙ୍କ ସମସ୍ତ ଯୋଜନାକୁ ସେମାନଙ୍କ ନିକଟରେ ପହଞ୍ଚାଇବା ଓ ଅନୁସୂଚିତ ଜାତି ବ୍ୟକ୍ତିମାନଙ୍କ ଉପରେ ହେଉଥିବା ନିର୍ଯାତନା ମାମଲାଗୁଡିକରେ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ବତନ୍ତ୍ର ଭାବେ ଫଏସଲା ଉପରେ ଏମିତି ପଦକ୍ଷେପ ନେବାପାଇଁ ସର୍ବ ସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା।

ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରସାଦ ପ୍ରମାଣିକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେନ୍ଦ୍ର ସେଠୀ, ମହେଶ ସାହୁ, ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ରାଜେନ୍ଦ୍ର ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇ ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିଲେ। ଅନୁସୂଚିତ ଜାତି ସେଲ୍‌ର ସାଧାରଣ ସଂପାଦକ ଆଡଭୋକେଟ୍‌ ନିରଞ୍ଜନ ସେଠୀ, ଅଶୋକ ମଲ୍ଲିକ, ସଂପାଦିକା ମୀନତି ଦାସ, ସୁରେଖା ମାଝୀଙ୍କ ସମେତ ବିଭିନ୍ନ ଜିଲ୍ଲାର ସଭାପତି, ସଂପାଦକ, କାର୍ଯ୍ୟକାରୀ କମିଟି ସଭ୍ୟସଭ୍ୟା ଉପସ୍ଥିତ ଥିଲେ। ସାଧାରଣ ସଂପାଦକ ବିକାଶ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର