ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। କିନ୍ତୁ ବିଜେପିକୁ ରାଜନୈତିକ ଫାଇଦା ଦେବାକୁ କେନ୍ଦ୍ର ସରକାର ଏବେ ସରକାରୀ କାର୍ଯ୍ୟକ୍ରମ ସଂକ୍ରାନ୍ତ ପୋଷ୍ଟର, ବ୍ୟାନର ଓ ହୋର୍ଡ଼ିଂ କେତେକ ସ୍ଥାନରୁ ହଟାଇନାହାନ୍ତି। ଅତି ଚତୁରତା ସହ କେନ୍ଦ୍ର ସରକାର ଉଜ୍ଜଳା ଓ ସ୍ବଚ୍ଛ ଇନ୍ଧନର ପ୍ରଚାର ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଚଳାଇଛନ୍ତି। କେନ୍ଦ୍ର ସରକାରଙ୍କୁ ଏପରି କାର୍ଯ୍ୟରୁ ବିରତ ରହିବାକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଆଜି ଅଭିଯୋଗ କରିଥିଲା।
ଶୁକ୍ରବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଭେଟି ବିଜୁ ଜନତା ଦଳ ଆଇଟି ସେଲ ମୁଖ୍ୟ ତଥା ଦଳୀୟ ମୁଖପାତ୍ର ଅମର ପଟ୍ଟନାୟକ ଦାଖଲ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଆଦର୍ଶ ଆଚରଣ ବିଧି ପାଳନ ନେଇ ଯତ୍ନବାନ ହେବା ପରିବର୍ତ୍ତେ ଖୋଲାଖୋଲି ଉଲଂଘନ କରିଛନ୍ତି। ଆଉ ଏ ବିଷୟରେ ଗଲା ୨ ଦିନ ଧରି ନିର୍ବାଚନ କମିସନଙ୍କୁ ବିଜେଡି ଜଣାଇଆସୁଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀକୁମାରଙ୍କୁ ଫଟୋ ଓ ପ୍ରମାଣ ଦେଇ ବିଜେଡି ଦର୍ଶାଇଛି, ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଚତୁରତାର ସହ ଉଜ୍ଜଳା ଓ ସ୍ବଚ୍ଛ ଇନ୍ଧନର ପ୍ରଚାର ଚାଲିଛି। ନିର୍ବାଚନରେ ବିଜେପିକୁ ଯେପରି ଫାଇଦା ମିଳିବ ସେଥିପାଇଁ ଉଜ୍ଜଳା ଓ କ୍ଲିନ୍ ଏନର୍ଜି ପାଇଁ ଛଦ୍ମ ପ୍ରଚାର ଚଳାଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଚାଲିଥିବା ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି। ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାବେଳେ କେନ୍ଦ୍ର ସରକାରଙ୍କ ଏପରି ସଂକୀର୍ଣ୍ଣ ରାଜନୈତିକ ଲକ୍ଷ୍ୟ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ବିଜେଡି ଅଭିଯୋଗ କରିଛି। ଖୋଦ ଭୁବନେଶ୍ବରରେ ଥିବା କେତେକ ପେଟ୍ରୋଲ ପମ୍ପରେ ସ୍ବଚ୍ଛ ଇନ୍ଧନର ପୋଷ୍ଟର, ହୋର୍ଡ଼ିଂ ଓ ସାଇନେଜ୍ ଲାଗିଥିବା ନେଇ ପ୍ରମାଣ ସ୍ବରୁପ ଫଟୋ ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ କରିବା ଅବସରରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଓ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।