ବିଜେପିକୁ ପାଠ ପଢ଼ାଇଲା ବିଜେଡି, ଉତ୍ତମ ପ୍ରଶାସନ ବିଜେଡିଠୁ ଶିଖିବାକୁ ପରାମର୍ଶ

Odisha Sun Times

ଭୁବନେଶ୍ବର : ୨୦୧୯ ନିର୍ବାଚନୀ ଇସ୍ତାହାରରେ ଭାରତୀୟ ଜନତା ପାର୍ଟି ଯାହାସବୁ ପ୍ରତିଶ୍ରୁତି ଦେଇଛି ଦୀର୍ଘ ୧୯ ବର୍ଷର ବିଜୁ ଜନତା ଦଳର ଉତ୍ତମ ଶାସନ କାଳରେ ସେହି ସବୁ ଲକ୍ଷ୍ୟ ହାସଲ ହୋଇସାରିଛି। ବିଜୁ ଜନତା ଦଳ ପକ୍ଷରୁ ଜାରି ଏକ ପ୍ରେସ ଇସ୍ତାହାରରେ ସେସବୁ ବିଜେପିକୁ ଅବଗତ କରାଯିବା ସହ ଉତ୍ତମ ପ୍ରଶାସନ କ’ଣ ତାହା ବିଜେଡିଠୁ ଶିଖିବାକୁ ବିଜେଡି ଆହ୍ବାନ କରିଛି।

ସଫଳତାର ୬ଟି ଉଦାହରଣ ଦେଇ ବିଜେଡି କହିଛି, ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣଠାରୁ ଆରମ୍ଭ କରି ବିଗତ ୧୦ ବର୍ଷରେ ଚାଷୀମାନଙ୍କ ଆୟ ଦୁଇଗୁଣ କରିବା କାର୍ଯ୍ୟ ବିଜୁ ଜନତା ଦଳ କରିସାରିଛି। ସେହିପରି ରାଜ୍ୟବାସୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସୁବିଧା ଦେବାରେ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବିଜେପି ଶିକ୍ଷାଲାଭ କରିବା ଉଚିତ୍। ଏହି ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଯାହାକି ଦେଶରେ ସର୍ବାଧିକ ବୋଲି ବିଜେପି ଜାଣି ରଖିବା ଦରକାର ବୋଲି ବିଜେଡି ଦାବି କରିଛି। ଦକ୍ଷତା ବିକାଶରେ ଗତ ୫ ବର୍ଷରେ ୯ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରାଇ ଦେଶରେ ଏକ ନମ୍ବର ସ୍ଥାନ ଓଡ଼ିଶା ପାଇଛି। ସେହିପରି ଦୀର୍ଘ ୪୧ ହଜାର କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ କରି ଓଡ଼ିଶା ରେକର୍ଡ଼ କରିଛି।

ବିଜେଡି କେନ୍ଦ୍ର ସରକାରଙ୍କ ଅବହେଳାର ଉଦାହରଣ ଦେଇ କହିଛି, ଏସସି-ଏସଟି ବର୍ଗଙ୍କ କଲ୍ୟାଣ ପାଇଁ ବାହାସ୍ଫୋଟ ମାରୁଥିବା ବିଜେପି ସେମାନଙ୍କର ନ୍ୟାଯ୍ୟ ଛାତ୍ରବୃତ୍ତିକୁ ବନ୍ଦ କରିଦେଲା। ବିଆରଜିଏଫ ଏବଂ କେବିକେ ଯୋଜନା ବନ୍ଦ କରିବା ପରେ ବିଜେଡି ସରକାର ଆଦିବାସୀ ଅନୁନ୍ନତ ଅଞ୍ଚଳର ବିକାଶ ପାଇଁ ୯ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆଦିବାସୀଙ୍କ ପିଲାଙ୍କ ପାଇଁ ୫ ଲକ୍ଷ ହଷ୍ଟେଲ ନିର୍ମାଣ କରିଛନ୍ତି। ଅନ୍ୟପକ୍ଷରେ, ରେଳବାଇ ବିକାଶ କଥା କହି ଡିଣ୍ଡିମ ପିଟୁଥିବା ବିଜେପି ଗତ ୫ ବର୍ଷରେ କିଛି କରିନାହିଁ। ଓଡ଼ିଶାରୁ ବାର୍ଷିକ ୨୦ ହଜାର କୋଟି ଟଙ୍କାର ରେଳବାଇ ନେଉଥିବାବେଳେ ମାତ୍ର ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି। ଉତ୍ତମ ପ୍ରଶାସନ କ’ଣ ବିଜୁ ଜନତା ଦଳ ସରକାରଠାରୁ ବିଜେପି ନିହାତି ଶିଖିବା ଆବଶ୍ୟକ। ବିଜେପି ଆଗାମୀ ୫ ବର୍ଷରେ ଯାହା କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେଡି ସେସବୁ ହାସର କରିସାରିଛି। ବିଜେପି ଆଉ ଯଦି କିଛି ରାଜ୍ୟ ପାଇଁ ଅଧିକ କରିବାକୁ ଚାହୁଁଛି ତେବେ ବିଜେଡିଠାରୁ ଶିଖି ନେବା ଭଲ ବୋଲି ଦଳର ପ୍ରେସ୍ ଇସ୍ତାହାରରେ କୁହାଯାଇଛି।

ସମ୍ବନ୍ଧିତ ଖବର