ଭୁବନେଶ୍ବର: ଆଜି ପୂର୍ବାହ୍ଣରେ ବିଧାନସଭା ପରିସରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଜେଡି ବିଧାୟକମାନେ ଲଣ୍ଠନ ଧରି କରିଡରରେ ବୁଲୁଥିଲେ। ମଝିରେ ମଝିରେ ମୁଖ୍ୟମନ୍ତ୍ରୀ କୁଆଡ଼େ ଗଲ ବୋଲି ନାରାବାଜି କରୁଥିଲେ। ଅବଶ୍ୟ ଲଣ୍ଠନ ଜଳୁ ନଥିଲା। କେବଳ ପ୍ରତୀକାତ୍ମକ ଭାବେ ସେମାନଙ୍କ ହାତରେ ଥିଲା। ଦୁଇ ଦିନ ହେଲା ବିଜେଡି ବିଧାୟକମାନେ ବିଧାନସଭାରେ ହୋହଲ୍ଲା ଜାରି ରଖିଛନ୍ତି। ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍ ବୋଲି ଜୟନାରାୟଣ ମିଶ୍ର ଦେଇଥିବା ମନ୍ତବ୍ୟର ସେମାନେ ପ୍ରତିବାଦ କରୁଛନ୍ତି। ଏହି ପ୍ରସଙ୍ଗରେ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ମୁଖ୍ୟମନ୍ତ୍ରୀ ବିବୃତି ଦେବାକୁ ଦାବି କରିଥିଲେ। କିନ୍ତୁ ଆଜି ପୂର୍ବାହ୍ଣ ସୁଦ୍ଧା ମୁଖ୍ୟମନ୍ତ୍ରୀ କିମ୍ବା ସରକାରଙ୍କ ପକ୍ଷରୁ କେହି ବିବୃତି ରଖି ନଥିଲେ। ଆଜି ପୂର୍ବାହ୍ଣରେ ଗୃହ ମୁଲତବୀ ହେଲା ପରେ ବିଜେଡି ବିଧାୟକମାନେ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତାହା ପରେ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ବରେ ବିଧାୟକମାନେ ଲଣ୍ଠନ ଧରି ବିଧାନସଭା ପରିସରରେ ବୁଲିଥିଲେ।
ଓଡ଼ିଶାର ଅଖଣ୍ଡତା ଉପରେ ପ୍ରଶ୍ନବାଚୀ ଲାଗିଥିଲା ବେଳେ ମୁଖ୍ୟମନ୍ତ୍ରୀ ଗୃହକୁ ଆସି ବିବୃତି ଦେଉନାହାନ୍ତି। ତେଣୁ ତାଙ୍କୁ ଲଣ୍ଠନ ଧରି ଖୋଜୁଛୁ ବୋଲି ଶ୍ରୀ ସାହୁ କହିଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ନିକଟକୁ ଯାଇ କବାଟ ଠକ୍ ଠକ୍ କରିବା ସହ ଲଣ୍ଠନ ଟେକି ଭିତରକୁ ଦେଖିଥିଲେ। ଚାମ୍ବର ବାହାରେ ସେମାନେ କିଛି ସମୟ ଧାରଣାରେ ବସି ନାରାବାଜି କରିଥିଲେ। ଏହା ପରେ ପୁଣି ଲଣ୍ଠନ ଧରି ସବୁ ମନ୍ତ୍ରୀଙ୍କ ଚାମ୍ବର ବୁଲି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଥିଲେ। ତେବେ ବିଜେଡିର ଏହି ପ୍ରତିବାଦର ଶୈଳୀକୁ ସମାଲୋଚନା କରିଛି ବିଜେପି। ଶାସକ ଦଳର ବିଧାୟକମାନେ କହିଛନ୍ତି ଯେ ସେମାନେ ଲଣ୍ଠନ ଧରି ବିରୋଧୀ ଦଳ ନେତାଙ୍କୁ ଖୋଜନ୍ତୁ। କାରଣ ସେ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଗୃହକୁ ଆସୁ ନଥିଲେ କି ଏବେ ବି ଆସୁ ନାହାନ୍ତି। କିନ୍ତୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁବେଳେ ଲୋକଙ୍କ ସହ ଅଛନ୍ତି। ତାଙ୍କୁ ଖୋଜିବା ଦରକାର ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/12/zuIktAc61LdMSeldyjvb.jpg)