ଭୁବନେଶ୍ୱର : ରନ୍ଧନ ଗ୍ୟାସ ସମେତ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିରୁ ନଜର ହଟାଇବା ଲାଗି ବିଜେପି ବିଧାୟକମାନେ ହଙ୍ଗାମା କରି ଯେଭଳି ବିଧାନସଭାକୁ ଅଚଳ କଲେ, ତାହା ରାଜ୍ୟବାସୀ ଦେଖିଲେ। ବିଧାନସଭା ଭିତରେ ଲୋକଙ୍କ ଏହି ମୌଳିକ ସମସ୍ୟା ଉଠାଇବା ବଦଳରେ ହୋହଲ୍ଲା କରିବା ପରେ ବିଜେପି ବିଧାୟକ ଦଳ ରାଜ୍ୟପାଳଙ୍କୁ ଭେଟି ଏଥିପାଇଁ ବିଜେଡିକୁ ଦାୟୀ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଲଜ୍ଜାଜନକ। ବିଜେପିର ଏହା ଦୋମୁହାଁ ନୀତି ବୋଲି ବିଜେଡି କହିଛି।

Advertisment

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ଓଡିଶାର ସାଧାରଣ ଲୋକେ ରନ୍ଧନ ଗ୍ୟାସ ଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲର ଆକାଶଛୁଆଁ ଦରବୃଦ୍ଧିରେ ନୟାନ୍ତ ହୋଇଗଲେଣି। କେନ୍ଦ୍ର ସରକାର ଏହି ସବୁ ସାମଗ୍ରୀର ଦର ନିୟନ୍ତ୍ରଣ କରିପାରୁ ନାହାନ୍ତି। ଏଥିରୁ ନଜର ହଟାଇବାପାଇଁ ବିଜେପି ବିଧାୟକମାନେ ଓଡିଶା ବିଧାନସଭାକୁ ଅଚଳ କରି ରଖିଲେ। ବାଚସ୍ପତି ବାରମ୍ବାର ସର୍ବଦଳୀୟ ବୈଠକ ଡାକି ବିଧାନସଭାରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁରୋଧ କଲେ। ମାତ୍ର ବିଧାନସଭା ଚଳାଇ ନଦେବା ଲାଗି ବିଜେପି ବିଧାୟକମାନେ କେତେବେଳେ ଘଣ୍ଟ ବଜାଇଲେ ତ ଆଉ କେତେବେଳେ ହୋହଲ୍ଲା କଲେ। ବିଧାନସଭାକୁ ନିର୍ଦ୍ଧାରିତ ଅବଧି ପୂର୍ବରୁ ବନ୍ଦ କରିବାକୁ ବାଚସ୍ପତିଙ୍କୁ ବାଧ୍ୟ କଲେ। ବିଜେପିର ଏହି ନାଟକବାଜିକୁ ରାଜ୍ୟବାସୀ ଟିଭି ମାଧ୍ୟମରେ ଦେଖିବା ପରେ ବି ବିଜେପି କେଉଁ ମୁହଁରେ ରାଜ୍ୟପାଳଙ୍କୁ ବାଚସ୍ପତି ଓ ଶାସକ ଦଳ ବିରୋଧରେ ଫେରାଦ ହେବାକୁ ଗଲା, ତାହା ଆଶ୍ଚର୍ଯ୍ୟଜନକ। ରାଜ୍ୟବାସୀଙ୍କ ମୌଳିକ ସ୍ୱାର୍ଥକୁ ଉପେକ୍ଷା କରିବା ବିଜେପି ପାଇଁ ମହଙ୍ଗା ପଡ଼ିବ।

ରାଜ୍ୟ ବିଜେପିର ଏଭଳି ଆଚରଣ ଯୋଗୁଁ ଓଡ଼ିଶାବାସୀ ଏହି ଦଳକୁ ବାରମ୍ବାର ପ୍ରତ୍ୟାଖାନ କରୁଛନ୍ତି। ଯେଉଁଥିପାଇଁ ବିଜେପିର ଆଗଧାଡିର ନେତାମାନେ ଜଣଙ୍କ ପରେ ଜଣେ ଦଳ ଛାଡୁଛନ୍ତି। ଆଗାମୀ ଦିନରେ ଏହା ଆହୁରି ବଢିବ। ରାଜ୍ୟ ବିଜେପିର ୮ଜଣ ଯାକ ସାଂସଦ ଦିଲ୍ଲୀରେ ଓଡିଶାବାସୀଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ଲଢେଇ କରିବା ଲାଗି ଜଗନ୍ନାଥ ସେମାନଙ୍କୁ ସଦ୍‍ବୁଦ୍ଧି ଦେବାକୁ ବିଜେଡି ପ୍ରାର୍ଥନା କରୁଛି । ଆଗାମୀ ଦିନରେ ରାଜ୍ୟର ସଚେତନ ଲୋକେ ଏଭଳି ଦଳକୁ ଉଚିତ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।