ଭୁବନେଶ୍ୱର: ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ବିଜେଡି ଯୁବ ଓ ଛାତ୍ର ଶାଖା ପକ୍ଷରୁ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆସନ୍ତା ୨୫ ତାରିଖରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ କରାଯିବ ବୋଲି ଦଳର ବିଧାୟକ ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ ଆଜି ସୂଚନା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତା କହିଥିଲେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯୁବତୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣା ପ୍ରତିଦିନ ଖବରକାଗଜରେ ଶିରୋନାମା ହେଉଛି। ଗୋପାଳପୁର ଭଳି ଏକ ପର୍ଯ୍ୟଟନସ୍ଥଳରେ ଜଣେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଦେଇ ତାଙ୍କ ସାମନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ମଧ୍ୟ ଏକ ଦୁଃଖଦ ଘଟଣା ଘଟିଥିଲା। ରାଜ୍ୟରେ ପ୍ରତିଦିନ ପ୍ରାୟ ୧୫ ଜଣ ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି। ଦୁଃଖ ଓ ପରିତାପର ବିଷୟ, ଏହିଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।
ସେହିପରି ରାଜ୍ୟର ୧୧ଟି ଜିଲ୍ଲା ହଇଜା ଓ ଡାଇରିଆରେ କଲବଲ ହେଉଥିବା ବେଳେ ବିଜେପି ସରକାର ଏକ ବର୍ଷ ପୂର୍ତ୍ତିର ଉତ୍ସବ ପାଳନ କରୁଛନ୍ତି। ରାଜ୍ୟ ସରକାରଙ୍କୁ ଚେତାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ କରାଯିବ। ୨୫ ତାରିଖରେ ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରି କଳାବ୍ୟାଜ୍ ପିନ୍ଧି ପିକେଟିଂ କରିବେ। ସରକାରଙ୍କ କୁଶ ପୁତ୍ତଳିକା ଦାହ କରାଯିବ। ରାଜ୍ୟର ସମସ୍ତ କଲେଜରେ ଏହି କାର୍ଯ୍ୟକ୍ରମ ହେବ।