ବର୍ଷିଲା ବିଜେଡି : ଉଜ୍ଜ୍ୱଳା ଯୋଜନାରେ ବଡ଼ ଦୁର୍ନୀତି

‘ସ୍କିଲ୍‌ ଇଣ୍ଡିଆରେ ବି ଦୁର୍ନୀତି ହୋଇଛି’

ଭୁବନେଶ୍ୱର : ଓଡ଼ିଶାରେ ଉଜ୍ଜ୍ୱଳା ଯୋଜନା ବିଫଳ ହୋଇଛି। ଏହି ଯୋଜନା ଏହାର ମୌଳିକ ଲକ୍ଷ୍ୟ ହାସଲ କରିପାରି ନାହିଁ। ଏହି ଯୋଜନାରେ ଯେଉଁମାନଙ୍କୁ ଗ୍ୟାସ୍‌ ସଂଯୋଗ ଯୋଗାଇ ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ଦ୍ୱିତୀୟ ଥର ପାଇଁ ସିଲିଣ୍ଡରରେ ଏଲ୍‌ପିଜି ଭର୍ତ୍ତି କରିପାରୁନାହାନ୍ତି। ରାଜ୍ୟରେ ପିସି କାରବାର ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାରଙ୍କୁ ଆକ୍ଷେପ କରିବାର କିଛି ସମୟ ମଧ୍ୟରେ ବିଜୁ ଜନତା ଦଳ (ବିଜେଡି) ମଧ୍ୟ କେନ୍ଦ୍ର ସରକାରଙ୍କ ଗୋହି ଖୋଳିବା ଆରମ୍ଭ କରିଦେଇଛି।

ବିଜେଡି ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି, ସାଂସଦ ପ୍ରଶାନ୍ତ ନନ୍ଦ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଅଣତାରକା ପ୍ରଶ୍ନ ପଚାରିଥିଲେ। ମନ୍ତ୍ରୀ ତାହାର ଉତ୍ତରରେ କହିଥିଲେ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାର ୩୦ ଲକ୍ଷ ୪୮ ହଜାର ପରିବାରକୁ ଏଲ୍‌ପିଜି ସିଲିଣ୍ଡର ଦୁଇ ବର୍ଷ ମଧ୍ୟରେ ପ୍ରଦାନ କରାଯାଇଛି। କିନ୍ତୁ ୨୦୧୬-୧୭ ଆର୍ଥିକ ବର୍ଷରେ କେବଳ ୮ ଲକ୍ଷ ୧୮ ହଜାର ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ ୬ ଲକ୍ଷ ୪୫ ହଜାର ହିତାଧିକାରୀ ସିଲିଣ୍ଡରରେ ଏଲ୍‌ପିଜି ଭର୍ତ୍ତି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିଜ ଜିଲ୍ଲା ଅନୁଗୁଳରେ ଗତ ୨ ବର୍ଷରେ ୧ ଲକ୍ଷ ୫ ହଜାର ୫୦୮ ଗ୍ୟାସ୍‌ ସଂଯୋଗ ଯୋଗାଇ ଦିଆଯାଇଥିବା ବେଳେ ୨୦୧୬-୧୭ରେ କେବଳ ୩୫,୪୦୬ ଜଣ ଗ୍ୟାସ୍‌ ଭର୍ତ୍ତି କରିଥିବା ବେଳେ ୨୦୧୭-୧୮ରେ ଏହା ୧୬ ହଜାର ୯୫୦କୁ ହ୍ରାସ ପାଇଛି। ତେଣୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ସିଲିଣ୍ଡର ପାଉଥିବା ବ୍ୟକ୍ତି ଦ୍ୱିତୀୟ ଥର ପାଇଁ ଗ୍ୟାସ୍‌ ସଂଯୋଗ କରିବାକୁ ଯାଉନାହାନ୍ତି। ଏଥିରୁ ଏହି ଯୋଜନା ବିଫଳ ହୋଇଛି ବୋଲି ପ୍ରମାଣିତ ହୋଇଥିବା ଶ୍ରୀ ଦେବ କହିଛନ୍ତି।

ଏହି ଯୋଜନାର ହିତାଧିକାରୀ ଚୟନ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦେଇନାହାନ୍ତି। ହିତାଧିକାରୀଙ୍କ ତାଲିକା ବିଜେପି ନେତାଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ଏବଂ ଭାରତୀୟ ତୈଳ ନିଗମ ଦ୍ୱାରା ଆୟୋଜିତ ଉତ୍ସବରେ ବିଜେପି ନେତାମାନେ ହିଁ ଏହାକୁ ବଣ୍ଟନ କରୁଛନ୍ତି। ତେଣୁ ସିଲିଣ୍ଡର୍‌ରେ ଏଲ୍‌ପିଜି ଭର୍ତ୍ତି କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦାୟୀ କରିପାରିବେ ନାହିଁ।

ଏତଦ୍‌ବ୍ୟତୀତ ଶ୍ରୀ ଦେବ ଏହା ମଧ୍ୟ କହିଛନ୍ତି ଯେ ଏହି ଯୋଜନାରେ ପ୍ରଥମେ କେନ୍ଦ୍ର ଲୋକଙ୍କୁ ଆକର୍ଷିତ କରିବା ପାଇଁ ମାଗଣା ଏଲ୍‌ପିଜି ପ୍ରଦାନ କରୁଛି। ଏହାପରେ ହିତାଧିକାରୀଙ୍କୁ ବଜାର ଦରରେ ଏଲ୍‌ପିଜି ଭର୍ତ୍ତି କରିବାକୁ କହୁଛି। ଏ ବାବଦ ସବ୍‌ସିଡି ରାଶି ମଧ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଠିକ୍‌ ସମୟରେ ଯାଉନାହିଁ। ଏଲ୍‌ପିଜି ସିଲିଣ୍ଡରର ଦର ବୃଦ୍ଧି, ବ୍ୟାଙ୍କିଙ୍ଗ୍‌ ଓ ଇଣ୍ଟରନେଟ୍‌ ସୁବିଧାର ଅଭାବ ଏହି ଯୋଜନା ବିଫଳ ହେବାର ପ୍ରମୁଖ କାରଣ ବୋଲି ଶ୍ରୀ ଦେବ କହିଛନ୍ତି। ଏହି ଅବସରରେ ବିଜେଡି ପ୍ରବକ୍ତା ସସ୍ମିତ ପାତ୍ର ଓ ସମ୍ପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।

ସେହିଭଳି ରାଜନେତାଙ୍କ ପୃଷ୍ଠପୋଷକତା ଲାଭ କରିଥିବା ଟାଉଟର ଓ ମଧ୍ୟସ୍ଥିମାନଙ୍କ ପାଇଁ ସ୍କିଲ ଇଣ୍ଡିଆ ମିସନ୍‌ ବା କୌଶଳ ଭାରତ ମିସନ୍‌ ଦୁର୍ନୀତିର ଏକ ମାଧ୍ୟମ ପାଲଟି ଯାଇଛି। ଆଧାର ତଥ୍ୟର ଅପବ୍ୟବହାର କରି ତୁରନ୍ତ ବିଲିଂ କରିବା ବାଟ ଏସବୁ ବ୍ୟକ୍ତିମାନଙ୍କ ପାଇଁ ଉକ୍ତ ଯୋଜନା ଫିଟାଇ ଦେଇଛି। ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ମଧ୍ୟସ୍ଥିମାନେ ହଡ଼ପ କରୁଛନ୍ତି। ମୋଦୀ ସରକାରଙ୍କ ଏହି ଯୋଜନା ଏକ ବଡ଼ ଦୁର୍ନୀତିରେ ପରିଣତ ହୋଇଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି।

ବିଜେଡି ପକ୍ଷରୁ କୁହାଯାଇଛି, ବିଜେପି ଦଳ ସହ ସଂଶ୍ଳିଷ୍ଟ ଥିବା ବ୍ୟକ୍ତି, ସେମାନଙ୍କ ନିକଟତମ ବ୍ୟକ୍ତି, ମଧ୍ୟସ୍ଥ, ଟାଉଟର ଏବଂ ମାଫିଆମାନେ ଏହି ଯୋଜନାର ଅର୍ଥକୁ କିଭଳି ହଡ଼ପ କରୁଛନ୍ତି ତାହା ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ତଦନ୍ତରୁ ଜଣାଯାଇଛି। ଯୁବକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ହୋଇଥିବା ଏହି ଯୋଜନା ବିଜେପିର ବନ୍ଧୁମାନଙ୍କ ପାଇଁ ଶ୍ରୀଘ୍ର ବିଲିଂ କରିବା ଯୋଜନାରେ ପରିଣତ ହୋଇଛି। ମୋଦୀ ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରାଳୟ ପକ୍ଷରୁ ଯୁବକମାନଙ୍କ ଦକ୍ଷତା ବିକାଶ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନା ଦୁର୍ନୀତିଖୋରଙ୍କ ପାଇଁ ଏକ ଲାଭଦାୟକ ବ୍ୟବସାୟର ବାଟ ଫିଟାଇ ଦେଇଛି।

ସମ୍ବନ୍ଧିତ ଖବର