ବୈଜୟନ୍ତ ପଣ୍ଡାଙ୍କ ନାଁରେ ଆର୍ଥିକ ଅନିୟମିତତା ଅଭିଯୋଗ : ବେଆଇନ କାରବାରକୁ ଘଣ୍ଟ ଘୋଡାଇବାକୁ ସେ ରାଜନୀତିକୁ ଆସିଛନ୍ତି ବୋଲି କହିଲା ବିଜେଡ଼ି

ଭୁବନେଶ୍ୱର : ବୈଜୟନ୍ତ ପଣ୍ଡାଙ୍କ ନାଁରେ ଟିକସ ଫାଙ୍କିବା ଅଭିଯୋଗ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ବୈଜୟନ୍ତଙ୍କୁ ଟାର୍ଗେଟ କରି ବିଜେଡି କହିଛି, ସେ ଜଣେ ବ୍ୟବସାୟୀ । ଲୋକଙ୍କ ସେବା ନୁହେଁ ବରଂ ନିଜର ବ୍ୟବସାୟିକ ସ୍ୱାର୍ଥ ସିଦ୍ଧି ପାଇଁ ସେ ରାଜନୀତିକୁ ଆସିଛନ୍ତି । ଅଭିଯୋଗ ଆସିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ବେଆଇନ କାରବାରକୁ ଘଣ୍ଟ ଘୋଡାଇବାକୁ ବୈଜୟନ୍ତ ରାଜନୀତିକୁ ଆସିଛନ୍ତି । ସେଥିପାଇଁ କେନ୍ଦ୍ରରେ ଯେଉଁ ଦଳ ରୁହେ ତାଙ୍କ ସପକ୍ଷରେ ବିଭିନ୍ନ ଗଣମାଧ୍ୟମରେ ଆର୍ଟିକଲ ଲେଖାଇଥାନ୍ତି ।

୨୦୧୪ରେ ପାର୍ଲାମେଣ୍ଟର ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ପାଇଁ ବୈଜୟନ୍ତଙ୍କୁ ସେଥିପାଇଁ ଦଳ ପକ୍ଷରୁ ମନୋନୀତ କରାଯାଇନଥିଲା । ଆଉ ଏହାପରେ କ୍ଷୁବ୍ଧ ହୋଇ ଦଳବିରୋଧୀ କାମ ଆରମ୍ଭ କରିଥିଲେ ବୈଜୟନ୍ତ । ଏବେ ଏନଡିଏ ସରକାର କେନ୍ଦ୍ରରେ ଥିବା ବେଳେ ଟିକସ ଫାଙ୍କିବା ଓ କଳାବଜାରୀ ଭଳି ସାଂଘାତିକ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ନେଉଥିବା କହି ଆସୁଛନ୍ତି । ତେଣୁ ଏନଡିଏ ସରକାର ଯେଉଁ କଥା କହି ଆସୁଛନ୍ତି ତାହାକୁ କାର୍ଯ୍ୟରେ ପରିଣତ କରି ଦେଖାନ୍ତୁ ବୋଲି କହିଛି ବିଜେଡି ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସରେ ବୈଜୟନ୍ତଙ୍କ ନାଁରେ ଟିକସ ଫାଙ୍କିବା ଭଳି ସାଂଘାତିକ ଅଭିଯୋଗର ଖବର ପ୍ରକଶ ପାଇଛି । ଯେଉଁଥିପାଇଁ ଆୟକର ବିଭାଗର ରାଡାରରେ ରହିଛନ୍ତି ବୈଜୟନ୍ତ । ରିପୋର୍ଟ ଅନୁସାରେ ଜାଲ କଂପାନୀ କରି ଅଜଣା ସୋର୍ସରୁ ୧୭ କୋଟି ୭୨ ଲକ୍ଷ ଟଙ୍କା ହାସଲ କରିଛନ୍ତି ବୈଜୟନ୍ତ । ବାହାମାସ୍ ରେଜିଷ୍ଟ୍ରାର୍ ଅଫ୍ କଂପାନୀ ରେକର୍ଡ ଅନୁସାରେ ୧୯୯୩ ମସିହାରେ ‘ଫିନଲେ’, ୧୯୯୫ ମସିହାରେ ‘ମେଶିନା’ ଓ ୨୦୦୩ ମସିହାରେ ‘ପିକିକା’ ନାଁରେ ଗଠନ ହୋଇଥିଲା ସେଲ୍ କଂପାନୀ । ସବୁ କଂପାନୀର ଠିକଣା ଥିଲା ଗୋଟିଏ, ଆଉ ଏଥିରେ ଥିଲେ ପ୍ରକ୍ସି ଅଫିସ ବିୟରର୍ ।ଏଜେଂଟ୍ କର୍ପୋରେଟ୍ ସର୍ଭିସ ଇଂଟରନେସନାଲ୍ ଜରିଆରେ ଏହି କଂପାନୀ ଗଢ଼ା ଯାଇଥିଲା । ଏହି ଜାଲ୍ କଂପାନୀ ଜରିଆରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ତାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡା ଏବଂ ତାଙ୍କର ସହଯୋଗୀ ମଂଜୁଳା ଦେବୀଙ୍କ ନାଁରେ ମନି ଲଣ୍ଡରିଂ ଅଭିଯୋଗ ଆସିଛି । ଗତ ଜାନୁଆରୀରେ ଆୟକର ବିଭାଗରେ ହୋଇଥିବା ଅଭିଯୋଗରେ କୁହାଯାଇଛି, ମନି ଲଣ୍ଡରିଂ ଆଇନ, ବ୍ଲାକ ମନି ଆଇନ ଏବଂ ଆୟକର ଆଇନକୁ ସେମାନେ ଉଲଙ୍ଘନ କରିଛନ୍ତି । ଅଭିଯୋଗ ଅନୁସାରେ, ମିଛ କମ୍ପାନୀ ଜରିଆରେ ଏମାନେ ୧୭ କୋଟି ୭୨ଲକ୍ଷ ଟଙ୍କା ହାସଲ କରିଛନ୍ତି । କିନ୍ତୁ ଏହି ଟଙ୍କା ପ୍ରକୃତରେ କେଉଁଠାରୁ ଆସୁଛି ତାର କୌଣସି ରେକର୍ଡ ନାହିଁ ବୋଲି ଅଭିଯୋଗ ହୋଇଛି । ଏହାପରେ ସେହି ଟଙ୍କାର ସେୟାରକୁ ଅତି କମ୍ ମୁଲ୍ୟରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡାଙ୍କୁ ମିଳିଥିବା ଅଭିଯୋଗ ହୋଇଛି ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ହଟଚମଟ ସୃଷ୍ଟି ହୋଇଛି । ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ବାହାମାସ୍‌ର ତିନି ଜାଲ୍ କଂପାନୀ ଓ ତା’ର ଦୁଇ ଭାରତୀୟ ସହଯୋଗୀ କଂପାନୀ-ପଣ୍ଡା ଇନଭେଷ୍ଟମେଂଟ୍ସ ଓ ମେଟ୍ରୋ ସ୍କାଏନେଟ୍ ଜରିଆରେ ଓରଟେଲ୍ ଇକ୍ୟୁଟି ସେୟାର ଆକାରରେ ୯କୋଟି ୪୬ ଲକ୍ଷ ଟଙ୍କା ହାସଲ କରିଥିଲେ । ସେହିପରି ଆଇନ ଉଲଂଘନ କରି ବିପୁଳ ଟଙ୍କା ହାସଲ କରିଥିବା ଅଭିଯୋଗ ହୋଇଛି ।

ଇଣ୍ଡିଆନ ଏକ୍ସପ୍ରେସର ପ୍ରତିନିଧିମାନେ ଏହି ମାମଲାରେ ବୈଜୟନ୍ତ ପଣ୍ଡା ଓ ମଂଜୁଳା ଦେବୀଙ୍କୁ ପ୍ରଶ୍ନ କରିଥିଲେ । ବୈଜୟନ୍ତ ପଣ୍ଡା ଏହାର ଉତରରେ ତାଙ୍କୁ କହିଥିଲେ, ଏହି ଅଭିଯୋଗ ୨୦ ବର୍ଷ ପୁରୁଣା ଏବଂ ନିୟମ ଅନୁସାରେ ସବୁକିଛି କରାଯାଇଛି । ନିର୍ବାଚନ ବର୍ଷ ହୋଇଥିବାରୁ ଏହି ଅଭିଯୋଗ ପୁଣି ଉଠିଛି । ତେବେ ମଂଜୁଳା ଦେବୀ ଏହାର ପ୍ରତିକ୍ରିୟା ଦେଇ ଇଣ୍ଡିଆନ ଏକ୍ସପ୍ରେସ ପ୍ରତିନିଧିଙ୍କୁ କହିଥିଲେ ଯେଉଁ ମାମଲାରେ ସେ ପ୍ରଶ୍ନ କରୁଛନ୍ତି ସେ ଏଥିରେ ସମ୍ପୃକ୍ତ ନୁହଁନ୍ତି ।

ସମ୍ବନ୍ଧିତ ଖବର