କେନ୍ଦ୍ର ସରକାର ପୁନର୍ବିଚାର ନକଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜେଡିର ରାଜଭବନ ସମ୍ମୁଖରେ ଧାରଣା

ଭୁବନେଶ୍ୱର: : କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି କରିବା ଦାବିରେ ଆଜି ବିଜେଡି କୃଷକ ସାମ୍ମୁଖ୍ୟ ପକ୍ଷରୁ ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିଜେଡିର ବରିଷ୍ଠ ନେତାମାନେ ଏହି ବିକ୍ଷୋଭରେ ସାମିଲ୍‌ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ସ୍ୱାମୀନାଥନ୍‌ କମିସନ ଧାନ ଚାଷୀକୁ ଖର୍ଚ୍ଚର ଦେଢଗୁଣା ଅର୍ଥ ଦେବାକୁ ସୁପାରିସ୍‌ କରିଥିଲେ ହେଁ କେନ୍ଦ୍ର ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ଏପରିକି ରାଜ୍ୟରେ ଚାଷୀ କ୍ୱିଣ୍ଟାଲ ଧାନ ଅମଳ ପାଇଁ ୨୩୪୪ଟଙ୍କା ଖର୍ଚ୍ଚ କରୁଥିବାବେଳେ ସ୍ୱାମୀନାଥନ୍‌ କମିସନ ସୁପାରିସ ଅନୁଯାୟୀ ୨୯୩୦ଟଙ୍କା ପାଇବାକୁ ଯୋଗ୍ୟ। କିନ୍ତୁ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କହୁଛି ଯେ, କ୍ୱିଣ୍ଟାଲ ଧାନ ଅମଳ ପାଇଁ ୧୩୨୭ଟଙ୍କା ଖର୍ଚ୍ଚ ହେଉଥିବାବେଳେ ୧୫୫୦ଟଙ୍କା ଦେବା ଯଥାର୍ଥ। ଆଉ ଧାନର ଏମ୍‌ଏସ୍‌ପି ବଢ଼ାଇ ହେବନି। କୃଷି ମନ୍ତ୍ରଣାଳୟ କେବଳ କୃଷକଙ୍କୁ କୁଠାରଘାତ କରୁନି, ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିକୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ନଦେବା କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ମନୋଭାବ ଜଣାପଡ଼ୁଛି ବୋଲି ବିଜେଡି କହିଛି।

ସେହିପରି କେନ୍ଦ୍ର ସରକାର ଚାଷୀ ବିରୋଧୀ ଆଭିମୁଖ୍ୟରେ ପରିବର୍ତ୍ତନ ନ ଆଣିଲେ ୩୦ଟି ରାଜ୍ୟରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଂଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଶଶୀ ଭୂଷଣ ବେହେରା, ପ୍ରଫୁଲ୍ଲ ସାମଲ, ସରକାରୀ ମୁଖ୍ୟ ସଚେତକ ଅମର ଶତପଥୀ କହିଛନ୍ତି।

ବିଜେଡି ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ପରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ବିଜେଡି କୃଷି ସାମ୍ମୁଖ୍ୟ ପକ୍ଷରୁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସଭାପତିତ୍ୱରେ ଏହି ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏଥିରେ ବିଜେଡିର ବହୁ ବରିଷ୍ଠ ନେତା, ମନ୍ତ୍ରୀ, ବିଧାୟକ, ଯୁବ ବିଜେଡି ଓ ଛାତ୍ର ବିଜେଡିର ନେତାମାନେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର