ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ଏକ ବର୍ଷର ସଫଳତାକୁ ସରକାରୀ ଭାବେ ଜୋର୍ଦାର ପ୍ରଚାର ପ୍ରସାର କରାଯାଉଛି। ଅପର ପକ୍ଷରେ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଛି ବିଜେଡି। ଆଜି ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ ଛକରେ ଅଭିନବ ଉପାୟରେ ସରକାରଙ୍କ ଏକ ବର୍ଷର ବିଫଳତାକୁ ପ୍ରଦର୍ଶନ କରାଯାଇଥିଲା। ବିଜେଡିର ବିଧାୟକ, ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳର ପ୍ରାର୍ଥୀଙ୍କ ସହ ବହୁ ନେତା ହାତଲେଖା ପ୍ଲାକାର୍ଡ ପ୍ରଦର୍ଶନ କରି ବିକ୍ଷୋଭ କରିଥିଲେ।
ଗତ ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନରେ ରାଜ୍ୟ ସରକାର କିପରି ବିଫଳ ହୋଇଛନ୍ତି, ତାହାକୁ ହାତଲେଖା ପ୍ଲାକାର୍ଡ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏହା ଛଡ଼ା, ଗତ ଏକ ବର୍ଷରେ ଆଇନଶୃଙ୍ଖଳା ପରିସ୍ଥିତି କିପରି ବିପର୍ଯ୍ୟସ୍ତ ହୋଇ ପଡ଼ିଛି, ବିଶେଷକରି ଦୁଷ୍କର୍ମ ଓ ମହିଳାଙ୍କ ବିରୋଧରେ ଅପରାଧର ଅହେତୁକ ବୃଦ୍ଧିକୁ ଦର୍ଶାଯାଇଥିଲା। ରାଜ୍ୟ ସ୍ୱାର୍ଥ ସହିତ ଜଡ଼ିତ ଥିବା ପ୍ରତିଟି ପ୍ରସଙ୍ଗ ଯଥା, କେନ୍ଦ୍ରୀୟ ଅନୁଦାନରେ ହ୍ରାସ, ଅତ୍ୟାବଶକୀୟ ଜିନିଷର ଅହେତୁକ ଦରଦାମ ବୃଦ୍ଧି, ଶ୍ରୀମନ୍ଦିରରେ ଅବ୍ୟବସ୍ଥା, ଓବିସି, ଏସ୍ଟି ଏସ୍ସି ବର୍ଗର ଲୋକଙ୍କ ସ୍ୱାର୍ଥ ପ୍ରତି ଅଣଦେଖା, ଓଡ଼ିଆ ଅସ୍ମିତା ପ୍ରତି କୁଠାରାଘାତ, ବିଏସ୍କେୱାଇ ବଦଳରେ ଆୟୁଷ୍ମାନରୁ ଯନ୍ତ୍ରଣା ଇତ୍ୟାଦି ମୁଖ୍ୟତଃ ପ୍ଲାକାର୍ଡରେ ସ୍ଥାନ ପାଇଥିଲା। ଗତ ଏକ ବର୍ଷର ସରକାର ଏହି ସମସ୍ତ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ କେବଳ ନବୀନ ସରକାରଙ୍କ ଅମଳର କିଛି ନାମ ଓ ରଙ୍ଗ ପରିବର୍ତ୍ତନ ସରକାର ସାଜିଛନ୍ତି ବୋଲି ପ୍ଲାକାର୍ଡରେ ଦର୍ଶାଯାଇଥିଲା।
ବିକ୍ଷୋଭ ପ୍ରଦର୍ଶନ ସମୟରେ ବିଜେଡି ନେତାମାନେ ବାରିକେଡ୍ ଉପରେ ଚଢ଼ିଯାଇଥିଲେ। ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ କିଛି ସମୟ ପାଇଁ ବିଜେଡି ନେତା ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ କହିଥିଲେ, ଏ ସରକାର ସବୁ କ୍ଷେତ୍ରରେ ବିଫଳ। ସରକାର କହୁଛନ୍ତି ବର୍ଷ ଏକ, ଉପଲବ୍ଧି ଅନେକ। କିନ୍ତୁ ବାସ୍ତବରେ ବର୍ଷ ଏକ, ବିଫଳତା ଓ ପ୍ରତାରଣା ଅନେକ। ଶିଶୁ ସରକାର କଣ କରୁଛନ୍ତି ଆମେ ଅପେକ୍ଷା କରିଥିଲୁ। ସମସ୍ତେ ଅନୁଭବ କରୁଛନ୍ତି ଯେ ସରକାର କାମ କରୁ ନାହାନ୍ତି। ବର୍ଷ ଯାକ ଖାଲି ମେଳା, ମହୋତ୍ସବ, ଭାଷଣବାଜି କରୁଛନ୍ତି। ଆମର ଲଢ଼େଇ ଆଜିଠାରୁ ଆରମ୍ଭ ହେଲା। ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଦେବୀରଂଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ, ସୁଲତା ଦେଓ, ସୁଶାନ୍ତ ରାଉତ, ଧ୍ରୁବ ସାହୁ, ଗୌତମବୁଦ୍ଧ ଦାସ, ପ୍ରୀତିରଞ୍ଜନ ଘଡ଼ାଇ, ସଂତୃପ୍ତ ମିଶ୍ର, ମନ୍ମଥ ରାଉତରାୟ, ସ୍ନେହାଙ୍ଗିନୀ ଛୁରିଆ ଓ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ହୋଇଥିଲେ।