ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ସଂସଦରେ ଦାବି କରିବ ବିଜେଡି : ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ସଭାପତି ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ ମହିଳା ସଶକ୍ତ ହେଲେ ସମାଜ ସଶକ୍ତ ହେବ। ମହିଳା ସଶକ୍ତିକରଣ ତାଙ୍କର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ପୁଣି ଥରେ ଦୋହରାଇଛନ୍ତି ନବୀନ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାଆମାନେ ହେଉଛନ୍ତି ସମାଜ ରଥର ଅଖ। ସେମାନଙ୍କ ବିନା ଏହି ରଥ ଆଗକୁ ବଢିପାରିବ ନାହିଁ। ୧୯୯୨ରେ ବିଜୁ ବାବୁ ମହିଳାମାନଙ୍କ ପାଇଁ ପଂଚାୟତ ଓ ଚାକିରି କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ କରି ଭାରତବର୍ଷରେ ଆଲୋଡ଼ନ ସୃଷ୍ଟି କରିଥିଲେ। ପଞ୍ଚାୟତସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ବିଜେଡି ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛି। ଏପରିକି ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଦଳ ଟିକେଟ ଦେଇଛି। କିନ୍ତୁ ଜାତୀୟ ଦଳ ମହିଳାଙ୍କୁ ନେଇ ନିଜର ଇସ୍ତାହାରରେ ବହୁତ ବଡ଼ ବଡ଼ କଥା କୁହନ୍ତି। କିନ୍ତୁ ନିର୍ବାଚନ ସରିବା ପରେ ସବୁ ଭୁଲି ଯାଆନ୍ତି। ଏଭଳି କହି ଜାତୀୟ ଦଳର ମହିଳାଙ୍କ ଉପରେ ଫୋକସ ନ ଥିବା ବାର୍ତ୍ତା ଦେଇଛନ୍ତି ନବୀନ ।

ସେ କହିଛନ୍ତି ଯେ, ବିଜେଡି ଆଞ୍ଚଳିକ ଦଳ ହେଲେ ମଧ୍ୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ସଂସଦରେ ଦାବି କରିବ। ବିଧାନସଭା, ରାଜ୍ୟସଭା ଓ ଲୋକସଭାର ପ୍ରତି ଅଧିବେଶନରେ ମହିଳାଙ୍କ ସଂରକ୍ଷଣ କଥା ଜାତୀୟ ଦଳକୁ ମନେପକାଇଦେବ। ମହିଳାଙ୍କୁ ହକ୍ ମିଳିବା ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ଲଢେଇ ଜାରି ରଖିବ ବିଜେଡି। ସବୁ ମହିଳାଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ସହ ଓ ଗାଁ ଗାଁରେ ମହିଳାଙ୍କୁ ସଚେତନ କରାଯିବ। ଏପରିକି ଏହାକୁ ଏକ ଆନ୍ଦୋଳନର ରୂପ ଦିଆଯିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦୁର୍ନୀତିର ମୂଳୋତ୍ପାଟନ କରିଛନ୍ତି, ଯେଉଁଥି ପାଇଁ ଏ ଦଳ ଆଗକୁ ଆଗକୁ ବଢିଚାଲିଛି। ସେ ଭୋକର ଭୂଗୋଳର ଚିତ୍ର ପରିବର୍ତ୍ତନ କରିଛନ୍ତି। ଏବେ ଦଳ ପାଇଁ ପ୍ରତ୍ୟେକ କର୍ମୀ ଅତି କମରେ ୪ରୁ ୫ ଘଣ୍ଟା ସମୟ ଦେବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର