ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିଜେଡିର ସାଙ୍ଗଠନିକ ସ୍ତରରେ ଏବେ ସବୁ କିଛି ଠିକ ନାହିଁ। ଜିଲ୍ଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ବିଧାୟକ ଓ ବ୍ଲକ୍ ଆଉ ନଗର ସଭାପତିଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ଏହାର ପ୍ରମାଣ ଦେଉଛି। ପୂର୍ବରୁ ଭିତରେ ଭିତରେ ଚାଲିଥିବା କନ୍ଦଳ ଏବେ ଖୋଲାଖୋଲି ଭାବେ ବିଭିନ୍ନ ସଭାସମିତିରେ ବି ଦେଖିବାକୁ ମିଳୁଛି। ସବୁ ନିର୍ବାଚନ ମଣ୍ଡଳୀରେ ବିଧାୟକ ବିରୋଧୀମାନେ ଶକ୍ତି ସଂଗ୍ରହ କରିବା ଘଟଣା ଦଳ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି।
ପାରାଦୀପ ନିର୍ବାଚନମଣ୍ଡଳୀରେ ବିଧାୟକ ସମ୍ବିତ ରାଉତରାୟ ଓ ନଗର ସଭାପତି ବସନ୍ତ ବିଶ୍ବାଳଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ଆଉ କାହାକୁ ଅଛପା ନାହିଁ। ଏମିତିକି ଏକାଧିକ ପ୍ରସଙ୍ଗରେ ଦୁହେଁ ସିଧାସଳଖ ମୁହାଁମୁହିଁ ହେବାକୁ ପଛାଉ ନାହାନ୍ତି। ବିଧାୟକଙ୍କୁ ଟକ୍କର ଦେଇ ବସନ୍ତ ନିଜର ଏକ ସମାନ୍ତରାଳ ସଙ୍ଗଠନ ତିଆରି କରିବାରେ ବ୍ୟସ୍ତ। ଏହି ଦୁଇଜଣଙ୍କ ମଧ୍ୟରେ ତାଳମେଳ ଠିକ୍ ନ ରହିବାରୁ ଗତ ପୌର ନିର୍ବାଚନରେ ବିଜେଡିର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ଯଦିଓ ବସନ୍ତ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ, ୧୯ରୁ ୧୨ ୱାର୍ଡ ବିରୋଧୀଙ୍କ ଖାତାକୁ ଚାଲି ଯାଇଥିଲା। ଏହାସହ ପୌର ଉପାଧ୍ୟକ୍ଷ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନରେ ବିଜେଡିରୁ କ୍ରସ୍ ଭୋଟିଂ ହେଲା। ବିଭିନ୍ନ ସମୟରେ ପାରାଦୀପରେ ଆୟୋଜିତ ହେଉଥିବା ଦଳୀୟ କାର୍ଯ୍ୟକ୍ରମରେ ବିଧାୟକଙ୍କ ଅନୁପସ୍ଥିତି ଦଳ ମଧ୍ୟରେ ଚାଲିଥିବା କ୍ଷମତା କନ୍ଦଳକୁ ପଦାରେ ପକାଇ ଦେଇଛି।
ସେହିଭଳି ତିର୍ତ୍ତୋଲ ବ୍ଲକ୍ ସଭାପତି ଗଙ୍ଗାଧର ବିଶ୍ବାଳ ଓ ବିଧାୟକ ବିଜୟ ଶଙ୍କର ଦାସଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି। ଗଙ୍ଗାଧର ଏବେ ଜିଲ୍ଲା ପରିଷଦ ସଭ୍ୟ ଥିବାବେଳେ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କର ସେ ଏକାନ୍ତ ଅନୁଗତ। ନିଜ ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମକୁ ସେ ବିଧାୟକଙ୍କୁ ନିମନ୍ତ୍ରଣ କରୁ ନଥିବା ବେଳେ ଉଦ୍ଘାଟନ ହେଉଥିବା ପ୍ରକଳ୍ପର ଫଳକରୁ ତାଙ୍କ ନାଁ କାଟି ଦେଉଥିବା ଅଭିଯୋଗ ହେଉଛି। ଏହି ଦୁଇ ଜଣଙ୍କ ମଧ୍ୟରେ ତାଳମେଳର ଅଭାବ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆସିଥିବା ଅନୁଦାନରୁ ତିର୍ତ୍ତୋଲ ବ୍ଲକ୍ ନିରାଶ ହୋଇଥିଲା। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀକୁ ପ୍ରାୟ ୪ କୋଟିର ଅନୁଦାନ ରାଶି ଘୋଷଣା କରାଯାଇଥିବା ବେଳେ ସେଥିମଧ୍ୟରୁ ବ୍ଲକ୍ର ଭାଗ ଥିଲା ମାତ୍ର ୧୨ ଲକ୍ଷ ଟଙ୍କା। ଅବଶ୍ୟ ପରେ ଏ ନେଇ ତମ୍ବିତୋଫାନ ହେବାରୁ ପୁଣିଥରେ ପ୍ରକଳ୍ପର ଚିଠା ଦେବା ପାଇଁ ବିଧାୟକଙ୍କୁ ନିର୍ଦ୍ଦେଶ ଆସିଥିଲା।
ଜଗତସିଂହପୁର ନିର୍ବାଚନମଣ୍ଡଳୀ ନାଉଗାଁ ବ୍ଲକ୍ର ସଭାପତି ଭାବେ ଦଳ କାହାକୁ ଚୟନ କରିପାରୁ ନାହିଁ। ଦେଢ଼ ବର୍ଷରୁ ଅଧିକ ସମୟ ହେଲା ବ୍ଲକ୍ ସଭାପତି ସୁଜିତ ମଲ୍ଲିକ ନିଜ ପଦରୁ ଇସ୍ତଫା ଦେଇଥିଲେ। ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ସହ ସୁଜିତଙ୍କ ସମ୍ପର୍କ ବେଶ୍ ନିବିଡ଼ ଥିଲା। ମାତ୍ର ପ୍ରଶାନ୍ତ ମୁଦୁଲି ବିଧାୟକ ହେବାପରେ କୌଣସି କାରଣରୁ ସୁଜିତ ନିଜ ପଦରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ତାଙ୍କୁ ଦଳର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିବା ବେଳେ ସେ ନାଉଗାଁରେ ରହୁନଥିବା ଅଭିଯୋଗ ହୋଇଛି।
ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ବିଧାୟକ ରଘୁନନ୍ଦନ ଦାସ ଓ ଏରସମା ବ୍ଲକ୍ ସଭାପତି ପୀତବାସ ଗୋଚ୍ଛାୟତଙ୍କ ମଧ୍ୟରେ ସମ୍ପର୍କ ବି ଭଲ ନାହିଁ। ଗଡ଼ବିଷୁନପୁର ପଞ୍ଚାୟତ ସରପଞ୍ଚ ପାଇଁ ହୋଇଥିବା ଉପ-ନିର୍ବାଚନରେ ଏହି ଦୁଇ ନେତାଙ୍କ ମଧ୍ୟରେ ଥିବା କନ୍ଦଳ ସ୍ପଷ୍ଟ ବାରି ହୋଇପଡ଼ିଥିଲା। ଏଥିରେ ଦୁଇ ନେତା ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ଏହି ଉପନିର୍ବାଚନରେ ପୀତବାସଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ଭିତରେ ଏଭଳି କନ୍ଦଳରୁ ବିରୋଧୀ କେତେ ଫାଇଦା ନେଇ ପାରିବେ, ବିଜେଡି ଏହି କନ୍ଦଳକୁ ସମାଧାନ କରି କେତେ ଆଗକୁ ବଢି ପାରିବ, ତାହା ଏବେ ଜିଲ୍ଲାରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।