ଜୀବନ ନେଇଗଲା ପ୍ରେମ! ଛାତ୍ର ବିଜେଡି ନେତାଙ୍କ ସନ୍ଦେହଜନକ ମୃତ୍ୟୁ

ପ୍ରେମିକା ପରିବାର ବିରୋଧରେ ହତ୍ୟା ଅଭିଯୋଗ, ହତ୍ୟାକାରୀମାନଙ୍କୁ ଗିରଫ ଦାବିରେ ରାଜପଥ ଅବରୋଧ

ଭୁବନେଶ୍ୱର : ଜୀବନ ନେଇଗଲା କି ପ୍ରେମ! ଶନିବାର ବିଳମ୍ବିତ ରାତିରେ ଛାତ୍ର ବିଜେଡି ନେତା ଅବକାଶ ପାଇକରାୟଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ସହିଦ ନଗର ଥାନା ଅନ୍ତର୍ଗତ ଭିଏସ୍ଏସ୍ ନଗର ମହାବୀର ବସ୍ତି ଅଞ୍ଚଳରେ ରହୁଥିବା ଅବକାଶ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ୪ ଘଣ୍ଟା ସଂଗ୍ରାମ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି। ଜଣେ ଯୁବତୀଙ୍କ ସହ ଦୀର୍ଘ ଦିନ ଧରି ସମ୍ପର୍କ ରଖିବା ପରେ ପରିବାର କଥାରେ ପଡ଼ି ଧୋକା ଦେଇଥିବାରୁ ଅବକାଶଙ୍କୁ ପ୍ରେମିକା ପରିବାର ଲୋକେ ତାଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ବାପା ଭାସ୍କର ପାଇକରାୟଙ୍କ ଅଭିଯୋଗକ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅବକାଶ ପାଠ ପଢ଼ିବା ସମୟରେ ରାଜସୁନାଖଳା କଲେଜର ଛାତ୍ର ସଂସଦ ସଭାପତି ଥିଲେ। ଆଜି ତାଙ୍କର ମୃତ୍ୟୁଖବର ପ୍ରଚାରିତ ହେବା ପରେ କ୍ୟାପିଟାଲ ହସ୍‌ପିଟାଲରେ ଶତାଧିକ ଶୁଭେଚ୍ଛୁଙ୍କ ସହ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିଥିଲା। ଅନ୍ୟପକ୍ଷରେ ଅବକାଶଙ୍କ ପ୍ରେମିକା ଏଭଳି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି।

ପୁଲିସ ସୂଚନାନୁସାରେ, ଅବକାଶଙ୍କ ଘର ନୟାଗଡ଼ ଜିଲ୍ଲା ରାଜସୁନାଖଳା ଅନ୍ତର୍ଗତ ନରେନ୍ଦ୍ରପୁରର ଗ୍ରାମରେ। ସେ ରାଜ୍ୟ ସଂଗ୍ରହାଳୟରେ ଚାକିରି କରୁଥିଲେ। ଭିଏସ୍‌ଏସ୍‌ ନଗର ମହାବୀର ବସ୍ତିରେ ରହୁଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରେ ମାନ୍ୟୁସ୍କ୍ରିପ୍ଟରେ ପିଏଚ୍‌ଡି କରୁଥିବା ଜଣେ ଛାତ୍ରୀ ଏହି ସଂଗ୍ରହାଳୟରେ ଗବେଷଣା କରୁଥିଲେ। ଉଭୟଙ୍କର ସେଠାରେ ଦେଖା ସାକ୍ଷାତ ହେବା ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବେଶ୍‌ କିଛି ଦିନର ସମ୍ପର୍କ ପରେ ଉଭୟ ବିବାହ କରିବା ପାଇଁ ଇଚ୍ଛା କରିଥିଲେ। ଉଭୟ ଉଭୟଙ୍କ ପରିବାର ସହ ଏ ବାବଦରେ କଥା ହୋଇଥିଲେ। କିନ୍ତୁ ପାରିବାରିକ ସମସ୍ୟାରୁ ବିବାହ ସମ୍ଭବ ହୋଇ ପାରିନଥିଲା। ଏଣୁ ଉଭୟ ଗତ ଫେବ୍ରୁଆରି ମାସରେ ରେଜିଷ୍ଟ୍ରି ମ୍ୟାରେଜ୍‌ କରିଥିଲେ। କିନ୍ତୁ ସାମାଜିକ ସ୍ବୀକୃତି ପାଇଁ ବୈଦିକ ରୀତିରେ ବିବାହ କରିବା ପାଇଁ ଉଭୟ ପରିବାରବର୍ଗଙ୍କୁ ବୁଝାଉଥିଲେ।

ଗତ ସନ୍ଧ୍ୟାରେ ଅବକାଶଙ୍କ ପରିବାରବର୍ଗ ଭୁବନେଶ୍ବର ଆସିଥିଲେ। ପରିବାର ଲୋକେ ଘରକୁ ଫେରିବାର ଦୁଇ ଘଣ୍ଟା ପରେ ଅବକାଶ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଖବର ଆସିଥିଲା। ଘରେ ପହଞ୍ଚୁ ପହଞ୍ଚୁ ଅବକାଶଙ୍କ ବାପା ଭାସ୍କର ଓ ତାଙ୍କ ପତ୍ନୀ ପୁଣି ଥରେ ଭୁବନେଶ୍ବର ଫେରିଥିଲେ। ସେତେବେଳକୁ କ୍ୟାପିଟାଲ ହସ୍‌ପିଟାଲରେ ଗୁରୁତର ଅବସ୍ଥାରେ ଅବକାଶ ପଡ଼ିଥିଲେ। ମୁଣ୍ଡରେ ଗଭୀର କ୍ଷତ ଥିବାବେଳେ ନାକରୁ ରକ୍ତସ୍ରାବ ହେଉଥିଲା। ବେକରେ ଦାଗ ରହିଥିଲା। ଶରୀରର ବିଭିନ୍ନ ସ୍ଥାନରେ ମଧ୍ୟ ମାଡ଼ ହେବା ଭଳି ଦାଗ ରହିଥିଲା। ଏଭଳି ସ୍ଥିତି ଦେଖି ତାଙ୍କୁ ଏକ ଘରୋଇ ହସ୍‌ପିଟାଲକୁ ନିଆ ଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନେ ପୁଣି ଥରେ କ୍ୟାପିଟାଲ ହସ୍‌ପିଟାଲ ନେଇ ଆସିଥିଲେ। ସେଠାରେ ଡାକ୍ତର ଅବକାଶଙ୍କୁ ମୃତ ‌ଘୋଷଣା କରିଥିଲେ। ‌

ଅନ୍ୟପକ୍ଷରେ ଅବକାଶଙ୍କ ପ୍ରେମିକା ହସ୍ପିଟାଲ ଯାଇଥିଲେ। ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ସେ ବେଳେବେଳେ ମାନସିକ ବିକାରଗ୍ରସ୍ତ ଭଳି ବ୍ୟବହାର କରନ୍ତି। ସବୁବେଳେ ସନ୍ଦେହ କରନ୍ତି। ଯେତେବେଳେ ବାହାରକୁ ଯାଏ ହ୍ବାଟ୍‌ସ୍‌ ଆପ୍‌ରେ କେଉଁ ସ୍ଥାନରେ ମୁଁ ଅଛି, ତାହାର ପ୍ରମାଣ ଖୋଜନ୍ତି। ବିଭିନ୍ନ ସମୟରେ ସେ ମୋତେ ମାରିଦେବା ପାଇଁ ମଧ୍ୟ ଧମକ ଦେଇଛନ୍ତି। ସେ ମଧ୍ୟ ନିଜେ ବିଷ ପିଇ ମରିଯିବେ ବୋଲି କହନ୍ତି। ଗତ ୧୧ ତାରିଖ ଦିନ ବିଶ୍ବବିଦ୍ୟାଳୟ ଭିତରେ ସେ ମୋ ବେକରେ ବ୍ଲେଡ୍‌ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ମୁଁ ସେତେବେଳେ ଥାନାରେ ମଧ୍ୟ ଅଭିଯୋଗ କରିଥିଲି। ତାଙ୍କ ଦେହରେ କେହି ହାତ ଦେଇ ନାହାନ୍ତି। ତାଙ୍କ ସହ କଥା ହୋଇଥିବାର ସମସ୍ତ ପ୍ରମାଣ ମୁଁ ମୋବାଇଲ୍‌ରେ ରଖିଥିଲି। ହେଲେ ସେ ଜବରଦସ୍ତ ଡିଲିଟ୍‌ କରି ଦେଇଥିଲେ। ପରିବାର ମଧ୍ୟରେ କୌଣସି ଗଣ୍ଡଗୋଳ ନଥିଲା। ତାଙ୍କ ମା’ କହୁଥିଲେ, ସେ ପରିବାରର ଗୋଟିଏ ପୁଅ ହୋଇଥିବାରୁ ତା’ ମୁଣ୍ଡରେ ଦୁବ ଚାଉଳ ପଡ଼ିବ, ଏମିତି ସ୍ତ୍ରୀ ହୋଇ ଘରକୁ ପଳାଇ ଆସିଲେ କେମିତି ହବ?

ତେବେ ପୁଲିସ କହିଛି, ୧୧ ତାରିଖ ଘଟଣାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଯାଇଥିଲା। ତେଣୁ ଅବକାଶଙ୍କୁ ସତରେ କେହି ପିଟି ପିଟି ହତ୍ୟା କରିଛି ନା ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି, ତାହା ଏବେ ବି ରହସ୍ୟ ଘେରରେ ରହିଛି।

ହତ୍ୟାକାରୀମାନଙ୍କୁ ଗିରଫ ଦାବିରେ ରାଜପଥ ଅବରୋଧ

ରାଜସୁନାଖଳା : ରଣପୁର ଥାନା ରାଜସୁନାଖଳା ଫାଣ୍ତି ଅଧୀନ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ବିନୋଦପଡ଼ା ଛକଠାରେ ଆଜି ଅପରାହ୍ଣରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜପଥକୁ ୧ ଘଣ୍ଟା ଧରି ଅବରୋଧ କରାଯାଇଥିଲା। ଫଳରେ ଉଭୟ ପାର୍ଶ୍ବରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ସ୍ଥାନୀୟ ଫାଣ୍ତି ଅଧିକାରୀ ପ୍ରଦୀପ କୁମାର ସାମଲ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ଉକ୍ତ ହତ୍ୟାକାଣ୍ତର ବିଧିବଦ୍ଧ ତଦନ୍ତ କରି ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର