ରାଜ୍ୟର ସଫଳତାରେ ବିଜେପି ଇର୍ଷାନ୍ବିତ : ବିଜେଡି

ଭୁବନେଶ୍ବର : ରାଜ୍ୟର ସଫଳତାରେ ଦଳମତ ନିର୍ବିଶେଷରେ ସମସ୍ତେ ଖୁସି ହେବା କଥା। କିନ୍ତୁ ଏହାକୁ ନେଇ ବିଜେପି ଇର୍ଷାନ୍ବିତ ହୋଇ ହୀନ ରାଜନୀତି କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେଡି କହିଛି। ବିଜେପିର ଅଭିଯୋଗର ଜବାବ ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇ ବିଶ୍ବର ଦୃଷ୍ଟି ଆକର୍ଷଣ କରିବା ସହ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ସରକାର ପୁରସ୍କୃତ ହୋଇଛନ୍ତି। ଦେଶର ଅନ୍ୟ କୌଣସି ବିଜେପି ଶାସିତ ରାଜ୍ୟ ଏପରି ପୁରସ୍କାର ପାଇ ନ ଥିବାରୁ ରାଜ୍ୟ ବିଜେପି ଇର୍ଷ୍ବାନ୍ବିତ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଏପରି ପୁରସ୍କାର ଓଡ଼ିଶା ପାଇଁ ଗର୍ବ। ତେଣୁ ଦଳୀୟ ରାଜନୀତିରୁ ଊର୍ଧ୍ବରେ ରହି ବିଜେପି ମୁଖପାତ୍ର ମାନେ ଶାଳୀନତା ରକ୍ଷା କରିବା ଆବଶ୍ୟକ। ୱାର୍ଲଡଡ୍‌ ହାବିଟାଟ୍‌ ୧୯୮୭ ମସିହାରୁ ସାରା ବିଶ୍ବରେ ବାସହୀନଙ୍କ ପାଇଁ ବାସଗୃହ ଯୋଗାଇ ଦେଉଥିବା ବିଭିନ୍ନ ଯୋଜନାକୁ ତର୍ଜମା କରି‌ ଶ୍ରେଷ୍ଠ ବିବେଚିତ ଯୋଜନାଗୁଡ଼ିକୁ ପୁରସ୍କୃତ କରିଥାଏ। ଓଡ଼ିଶା ଭଲ କାମ କରିଥିବାରୁ ପୁରସ୍କାର ପାଇଛି। ବିଜେପି ନେତାମାନଙ୍କ ସମାଲୋଚନା ସେମାନଙ୍କ ହତାଶା ଓ ନିମ୍ନ ରୁଚିର ରାଜନୀତିକୁ ଦର୍ଶାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର