ନୂଆଦିଲ୍ଲୀ: ଏକକ ନିର୍ବାଚନକୁ ସମର୍ଥନ ଜଣାଇଲା ବିଜେଡି

ନୂଆଦିଲ୍ଲୀ: ଦେଶରେ ୨୦୧୯ରେ ହେବାକୁ ଥିବା ଏକ କାଳୀନ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ପ୍ରସ୍ତାବକୁ ବିଜୁ ଜନତା ଦଳ ମଙ୍ଗଳବାର ସମର୍ଥନ ଜଣାଇଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲୋକନାୟକ ଭବନସ୍ଥିତ ଜାତୀୟ ଲ କମିସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଜେଡି ପକ୍ଷରୁ ପୁରୀ ସାଂସଦ ପିନାକୀ ମିଶ୍ର ଏହି ସମର୍ଥନ ଜଣାଇଛନ୍ତି। ଜାତୀୟ ଲ କମିସନର ଅଧ୍ୟକ୍ଷ ଜଷ୍ଟିସ ବି.ଏସ୍‌ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ଶ୍ରୀ ମିଶ୍ର କହିଛନ୍ତି, ବିଜେଡି ଏକକ ନିର୍ବାଚନକୁ ସମର୍ଥନ ଜଣାଉଛି। ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୂର୍ବରୁ ନବୀନ ପଟ୍ଟନାୟକ ଏକକ ନିର୍ବାଚନକୁ ସମର୍ଥନ ଜଣାଇ ସାରିଛନ୍ତି। ତେଣୁ ବିଜେଡ଼ି ପାଇଁ ଏକକ ନିର୍ବାଚନ କୌଣସି ଅସୁବିଧା ନାହିଁ।

ଇତିହାସକୁ ଦୋହରାଇ ସାଂସଦ ପିନାକୀ ମିଶ୍ର କହିଛନ୍ତି, ୨୦୦୪ରେ ଆମ ଦଳ ଏକକ ନିର୍ବାଚନକୁ ସମର୍ଥନ ଜଣାଇ ସାରିଛି। ଓଡ଼ିଶାରେ ୨୦୦୦ରେ ବିଧାନସଭା ନିର୍ବାଚନ କରାଯାଇଥିଲା। ଏହି ନିର୍ବାଚନର କାର୍ଯ୍ୟକାଳ ୨୦୦୫ ପର୍ଯ୍ୟନ୍ତ ଅବଧି ଥିଲା। ଆମ ଦଳରୁ ଯେହେତୁ ସଂଖ୍ୟା ଗରିଷ୍ଠତା ଥିଲା ତେଣୁ କାର୍ଯ୍ୟକାଳ ଶେଷ ହେବାର ଗୋଟିଏ ବର୍ଷ ପୂର୍ବରୁ ନିର୍ବାଚନ ହେବାର ନଥିଲା।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ଯେ, ୨୦୧୪ ମାର୍ଚ୍ଚ/ଏପ୍ରିଲରେ ସାଧାରଣ ନିର୍ବାଚନ ହେବ। ଏହି ସମୟରେ ଓଡ଼ିଶାରେ ମଧ୍ୟ ବିଧାନସଭା ନିର୍ବାଚନ ହେବ। ବାଜପେୟୀଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ସମର୍ଥନ ଜଣାଇଥିଲେ। ସେହି ଦିନ ଠାରୁ ଓଡ଼ିଶାରେ ବିଧାନସଭା ନିର୍ବାଚନ ଲୋକସଭା ନିର୍ବାଚନ ସହିତ ଏକକାଳୀନ ହୋଇ ଆସୁଛି। ବର୍ଷ ୨୦୦୯ ଓ ୨୦୧୪ରେ ମଧ୍ୟ ଲୋକସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ହୋଇଥିଲା ବୋଲି ସାଂସଦ ପିନାକୀ ମିଶ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ ୨/୩ ଦିନ ହେବ ନୂଆଦିଲ୍ଲୀରେ ଜାତୀୟ ଲ କମିସନଙ୍କ ପକ୍ଷରୁ ଦେଶର ୫୬ରୁ ଅଧିକ ଜାତୀୟ ରାଜନୈତିକ ଦଳ, ଆଂଚଳିକ ରାଜନୈତିକ ଦଳ ଓ ପଞ୍ଜୀକୃତ ରାଜନୈତିକ ଦଳକୁ ଏକକ ନିର୍ବାଚନ ନେଇ ମତାମତ ଲୋଡ଼ାଯାଇଛି। ଏହି ଆଧାରରେ ମଙ୍ଗଳବାର ବିଜେଡିକୁ ଏକକ ନିର୍ବାଚନ ପାଇଁ ମତାମତ ଲୋଡ଼ାଯାଇଥିଲା।

ସମ୍ବନ୍ଧିତ ଖବର