ପୁରୀ: ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ପୁରୀ ଜିଲ୍ଲାରେ ଆଜି ୬ ଘଣ୍ଟିଆ ହରତାଳ କରିଥିଲା ବିଜେଡି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦିଆଯାଇଥିବା ଏହି ଡାକରା ଯୋଗୁ ସାଧାରଣ ପରିବହନ, ସରକାରୀ କାର୍ଯ୍ୟାଳୟ ଓ ଦୋକାନ ବଜାର ପ୍ରଭୃତି ବନ୍ଦ ରହିଥିବା ଦେଖାଯାଇଛି। ସାରା ଜିଲ୍ଲାରେ ବିଜେଡି କର୍ମୀମାନେ ହରତାଳ ସହ ପିକେଟିଂ କରି ସାଧାରଣ ଜୀବନଯାତ୍ରାରେ ବ୍ୟାଘାତ ପହଞ୍ଚାଇଥିଲେ। ରେଳଷ୍ଟେସନ୍ରୁ ଆରମ୍ଭ କରି ବସ୍ଷ୍ଟାଣ୍ଡ, କୋର୍ଟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମ୍ୟୁନିସିପାଲିଟି, ବ୍ୟାଙ୍କ୍, ପେଟ୍ରୋଲ୍ ଟାଙ୍କି ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରଭୃତିରେ ପିକେଟିଂ କରିବାରୁ କିଛି ସମୟ ପାଇଁ ଜନଜୀବନ ପ୍ରଭାବିତ ହୋଇଥିଲା। ୧୨ଟା ପର୍ଯ୍ୟନ୍ତ ହରତାଳ ଡାକରା ଦିଆଯାଇଥିଲେ ମଧ୍ୟ ୧୧ଟାରୁ ଜୀବନଯାତ୍ରା ସ୍ବାଭାବିକ ହୋଇଥିଲା। ତେବେ ଆଜି ହରତାଳରେ ବିଜେଡିରେ ଦୁଇ ଗୋଷ୍ଠୀ ଦେଖିବାକୁ ମିଳିଛି। ଲଢ଼େଇ ବେଳେ ବି ଦୁଇ ଗୋଷ୍ଠୀ ଏକାଠି ହୋଇ ପାରିନାହାନ୍ତି। ଗୋଟିଏ ପଟେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ (ଲକି) ଓ ଅନ୍ୟପଟେ ବିଧାୟକ ସୁନୀଲ ମହାନ୍ତି ତାଙ୍କ ସମର୍ଥକଙ୍କୁ ନେଇ ହରତାଳ କରିଛନ୍ତି। ଅଠରନଳା ନିକଟରେ ସୁନୀଲ ମହାନ୍ତିଙ୍କ ସହ ବ୍ଲକ୍ ଅଧ୍ୟକ୍ଷ ଦିବାକର ପାତ୍ର, ପୂର୍ବତନ କାଉନସିଲର୍ ଘନଶ୍ୟାମ ମର୍ଦ୍ଦରାଜ, ଭକ୍ତଚରଣ ଦାସ, ପୂର୍ବତନ ପୌରାଧ୍ୟକ୍ଷା ଶାନ୍ତିଲତା ପ୍ରଧାନ, ବୀରେନ୍ଦ୍ର ଭୂଷଣ ହୋତା ପ୍ରମୁଖ ହରତାଳ କରିଥିବା ବେଳେ ଲକିଙ୍କ ପାଖରେ ଗୌରହରି ପ୍ରଧାନ, ରବିଶଙ୍କର ପ୍ରତିହାରୀ, କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଭଗବାନ ପଢିହାରୀ, ସାଗର ପାତ୍ର, ରାଜେଶ ତ୍ରିପାଠୀ, ଅସିତ ମେକାପ, ଅଜୟ ସ୍ବାଇଁ, ଲିଟି ମିଶ୍ର, ବିଶ୍ବକେତନ ଦାସ, ହୁରି ମହାନ୍ତି, ବାବୁଲି ବାରିକଙ୍କ ଭଳି ଯୁବଗୋଷ୍ଠୀଙ୍କ ପ୍ରବଳ ଭିଡ଼ ହୋଇଥିଲା।
ଲଢ଼େଇବେଳେ ବି ଏକାଠି ହେଲେନି
ଭିନ୍ନ ଭିନ୍ନ ଜାଗାରେ ହରତାଳ କଲେ ଦୁଇଗୋଷ୍ଠୀ
ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ ଭାରସାମ୍ୟ ରକ୍ଷା କରିବା ପାଇଁ ଉଭୟଙ୍କ ପାଖରେ କିଛି କିଛି ସମୟ ଦେଇଥିଲେ। ଲକି କହିଛନ୍ତି, ପୀଡ଼ିତାଙ୍କ ବାରମ୍ବାର ବୟାନ ରେକର୍ଡ କରିବା ବାହାନାରେ ପୁଲିସ ବିଜେପିର ଗୁପ୍ତ ଏଜେଣ୍ଡାକୁ କାର୍ଯ୍ୟକାରୀ କରିଛି। ପରିବାର ଉପରେ ଚାପ ପକାଇ ବୟାନ ବଦଳାଇବା ପାଇଁ ବାଧ୍ୟ କରିଛି। ଫଳରେ ଘଟଣାର ମୋଡ଼ ବଦଳାଇ ଦିଆଯାଇଛି। ପୁଲିସ ଏଥିରେ କେହି ସମ୍ପୃକ୍ତ ନଥିବା କହିଛି। ଘଟଣାରେ ସରକାର ସତ୍ୟ ଲୁଚାଇବା ପାଇଁ ଚାହିଛନ୍ତି। ଏଣୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ସହ ବିଫଳ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଅଭିଯୁକ୍ତ ଯେଉଁ ଦଳରୁ ବି ହୁଅନ୍ତୁ, ପୁଲିସ ଗୋଡ଼େଇ ଗୋଡ଼ଇ ଧରୁ ବୋଲି ପୁରୀ ବିଧାୟକ ସୁନୀଲ ମହାନ୍ତି କହିଛନ୍ତି। ସେ କହିଛନ୍ତି ସାଧାରଣ ଲୋକର ମୌଳିକ ଅଧିକାର ହେଉଛି ସୁରକ୍ଷା। କିନ୍ତୁ ସରକାର ତାହା ଦେବାପାଇଁ ବିଫଳ ହୋଇଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡିଛି। ଏଭଳି ଘଟଣାର ପୁନରାବୃତ୍ତି ନ ହେଉ ବୋଲି ସେ କହିଛନ୍ତି। ସକାଳୁ ସକାଳୁ ବାଇକ୍ ଶୋଭାଯାତ୍ରାରେ ଯାଇ କର୍ମୀମାନେ ପିକେଟିଂ କରିବାରୁ ଯାତ୍ରୀବାହୀ ବସ୍ଗୁଡ଼ିକ ପ୍ରଭାବିତ ହୋଇଥିଲେ। ଘରୋଇ ବସ୍ ସକାଳୁ ଚଳାଚଳ କରିପାରି ନଥିଲା। ରେଳ ଚଳାଚଳରେ କୌଣସି ପ୍ରଭାବ ପଡ଼ି ନଥିବା କର୍ତ୍ତୃପକ୍ଷ କହିଥିଲେ। ଅନ୍ୟ କୌଣସି ଯାନବହାନ ଚଳାଚଳରେ ପ୍ରଭାବ ପଡ଼ିନଥିଲା। ୧୧ଟା ପରେ ପରେ ସବୁ ଦୋକାନ ବଜାର ଖୋଲି ଯାଇଥିଲା। କେବଳ କୋର୍ଟକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/08/sfsfxcxc-2025-08-08-02-38-36.jpg)