ଭୁବନେଶ୍ବର : ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରକୁ ଓଡ଼ିଶା ସରକାର ସହଯୋଗ କରୁ ନାହାନ୍ତି ବୋଲି ‌କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନା ଅଭିଯୋଗ କଲା ପରେ ତାହାର ଜବାବ ଦେଇଛି ବିଜେଡି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାର ବିଜେପି ନେତାମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଠିକ୍ ତଥ୍ୟ ଦେଇ ନାହାନ୍ତି। ନଚେତ ସେ ଏପରି ବିବୃତି ଦେଇ ନ ଥା’ନ୍ତେ। ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ସହଯୋଗର ହାତ ବଢ଼ାଉଛନ୍ତି। କିନ୍ତୁ କେନ୍ଦ୍ର ସରକାର ବହୁ ପ୍ରକଳ୍ପକୁ ଅବହେଳା ପ୍ରଦର୍ଶନ କରୁଛନ୍ତି। ଦ୍ବିତୀୟ ବ୍ରାହ୍ମଣୀ ପୋଲ, ଉପକୂଳ ରାଜପଥ, ଇସ୍ପାତ ମେଡିକାଲ କଲେଜ ନିର୍ମାଣ ଓ ଜାତୀୟ ରାଜପଥର ଉନ୍ନତିକରଣ ନେଇ ବହୁ ସମୟରେ ପ୍ରତିଶ୍ରୁତି ଦେଇଥିଲେ ବି ତାହା ପାଳନ କରାଯାଇ ନାହିଁ। ଏହି ସବୁ ପ୍ରକଳ୍ପରେ ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ଅନୁମତି ସମସ୍ୟା ନ ଥିଲା ବେଳେ ବିଜେପି କାହିଁକି ଏହି ପ୍ରସଙ୍ଗରେ ନିରବ ରହୁଛି ? ସେହିପରି ଆୟୁଷ୍ମାନ ଯୋଜନା ଠାରୁ ରାଜ୍ୟ ସରକାରଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବହୁ ଗୁଣରେ ଭଲ। ସମ୍ଭବତଃ ବିଜେପି ନେତାମାନେ ଏହି ସବୁ ପ୍ରସଙ୍ଗ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇ ନାହାନ୍ତି। ଯେଉଁଥି ପାଇଁ ସେ ଏପରି ମନ୍ତବ୍ୟ ଦେଲେ ବୋଲି ଶ୍ରୀ ପାତ୍ର କହିଛନ୍ତି।