ବାଲେଶ୍ବର: ବିଜେଡି ସମର୍ଥିତ ବାଲେଶ୍ବର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଅଧ୍ୟକ୍ଷ ଅମ୍ବିକା ଦାସଙ୍କ ବିରୋଧରେ ଆଜି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ଖୋଦ୍‌ ଦଳୀୟ କାଉନ୍‌ସିଲର୍‌। ସୋମବାର ସଂଧ୍ୟାରେ ଏ ନେଇ ୧୧ ଜଣ କାଉନ୍‌ସିଲର୍‌ ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ଭେଟି ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ବିଜେଡିର ନେତୃତ୍ବ ନେଉଥିବା ସନ୍ତୋଷ ଖଟୁଆଙ୍କୁ ଟିକେଟ୍‌ ନମିଳିବା, ପରେ ଶ୍ରୀ ଖଟୁଆ ବିଜେପିକୁ ଫେରିଯିବା ଏବଂ ତାଙ୍କ ନେତୃତ୍ବରେ ଜିତିଥିବା ବିଜେଡି କାଉନ୍‌ସିଲର୍‌ମାନେ ଜଣକ ପରେ ଜ‌ଣେ ବିଜେପିରେ ମିଶିଯିବା ପରେ ଏବେ ଏନ୍‌ଏନ୍‌ସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବାକୁ ନେଇ ନୀଳଗିରି ବିଜେଡି ଦୁଇଫାଳ ହୋଇଥିବା ଜଣାପଡ଼ିଛି।

Advertisment

୨୦୨୨ ପୌର ନିର୍ବାଚନରେ ୧୩ ଆସନ ବିଶିଷ୍ଟ ନୀଳଗିରି ଏନ୍‌ଏସିରେ ବିଜେଡିକୁ ୮, ବିଜେପିକୁ ୩, କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ୱାର୍ଡରେ ବିଜୟୀ ହୋଇଥିଲେ। ସେହିପରି ଅଧ୍ୟକ୍ଷ ପଦରେ ମଧ୍ୟ ବିଜେଡି ପ୍ରାର୍ଥୀ ଅମ୍ବିକା ଦାସ ବିଜୟୀ ହୋଇଥିଲେ। ତେବେ, ଦଳକୁ ଉଭୟ ବ୍ଲକ୍‌ ଏବଂ ଏନ୍‌ଏସିରେ ବିପୁଳ ବିଜୟ ଆଣି ଦେଇଥିବା ବିଧାୟକ ଆଶାୟୀ ସନ୍ତୋଷ ଖଟୁଆଙ୍କୁ କିନ୍ତୁ ୨୦୨୪ରେ ବିଜେଡି ପ୍ରାର୍ଥୀ କରିନଥିଲା। ୨୦୧୪ରେ ବିଜେଡିରୁ ବିଧାୟକ ଜିତି ୨୦୧୯ ନିର୍ବାଚନରେ ବିଜେପିକୁ ଯାଇ ପୁଣିଥରେ ନିର୍ବାଚିତ ହୋଇଥିବା ସୁକାନ୍ତ ନାୟକଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ସନ୍ତୋଷଙ୍କ ସମେତ ନୀଳଗିରି ଏନ୍‌ଏସି ସମେତ ବ୍ଲକ୍‌ରୁ ବହୁ ନିର୍ବାଚିତ ସଦସ୍ୟ ବିଜେପିରେ ମିଶିଗଲେ। ଏବେ ଏନ୍‌ଏସିରେ ମାତ୍ର ୩ ଆସନ ଜିତିଥିବା ବିଜେପିର ଆସନ ସଂଖ୍ୟା ୧୧ ହୋଇଛି। ଫଳରେ ଦଳର ସଂଖ୍ୟା ଗରିଷ୍ଠତା ରହିଥିବାରୁ ଏବେ ନୀଳଗିରି ଏନ୍‌ଏସି ଅଧ୍ୟକ୍ଷ ଆସନ ହାତେଇବାକୁ ବିଜେପି ନଜର ପକାଇଛି।

ଆଜି ସଂଧ୍ୟାରେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସଙ୍କ ସହ ୯ ଜଣ କାଉନ୍‌ସିଲର୍‌ ଜିଲ୍ଲାପାଳଙ୍କୁ ଭେଟି ଏନ୍‌ଏସି ଅଧ୍ୟକ୍ଷ ଅମ୍ବିକା ଦାସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି। ଏହି ଅନାସ୍ଥା ପ୍ରସ୍ତାବରେ ୧୧ ଜଣ କାଉନ୍‌ସିଲର୍‌ଙ୍କ ଦସ୍ତଖତ ରହିଥିବା ଦେଖାଯାଇଛି।