ଭୁବନେଶ୍ବର: କଂଗ୍ରେସ ବିଧାୟକ ଓ କର୍ମୀଙ୍କୁ ଅଟକାଇବା ପାଇଁ ସମରସଜ୍ଜା କରିଥିଲା ପୁଲିସ। ସମସ୍ତ ପ୍ରକାର ପ୍ରତିକାରମୂଳକ ପଦ‌କ୍ଷେପ ନିଆଯାଇଥିଲା। କିନ୍ତୁ ବିଜେଡି ବିଧାୟକମାନେ ଚକ୍‌ମା ଦେଇଦେଲେ। ବିଜେଡି ଠିକ୍ ସମୟରେ ବାହାରକୁ ଯିବ ବୋଲି କେହି ଟେର୍‌ ପାଇ ନଥିଲେ। ଯେଉଁଥି ପାଇଁ ପୁଲିସ ପୂରା ଅପ୍ରସ୍ତୁତ ହୋଇପଡ଼ିଲା। ବିଜେଡିର ଏହି ରଣନୀତି ଆଜି ଚର୍ଚ୍ଚାର ବିଷୟ ହୋଇଛି।

Advertisment

ବିଜେଡି ତିନି ଦିନ ହେଲା ଏସ୍‌ସି, ଏସ୍‌ଟି ଓ ଓବିସି ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ସହ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରୁଛି। ବିରୋଧୀ ଦଳର ନେତାଙ୍କ ଅନୁପସ୍ଥିତିରେ ବି ଦଳର ବିଧାୟକମାନେ ସଂଗଠିତ ହୋଇ ପ୍ରତିବାଦ ଜଣାଉଥିବା ଦେଖିବାକୁ ମିଳୁଛି। ଗତ ଦୁଇ ଦିନ ହେଲା ସେମାନେ ପ୍ଲାକାର୍ଡ ନେଇ ଗୃହରେ ପ୍ରଦର୍ଶନ କରୁଛନ୍ତି। ଗୃହ ମୁଲତବୀ ପରେ ସେମାନେ ବାହାରେ ବିକ୍ଷୋଭ କରୁଛନ୍ତି। ପ୍ରଥମ ଦିନ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ବସିଥିଲା ବେଳେ ଗତକାଲି ପ୍ରବେଶ ପଥରେ ବସି ନାରାବାଜି କରିଥିଲେ। କିନ୍ତୁ ଅପରାହ୍‌ଣରେ ଖର୍ଚ୍ଚଦାବି ଆଲୋଚନାରେ ସେମାନେ ଭାଗ ନେଇଥିଲେ। 

କଂଗ୍ରେସ ବିଧାୟକଙ୍କ ନିଲମ୍ବନ ପରିପ୍ରେକ୍ଷୀରେ ଆଜି ବିଜେଡିର ରଣନୀତି ଉପରେ ରାଜନୈତିକ ମହଲର ନଜର ରହିଥିଲା। ଦଳର ବିଧାୟକମାନେ ବିନା ପ୍ଲାକାର୍ଡରେ ସ୍ବାଭାବିକ ଭାବେ ଗୃହକୁ ପ୍ରବେଶ କରିଥିଲେ। କିନ୍ତୁ ଗତକାଲିର ଘଟଣାରେ ବାଚସ୍ପତିଙ୍କ ବିବୃତି ଦାବି କରି କକ୍ଷତ୍ୟାଗ କରିଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ବିଧାନସଭା ଫାଟକ ‌ପାଖରେ ଥିଲେ। ସମସ୍ତଙ୍କ ନଜର ରହିଥିଲା କଂଗ୍ରେସ ବିଧାୟକ-ପୁଲିସର ଯୁକ୍ତିତର୍କ ଉପରେ। ହଠାତ୍‌ ବିଜେଡି ଭିନ୍ନ ରଣନୀତି ଆପଣାଇଥିଲା। ବିଧାନସୌଧରୁ ଦଳର ବିଧାୟକମାନେ ଶୋଭାଯାତ୍ରାରେ ମୁଖ୍ୟ ଫାଟକ ଆଡ଼କୁ ଆଗେଇ ଚାଲିଲେ। ‌ପ୍ଲାକାର୍ଡ ପ୍ରଦର୍ଶନ କରି ନାରାବାଜି କ‌ଲେ। ଫାଟକ ନିକଟରେ ପୁଲିସ ଛାଉଣି ହୋଇଥିଲେ ବି ବରିଷ୍ଠ ପୁଲିସ ଅଧିକାରୀମାନେ ବିଜେଡି ବିଧାୟକଙ୍କୁ ଦେଖି ହରଡ଼ଘଣାରେ ପଡ଼ିଯାଇଥିଲେ।

ବିଧାୟକମାନେ କୁଆଡ଼େ ଯାଉଛନ୍ତି, ତାହା କେହି ବୁଝିପାରିଲେ ନାହିଁ। ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଫାଟକ ଭିତରେ ରହି ତୁରନ୍ତ ତାଲା ଖୋଲିବାକୁ ବିଜେଡି ବିଧାୟକମାନେ ଦାବି କରିଥିଲେ। କିନ୍ତୁ ପୁଲିସ୍‌ ଉପାୟଶୂନ୍ୟ ହୋଇଯାଇଥିଲା। ବରିଷ୍ଠ ଅଧିକାରୀମାନେ କିଛି ନିଷ୍ପତ୍ତି ନେଇପାରି ନଥିଲେ। ତାଲା ଖୋଲିବେ କି ନାହିଁ, ଜାଣିପାରିଲେ ନାହିଁ। ନିଷ୍ପତ୍ତି ନେବାରେ ବିଳମ୍ବ ହେବାରୁ ବିଧାୟକମାନେ ଠେଲି ଠେଲି ଫାଟକ ଖୋଲି ବାହାରକୁ ଯାଇଥିଲେ। ସାଧାରଣତଃ ବିରୋଧୀ ଦଳର ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତ‌ଳେ ଧାରଣାରେ ବସନ୍ତି। ବିଜେଡି ଆଜି ତାହା କରିପାରେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ବିଜେଡି ଆଜି ଏଜି ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିଲା। ଦଳର ଏହି ଅତର୍କିତ ପଦକ୍ଷେପ ହିଁ ପୁଲିସ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା।