ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଉପରେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ବର୍ଷିଛନ୍ତି ।

ମହାକାଳପଡ଼ା ବିଧାକୟ ଅତନୁ ସବ୍ୟସାଚୀ କହିଛନ୍ତି, ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ରାଜ୍ୟର ଗାରିମାକୁ ନଷ୍ଟ କରିଛି । ସାରା ଭାରତରେ ବିରୋଧୀ ଶାସକ ଆଲୋଚନା କରନ୍ତି। ହେଲେ ଓଡ଼ିଶାରେ ପ୍ରଥମ ଥର ଏମିତି ହୋଇଛି। ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ।

ବର୍ତ୍ତମାନ କୋଭିଡ ସମୟ। ଘରେ ଘରେ ସାନିଟାଇଜର ଅଛି। ଲୋକଙ୍କୁ ସଚେତନ କରାଯାଉଛି ସାନିଟାଇଜର ବ୍ୟବହାର କରିବା ପାଇଁ। ହେଲେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରି ବିଜେପି ବିଧାୟକ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ? ସାରା ଦେଶରେ ସୁବାସଙ୍କ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଛି । ସେ ଜାତୀୟ ଦଳର ବିଧାୟକ ହୋଇଥିଲେ ମଧ୍ୟ ବିଜେପି ଚୁପ୍ କାହିଁକି ବସିଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅତନୁ । ଏହା ବିଧାୟକଙ୍କର ନିଜସ୍ୱ ନିଷ୍ପତ୍ତି ନା ଦଳ ଚୁପ ରହି ମଧ୍ୟ ଏହାକୁ ସମର୍ଥନ ଦେଉଛି ।

ବିଧାନସଭାର ପବିତ୍ରତା ନଷ୍ଟ ହୋଇଛି। ଗୃହର ମର୍ଯ୍ୟାଦା ପାଇଁ ବିଜେପି ଆଭିମୁଖ୍ୟ ସ୍ପଷ୍ଟ କରୁ। ସୁବାସଙ୍କ ଏଭଳି ପଦକ୍ଷେପ ଆଗାମୀ ପିଢି ପାଇଁ ଭୁଲ ବାର୍ତ୍ତା ଦେଉଛି । ସାନିଟାଇଜର ଯେ ବିଷ ଭାବେ ବ୍ୟବହାର ହୋଇପାରିବ ସେଭଳି ବାର୍ତ୍ତା ଦେଇଛନ୍ତି ସୁବାସ । ବିଧାୟକ ଲୋକଙ୍କ ଆଦର୍ଶ। ସୁବାସ କ’ଣ ନିଜ ନା ନିଜ ଦଳ ମାଧ୍ୟମରେ ଲୋକଙ୍କୁ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଶିଖାଉଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅତନୁ ।

ତେବେ ଏହାର ଜବାବରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆମର ଭୁଲ କୋଉଁଠି ରହିଲା ଯେ ଆମେ ଆମ ଷ୍ଟାଣ୍ଡ କ୍ଲିୟର କରିବୁ । ମଣ୍ଡିରୁ ଧାନ ଉଠାଇ ପାରି ନାହାଁନ୍ତି ରାଜ୍ୟ ସରକାର, ସେଥିପାଇଁ ନବୀନ ପଟ୍ଟନାୟକ ପ୍ରଥମେ କ୍ଷମା ମାଗନ୍ତୁ । ସାନିଟାଇଜରରେ ଲୋକ ମରନ୍ତି ନାହିଁ, ଲୋକଙ୍କ ଦାବି ପୂରଣ କରିବାକୁ କେଉଁ ସ୍ତରକୁ ଯାଇପାରିବେ ତାହାର ଝଲକ ଦେଖାଇଛନ୍ତି ସୁବାସ । ଏଥିରେ ଭୁଲ କ’ଣ ରହିଲା ? ସୁବାସ ପାଣିଗ୍ରାହୀଙ୍କର ଯଦି ଭୁଲ ଅଛି, ତେବେ ତାଙ୍କୁ ସସପେଣ୍ଡ କରି ଦିଅନ୍ତୁ । ତଦନ୍ତ କରନ୍ତୁ, ଥାନାକୁ ନିଅନ୍ତୁ । ରାଜ୍ୟ ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ?

ସମ୍ବନ୍ଧିତ ଖବର