ଜିଲ୍ଲା ନେତା ବାଛିଲା ବିଜେଡି : ୩ ମନ୍ତ୍ରୀ, ଜଣେ ସାଂସଦ, ୭ ବିଧାୟକଙ୍କୁ ଭରସା

୧୯ ସ୍ଥାନରେ ନୂଆ ମୁହଁ, ୧୪ ପୁରୁଣା

ଭୁବନେଶ୍ବରରେ ଅନନ୍ତ ନାରାୟଣ ଜେନା, ଖୋର୍ଦ୍ଧାରେ ବିଭୂତି ବଳବନ୍ତରାୟ
ସିଂହଦେଓଙ୍କ ପରିବାର ହାତରୁ ଗଲା ଜିଲ୍ଲା ନେତୃତ୍ବ

ଭୁବନେଶ୍ବର : ବିଜୁ ଜନତା ଦଳ ଆଜି ଜିଲ୍ଲା ସଂଗଠନ ମୁଖିଆ (ଜିଲ୍ଲା ସଭାପତି)ଙ୍କ ନାମ େଘାଷଣା କରିଛି। ୩୩ଟି ସାଂଗଠନିକ ଜିଲ୍ଲାରେ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ନେତାଙ୍କ ମଧ୍ୟରୁ ୧୯ଜଣ ନୂଆ ଓ ୧୪ ଜଣ ପୁରୁଣା। ତିନି ଜଣ ମନ୍ତ୍ରୀ ବଲାଙ୍ଗୀରରେ ଟୁକୁନି ସାହୁ, େଢଙ୍କାନାଳରେ ପ୍ରଫୁଲ୍ଲ ମଲ୍ଲିକ, ମୟୂରଭଂଜରେ ସୁଦାମ ମାରାଣ୍ଡି ସରକାରଙ୍କ କାର୍ଯ୍ୟ ସହ ସଂଗଠନ କଥା ବି ବୁଝିବେ। ସେହିପରି ଜିଲ୍ଲା ସଭାପତି ଭାବେ ୭ ଜଣ ବିଧାୟକ ଯଥା ରମେଶ ଚନ୍ଦ୍ର ବେହେରା (ନୟାଗଡ), ଶାରଦା ପ୍ରସାଦ ନାୟକ (ରାଉରକେଲା), ବିଜୟ ରଂଜନ ସିଂହ ବରିହା (ବରଗଡ), ଅନନ୍ତ ନାରାୟଣ ଜେନା (ଭୁବନେଶ୍ବର), ମହିଧର ରଣା (ବୌଦ୍ଧ), ପ୍ରଶାନ୍ତ ମୁଦୁଲି (ଜଗତସିଂହପୁର), କିଶୋର ମହାନ୍ତି (ଝାରସୁଗୁଡା) ଜିଲ୍ଲା ସଭାପତି ଦାୟିତ୍ବ ମୁଣ୍ଡାଇଛନ୍ତି। କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିବା କେନ୍ଦୁଝରର ମାଧବ ସର୍ଦାର ଓ ବିଜେପିରୁ ବିଜେଡି ଆସିଥିବା କେନ୍ଦ୍ରାପଡାର ଉତ୍କଳ କେଶରୀ ପରିଡାଙ୍କୁ ଦଳ ଭରସା କରି ସଂଗଠନ ଦାୟିତ୍ବ ଦେଇଛି। ଶ୍ରୀ ପରିଡା ପୂର୍ବରୁ ଚିଲିକା ଉନ୍ନୟନ କର୍ତୃପକ୍ଷ ଦାୟିତ୍ବରେ ଅଛନ୍ତି। ସେହିଭଳି ମାଧବ ସର୍ଦାର କେନ୍ଦୁଝର ସଦର ଆସନରେ ବିଜେପିର ମୋହନ ମାଝୀଙ୍କ ଠାରୁ ନିର୍ବାଚନ ହାରିଥିଲେ। କୋରାପୁଟରେ ଈଶ୍ବର ଚନ୍ଦ୍ର ପଟ୍ଟନାୟକ ବିହନ ନିଗମ ଅଧ୍ୟକ୍ଷ ଅଛନ୍ତି। ସେ ପୂର୍ବରୁ ବି ସଭାପତି ଥିଲେ।

ରାଜ୍ୟସଭା ନିର୍ବାଚନକୁ ଆଖେଇଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକକୁ ଜିଲ୍ଲା ସଂଗଠନ ଦାୟିତ୍ବ ଦିଆଯାଇଛି। ବାଲେଶ୍ବର ଜିଲ୍ଲା ସଂଗଠନ ଦାୟିତ୍ବ ପୁଣି ଥରେ ରବୀନ୍ଦ୍ର ଜେନାଙ୍କ ହାତରେ ରହିଛି। ଏହି କ୍ରମରେ ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି, କଳାହାଣ୍ଡିରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ କଟକରେ ଦେବାଶିଷ ସାମନ୍ତରାୟଙ୍କୁ ଦଳ ସଂଗଠନ ଜରିଆରେ ଆଗକୁ ଆଣିଛି। ଅନୁଗୁଳରେ ଉପବାଚସ୍ପତିଙ୍କ ରଜନୀ ସିଂଙ୍କ ନିକଟତମ ଲୋକ ବୋଲି କୁହାଯାଉଥିବା ମହେନ୍ଦ୍ର ବସ୍ତିଆ ଜିଲ୍ଲା ସଭାପତି ଦାୟିତ୍ବରେ ରହିବେ। ଯାଜପୁର ଓ କନ୍ଧମାଳରେ ସଭାପତି ପରିବର୍ତନ କରାଯାଇନାହିଁ।

ନବରଙ୍ଗପୁରରେ ସାଂସଦ ରମେଶ ମାଝୀ ଜିଲ୍ଲା ସଭାପତି ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଜଗତସିଂହପୁର ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପ୍ରତିଦ୍ବନ୍ଦ୍ବିତା ଥିଲେ ମଧ୍ୟ ଜିଲ୍ଲା ରାଜନୀତିରେ ଭାରସାମ୍ୟ ରଖିବା ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ସଂଗଠନ ଚାବି ଧରାଇ ଦିଆଯାଇଛି। ତେବେ ବଲାଙ୍ଗୀର ଜିଲ୍ଲା ସଂଗଠନ ଚାବି କଲିକେଶ ସିଂହଦେଓଙ୍କ ହାତରୁ ଖସିଛି।

ସେହିଭଳି ଭଦ୍ରକରୁ ଜଗନ୍ନାଥ ସ୍ବାଇଁ, ଦେବଗଡରୁ ରୋମାଞ୍ଚ ରଂଜନ ବିଶ୍ବାଳ, ଗଜପତି ପ୍ରଦୀପ ନାୟକ, କନ୍ଧମାଳ ସରୋଜ କର୍ଣ୍ଣ, ଯାଜପୁର ସରୋଜ ମହାପାତ୍ର, ଖୋର୍ଧା ବିଭୂତି ଭୂଷଣ ବଳବନ୍ତରାୟ, ମାଲକାନଗିରି ପୂର୍ଣ୍ଣଚନ୍ଦ୍ର ବାକା, ମୟୂରଭଂଜ ସଦର କାଶୀନାଥ ହେମ୍ବ୍ରମ୍, ନୂଆପଡାରେ ମନୋଜ ମିଶ୍ର, ରାୟଗଡାରେ ସୁଧୀର ଦାସ, ସମ୍ବଲପୁରରେ ସିଦ୍ଧାର୍ଥ ଦାସ, ସୋନପୁରରେ ସରୋଜ କମ୍ପ ଓ ସୁନ୍ଦରଗଡରେ ବିୟନ ଟପ୍ପୋ ବିଜେଡି ସଭାପତି ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଦଳର ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ସର୍ତରେ କହିଛନ୍ତି ଯେ ସବୁ ନାମ ଉପରେ ଜିଲ୍ଲାରେ ସହମତି ହୋଇଛି ଓ ଦୀର୍ଘ ଦିନ ଧରି ଏହି ପ୍ରକ୍ରିୟା ଜାରି ରହିଥିଲା।

ଆସନ୍ତା ୨୩ ତାରିଖ ଦିନ ରାଜ୍ୟ ପରିଷଦ, କାର୍ଯ୍ୟକାରୀ କମିଟି ଓ ସଭାପତି ଲାଗି ମନୋନୟନ ହେବ। ବିଭିନ୍ନ ଜିଲ୍ଲାର ଆଉ କିଛି ବରିଷ୍ଠ ପଦାଧିକାରୀଙ୍କୁ ରାଜ୍ୟ ସଂଗଠନ ଦାୟିତ୍ବ ଦିଆଯିବ। ୨୬ ତାରିଖରେ ଦଳର ନିର୍ବାଚନ ପ୍ରକ୍ରିୟା ଚୂଡାନ୍ତ ହେବ।

ସମ୍ବନ୍ଧିତ ଖବର