ଦଳରେ ରହି ଦଳ ବିରୋଧୀ କଥା କହିବାରେ ମୁଁ ବିଶ୍ୱାସ କରେନି: ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପାଇଁ ଠିକ୍‌ କାମ କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି  ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ରାଜ୍ୟସଭା ପାଇଁ ତାଙ୍କ ନାମ ଘୋଷଣା ନ ହେବା ପରେ ନିଜର ପ୍ରତିକ୍ରିୟାରେ ବରିଷ୍ଠ ବିଜେଡି ନେତା ଏହା କହିଛନ୍ତି। ସେ କହିଛନ୍ତି କି ଦଳରେ ରହି ଦଳ ବିରୋଧୀ କଥା କହିବାରେ ମୁଁ ବିଶ୍ୱାସ କରେ ନାହିଁ।

ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ପ୍ରସନ୍ନ ପାଟ୍ଟଶାଣୀ ନିଜର ପ୍ରତିକ୍ରିୟାରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ଯାହା କରିଛନ୍ତି ମୁଁ ସ୍ୱୀକାର କରୁଛି। ମୁଁ ଦଳର ଲୋକ, ଦଳ ପାଇଁ କାମ କରିବି। ଲୋକମାନେ ମୋତେ ଭଲ ପାଆନ୍ତି। ସେମାନଙ୍କୁ ବାଧିଛି। ଦଳ ମୋତେ କ’ଣ ଦେଇଛି, ନଦେଇଛି ବିଜୁବାବୁ ଉପରେ ସବୁ ଦେଖୁଛନ୍ତି। ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତାହା କରନ୍ତି। ହୁଏତ ଏଥର କିଛି ଭଲ ପାଇଁ ଚିନ୍ତା କରିଥିବେ।

ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି କି ନିର୍ବାଚନ ବେଳେ କେତେ ନେତା ଟିକେଟ ନପାଇ ଦଳ ଛାଡ଼ିଥିଲେ। ମୋତେ ଅନ୍ୟ ଦଳରୁ ପ୍ରସ୍ତାବ ଆସିଥିଲା। କିନ୍ତୁ ମୁଁ ଦଳ ଛାଡ଼ି ନଥିଲି। ଦଳରେ ରହି ଦଳ ବିରୋଧୀ କଥା କହିବାରେ ମୁଁ ବିଶ୍ୱାସ କରେ ନାହିଁ ।

ସୂଚନାଯୋଗ୍ୟ, ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଭାବେ ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କ ନାମ ଘୋଷଣା କରିବା ପରେ ଦଳର ଦୁଇ ଜଣ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ନିରାଶ ହେବାକୁ ପଡ଼ିଛି। କିନ୍ତୁ ଚ୍ୟାଉପଟ୍ଟନାୟକଙ୍କୁ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର