ଭୁବନେଶ୍ବର : ଗ୍ରାମୀଣ ଗୃହ ନିର୍ମାଣ ଯୋଜନାକୁ ନେଇ ବଡ଼ ଧରଣର ବିବାଦ ମୁଣ୍ଡ ଟେକିଲାଣି। କେନ୍ଦ୍ର ସରକାର ଚିଠି ଲେଖି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ବିଜୁ ପକ୍କା ଘର ଲୋଗୋ ବ୍ୟବହାର ନକରିବା ଲାଗି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କର ଏଭଳି ପତ୍ର ଯୋଗୁ ଉକ୍ତ ପ୍ରସଙ୍ଗ ଏବେ ଭୀଷଣ ରୂପ ଧାରଣ କରିଛି। ଶାସକ ବିଜେଡି ଏହାର ତୀବ୍ର ପ୍ରତିବାଦ କରିଛି। ଯଦି ଓଡିଶାବାସୀଙ୍କ ଟଙ୍କାରେ ଘର ତିଆରି ହେଉଛି, ତେବେ ବିଜୁଙ୍କ ଲୋଗୋ ଲଗାଯିବାରେ ଅସୁବିଧା କେଉଁଠି ରହିଲା ବୋଲି ବିଜେଡି ପ୍ରଶ୍ନ କରିଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିବା ସହିତ ଶାସକ ଦଳ ଆହୁରି ଅଭିଯୋଗ କରିଛି ଯେ ବିଜେପି ସାଂସଦମାନେ ଓଡ଼ିଶାରେ ଗୃହ ନିର୍ମାଣ ଯୋଜନା ବନ୍ଦ ପାଇଁ ଷଡ଼୍‌ଯନ୍ତ୍ର କରୁଛନ୍ତି।

Advertisment

ଆଜି ଏଠାରେ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ ଏବଂ ଓଟିଡିସି ଅଧ୍ୟକ୍ଷା ତଥା ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ ଗର୍ଜନ କରିଛନ୍ତି। ସେମାନେ କହିଛନ୍ତି ଯେ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ସରକାର ଓଡିଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି। ଏ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ପାଞ୍ଚ ବର୍ଷ ଭିତରେ ଓଡିଶା ୧୫ ଲକ୍ଷ ୭୩ ହଜାର ଗୃହ ନିର୍ମାଣ କରିଛି ଏବଂ ଏ ବାବଦରେ କେନ୍ଦ୍ର ସରକାର ୧୨,୯୨୮କୋଟି ୯ଲକ୍ଷ ଟଙ୍କା ଦେଇଛନ୍ତି। ଓଡିଶା ସରକାର ମଧ୍ୟ ୮୫୧୮କୋଟି ୭୩ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଏବେ ଯାହା ଜଣାପଡ଼ୁଛି, ବିଜେପି ସାଂସଦମାନେ ଏହି ଯୋଜନାକୁ ବନ୍ଦ କରିବାକୁ ଷଡଯନ୍ତ୍ର ଚଳାଇଛନ୍ତି। ପାଖାପାଖି ବର୍ଷେରୁ ଅଧିକ ସମୟ ଧରି ଏହି ଯୋଜନାକୁ ବନ୍ଦ କରାଯାଇଛି। ଓଡିଶାର ୩୦ହଜାର ଗାଁର ଲୋକେ ଏହି ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି। କିନ୍ତୁ କେବଳ ୩୦୦ ଗାଁର ଅନିୟମିତତା ଅଭିଯୋଗ ଆଣି ଓଡିଶାର ସାଢେ ୪କୋଟି ଲୋକଙ୍କର ହକ୍‍କୁ ବିଜେପି ସାଂସଦମାନେ ବାଧା ଦେଇଛନ୍ତି।

ଫନି, ଅମ୍ଫାନ୍‌ ଭଳି ପ୍ରାକୃତିକ ଦୁର୍ବିପାକକୁ ଓଡ଼ିଶା ସାମ୍ନା କରିଛି। ଏଥିରେ ଅନେକ ଲୋକ ବାସହୀନ ହୋଇଗଲେ। ଆଜି ଦିନରେ ଘର ଖଣ୍ଡିଏ ପାଇବା ପାଇଁ ବହୁ ଲୋକ ଅପେକ୍ଷା କରି ଅଛନ୍ତି। ମୁଣ୍ଡ ଉପରେ ଛାତ ଖଣ୍ଡେ ପାଇଁ ଅନାଇ ବସିଥିବା ଓଡିଶାର ବାସହୀନ ଲୋକଙ୍କ ଉପରେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ପଡ଼ୁନି। ହେଲେ ବିଜେପି ଶାସିତ ରାଜ୍ୟ ଗୁଜୁରାଟ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଭଳି ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଗୃହ ଯୋଗାଇ ଦେଉଛନ୍ତି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା ଓଡିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରିବା ସହିତ ଓଡିଶାବାସୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରି ରଖିଛନ୍ତି। ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ଗ୍ରାମୀଣ ଗୃହ ନିର୍ମାଣରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ ଅନୁପାତ ଯଥାକ୍ରମେ ୯୦:୧୦ ଥିଲା। ବର୍ତ୍ତମାନ ଏହି ଅନୁପାତ ୬୦:୪୦ ହୋଇଛି। ଓଡିଶା ସରକାର ପ୍ରୋତ୍ସାହନ, ପ୍ରାଶାସନିକ ସହାୟତା ଏବଂ ତଦାରଖ ବାବଦରେ ହେଉଥିବା ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି। ଯଦି ଓଡିଶାବାସୀଙ୍କର ଟଙ୍କା ଘର ତିଆରିରେ ଖର୍ଚ୍ଚ ହେଉଛି ତେବେ ବିଜୁ ପକ୍କାଘର ଲୋଗୋ ଲଗାଯିବାରେ ଅସୁବିଧା କେଉଁଠି ରହିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଗୁଜୁରାଟ ଓ ମଧ୍ୟପ୍ରଦେଶରେ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ତତ୍କାଳୀନ ରାଜ୍ୟ ସରକାର ଗ୍ରାମୀଣ ଆବାସ ଯୋଜନାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ନିଜସ୍ୱ ଲୋଗୋ ବ୍ୟବହାର କରୁଥିଲେ।

ବିଜେଡି ଆହୁରି କହିଛି ଯେ ଗତ ଫେବୃୟାରି ୧୯ ତାରିଖରେ ବିଧାନସଭାରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେବେ ଉଭୟ ଯୋଜନାର ଲୋଗୋକୁ ହିତାଧିକାରୀଙ୍କ ଗୃହରେ ଲଗାଯିବା ପାଇଁ ମନ୍ତ୍ରୀ ଗୃହକୁ ଅବଗତ କରିଥିଲେ। ରାଜ୍ୟ ସରକାର କେନ୍ଦ୍ରକୁ ଲିଖିତ ଆକାରରେ ଏ ବିଷୟରେ ଜଣାଇଛନ୍ତି। ହେଲେ ପରିତାପର ବିଷୟ ଯେ କେନ୍ଦ୍ର ସରକାର ଓଡିଶାବାସୀଙ୍କୁ ଧୋକା ଦେଇଛନ୍ତି। ଯଦି ଓଡିଶାବାସୀଙ୍କ ପଇସା ଖର୍ଚ୍ଚ ହେଉଛି ତେବେ ହିତାଧିକାରୀଙ୍କ ଗୃହରେ ବିଜୁ ପକ୍କାଘର ଲୋଗୋ ଲଗାଇବା ପାଇଁ ମନା କରାଯାଉଛି କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି।