ଜବାବ ଦେଲା ବିଜେଡି, କେନ୍ଦ୍ରର ନୀତି କ’ଣ?

ଭୁବନେଶ୍ୱର: ଅସହାୟ ଚାଷୀଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରିନାହାନ୍ତି। ଏପରିସ୍ଥଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ରାଜନୈତିକ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ନିରୋଳା ବାହାସ୍ଫୋଟ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ବିଜେଡି ଅଭିଯୋଗ କରିଛି।

ବିଜେଡି ମୁଖପାତ୍ର ସାଂସଦ ପ୍ରତାପ କେଶରୀ ଦେବ କହିଥିଲେ, କେନ୍ଦ୍ରମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍‌ କରିବା ପୂର୍ବରୁ ବିଜେପି ଶାସିତ ରାଜ୍ୟରେ କାହିଁକି ଚାଷୀ ଆତ୍ମହତ୍ୟା ସର୍ବାଧିକ ତା’ର ଆଗୁଆ ସ୍ପଷ୍ଟୀକରଣ ଦେବା ଜରୁରି। ବିଜେପି ଶାସିତ ମହାରାଷ୍ଟ୍ରରେ ହଜାର ହଜାର ସଂଖ୍ୟାରେ ଚାଷୀ ପ୍ରତିବର୍ଷ ଆତ୍ମହତ୍ୟା କରୁଛନ୍ତି। ଏହାର ସ୍ଥାୟୀ ସମାଧାନ ଦିଗରେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ସାମାନ୍ୟତମ ପନ୍ଥା ବି ନିର୍ଦ୍ଧାରଣ କରିନାହାନ୍ତି। ବରଂ ଯେଉଁ ରାଜ୍ୟ ସରକାର କୃଷିଋଣ ଛାଡ଼ିବା ପାଇଁ ଦାବି କରୁଛନ୍ତି, କେନ୍ଦ୍ର ସରକାର ନିଜ ମୁଣ୍ଡ ଦାୟିତ୍ୱ ଓହ୍ଲାଇବା ପାଇଁ ତାହାକୁ ରାଜ୍ୟ ବ୍ୟାପାର ବୋଲି ଅଭିହିତ କରିଆସୁଛନ୍ତି।

ବିଜେଡି ଅଭିଯୋଗ କରିଛି ଯେ ରାଜ୍ୟର ୯୦ ପ୍ରତିଶତରୁ ଅଧିକ ଚାଷୀ କୃଷିଋଣ ପାଇଁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଉପରେ ନିର୍ଭର କରନ୍ତି। ସେମାନେ ଜାତୀୟକରଣ ବ୍ୟାଙ୍କର କୃଷିଋଣ ନେଇନଥାନ୍ତି। ବିଡମ୍ବନା ଏହି ଯେ ଜାତୀୟକରଣ ବ୍ୟାଙ୍କଗୁଡିକ ଦେଉଥିବା କୃଷିଋଣର ସୁଧ ସବ୍‌ସିଡି କେନ୍ଦ୍ର ସରକାର ବହନ କରୁଥିବା ବେଳେ ମାତ୍ର ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ କୃଷିଋଣ ନେଉଥିବା ସମବାୟ ବ୍ୟାଙ୍କ ପାଇଁ କେନ୍ଦ୍ର ସରକାର ସେହି ସୁଧ ସବ୍‌ସିଡି ଏ ପର୍ଯ୍ୟନ୍ତ ଭରଣା କରୁନାହାନ୍ତି। ରାଜ୍ୟ ସରକାର ଚାଷୀଙ୍କୁ ୧% ସୁଧ ହାରରେ କୃଷି ଋଣ ଯୋଗାଇବା ପାଇଁ ୫%ରୁ ଅଧିକ ସୁଧ ସବ୍‌ସିଡି ଭରଣା କରିବାକୁ ପଡୁଛି। ମୁଖ୍ୟମନ୍ତ୍ରୀ ବିଗତ ୧୦ବର୍ଷ ଧରି ଏହି ଦାବି ଉଠାଇ ଆସୁଥିଲେ ହେଁ କେନ୍ଦ୍ର ସେ ବିଷୟରେ କର୍ଣ୍ଣପାତ କରୁନାହାନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କର ଯଦି ବାସ୍ତବରେ ଓଡ଼ିଶାର ଦୁର୍ଦ୍ଦଶାଗ୍ରସ୍ତ ଚାଷୀଙ୍କ ପ୍ରତି ଦରଦ ଥାଏ, ତେବେ ପ୍ରଥମେ କୃଷିଋଣର ସୁଧ ସବ୍‌ସିଡି ସମବାୟ ବ୍ୟାଙ୍କକୁ ଦେବାକୁ ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ଦେବ କହିଛନ୍ତି।

ବିଜେଡି ପ୍ରଶ୍ନ କରିଛି ସୁପ୍ରିମକୋର୍ଟଙ୍କ କ୍ରମାଗତ ତାଗିଦ ସତ୍ତ୍ୱେ କେନ୍ଦ୍ର ୩ବର୍ଷ ହେଲା ଚାଷୀଙ୍କ ସମସ୍ୟା ସମାଧାନ ନକରି ଚୁପ୍‌ ରହିଛନ୍ତି କାହିଁକି? ସଂସଦରେ ଚାଷୀଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିବାକୁ ବିଜେପି ସରକାର କୁଣ୍ଠିତ କାହିଁକି?

ସମ୍ବନ୍ଧିତ ଖବର