ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ବୃତ୍ତି ଅର୍ଥ କଟାଯିବାର ପ୍ରତିବାଦ : ୨୪ରେ ରାଜଭବନ ସମ୍ମୁଖରେ ବିଜେଡିର ପ୍ରତୀକ ଅନଶନ

ଭୁବନେଶ୍ବର : ଅନୁସୂଚିତ ଛାତ୍ରଛାତ୍ରୀଙ୍କ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ ପ୍ରଦାନ କରାଯାଉଥିବା ଅର୍ଥରୁ କେନ୍ଦ୍ର ସରକାର ତାଙ୍କ ଅଂଶକୁ ଗତ ବର୍ଷ ଠାରୁ କମାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ପ୍ରତିବାଦରେ କେନ୍ଦ୍ରକୁ ଚିଠି ଲେଖିଲା ପରେ ବିଧାନସଭାରେ ବିଜେଡି ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇଥିଲେ। ଏବେ ବିଜେଡି ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିଛି। ଆସନ୍ତା ୨୪ ତାରିଖରେ ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ୧୨ ଘଣ୍ଟିଆ ପ୍ରତୀକ ଅନଶନ କରାଯିବ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ କୁହାଯାଇଛି, ରାଜ୍ୟରେ ପ୍ରାୟ ୨ ଲକ୍ଷ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାଟ୍ରିକ ପରବର୍ତ୍ତୀ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଏହି ଛାତ୍ରଛାତ୍ରୀଙ୍କ ଉଚ୍ଚତ୍ତର ଶିକ୍ଷା ପାଇଁ କେନ୍ଦ୍ର ପ୍ରାୟୋଜିତ ମେଧାବୃତ୍ତି ବ୍ୟବସ୍ଥା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ହୋଇଆସୁଛି। ଏହି ବ୍ୟବସ୍ଥାରେ କେନ୍ଦ୍ର ୯୦ ପ୍ରତିଶତ ଆର୍ଥିକ ବ୍ୟବସ୍ଥାରେ ସହଯୋଗ ରଖୁଥିଲା। କିନ୍ତୁ ୨୦୧୭-୧୮ ଆର୍ଥିକ ବର୍ଷରୁ ହଠାତ କେନ୍ଦ୍ର ସରକାର ଏହି ବ୍ୟବସ୍ଥାର ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ କରି ରାଜ୍ୟ ସରକାରଙ୍କ ଉପରେ ୮୦ ପ୍ରତିଶତରୁ ଅଧିକ ଆର୍ଥିକ ବୋଝ ଲଦି ଦେଇଛନ୍ତି। ଏହା ସମଗ୍ର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପ୍ରତି ଚରମ ଅନ୍ୟାୟ। ଫଳତଃ ଏହି ବର୍ଗର ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ୨୦୧୭-୧୮ ବର୍ଷରେ ମେଧାବୃତ୍ତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ୨୩୮.୨୮ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ଆର୍ଥିକ ବୋଝକୁ ଲାଘବ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କ୍ଷେତ୍ରରେ ଯେଉଁ ଅଂଶ ପରିବର୍ତ୍ତନ ନିଷ୍ପତ୍ତି ନେଇ ନିଜ ମୁଣ୍ଡରୁ ବୋଝ ହଟାଇଛନ୍ତି, ତାହା ରାଜ୍ୟ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। କେନ୍ଦ୍ରର ଏପରି ବୈମାତୃକ ମନୋଭାବ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରର ନିଷ୍ଠା ଓ ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିର ପୁନର୍ବିଚାର କରି ପୂର୍ବ ପରି କେନ୍ଦ୍ର-ରାଜ୍ୟ ଅଂଶ ୯୦:୧୦ ପ୍ରଚଳନ ପାଇଁ ବିଜେଡି ଦାବି କରିଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶଶିଭୂଷଣ ‌ବେହେରା, ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ପଦ୍ମନାଭ ବେହେରା, ଲାଲବିହାରୀ ହିମିରିକା ଓ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର