ପ୍ରତିହିଂସା ପରାୟଣ ହୋଇ ଶାଳୀନତା ଭୁଲୁଛନ୍ତି ବିଜେପି ନେତ୍ରୀ: ବିଜେଡି

ଭୁବନେଶ୍ବର : ଶାଳୀନତା ରକ୍ଷା ସହିତ ନିମ୍ନରୁଚିର ମନ୍ତବ୍ୟ ନଦେବାପାଇଁ ବାରମ୍ବାର ଅନୁରୋଧ ସତ୍ତ୍ବେ ବି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଏଥିରୁ ନିବୃତ୍ତ ରହୁନାହାନ୍ତି। ପ୍ରତିହିଂସା ପରାୟଣ ସହିତ ବ୍ୟକ୍ତିଗତ ରାଗ ଶୁଝାଇବା ପାଇଁ ସେ ଗଣମାଧ୍ୟମରେ ବକ୍ତବ୍ୟ ରଖୁଛନ୍ତି ବୋଲି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଆଜି ଅଭିଯୋଗ କରିଛନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ ଡକ୍ଟର ପାତ୍ର କହିଛନ୍ତି ଯେ ୨୦୧୪ ଓ ୨୦୧୯ରେ ଲେଖାଶ୍ରୀ ବିଜେଡି ଟିକଟ ଖଣ୍ଡିଏ ପାଇବା ପାଇଁ ଉଦ୍ୟମ କରୁଥିଲେ। ହେଲେ ବିଜେଡି ଏଥିରେ ରାଜି ନହେବାରୁ ସେ ହତୋତ୍ସାହିତ ହୋଇଯାଇଛନ୍ତି। ୨୦୧୯ ମସିହାରେ ଯେତେବେଳେ ତୁଷାରକାନ୍ତି ବେହେରା ଓ ଭାଗିରଥୀ ସେଠୀ ବିଜେଡିରେ ଯୋଗଦେଲେ ସେତେବେଳେ ଲେଖାଶ୍ରୀ ବିଜେଡିର ଏବେର ସାଧାରଣ ସମ୍ପାଦକ(ସଂଗଠନ)ଙ୍କୁ ଦଳରେ ମିଶିବାପାଇଁ ଅନୁରୋଧ କରିବା ସହିତ ତାଙ୍କୁ ବିଜେପି ଏକଘରକିଆ କରୁଥିବା କହିଥିଲେ। ଏପରିକି ସେ କହିଥିଲେ ଯେ ଯେଉଁମାନେ ନିଜର ଚାକିରି ଓ ବୃତ୍ତି ଛାଡି ବିଜେଡିେର ଯୋଗ ଦେଉଛନ୍ତି ସେମାନଙ୍କୁ ଏଠାରେ ସୁଯୋଗ ମିଳୁଛି। ହେଲେ ସେ ଶିକ୍ଷକତା ଛାଡି ବିଜେପିରେ ମିଶିଥିଲେ ମଧ୍ୟ ଦଳରେ ନିଜର କୌଣସି ଭବିଷ୍ୟତ ଦେଖିପାରୁ ନାହାନ୍ତି। ତେଣୁ ବିଜେଡିରୁ ଖଣ୍ଡିଏ ଟିକଟ ପାଇବାପାଇଁ ଅନୁରୋଧ କରିଥିଲେ।

ଡକ୍ଟର ପାତ୍ର କହିଛନ୍ତି, ଅତୀତ କାର୍ଯ୍ୟକଳାପକୁ ଅନୁଧ୍ୟାନ କଲାପରେ ଦଳ ତାଙ୍କୁ ଗ୍ରହଣ କରିନଥିଲା। ସେବେଠାରୁ ସେ ପ୍ରତିହିଂସା ପରାୟଣ ଏବଂ କ୍ରୋଧିତ ହୋଇପଡିଥିବାବେଳେ ଏବେ ରୁଚିହୀନ ମନ୍ତବ୍ୟମାନ ଦେଉଛନ୍ତି। ଏପରିକି ଦଳରେ ମିଶିବା ପାଇଁ ଯେଉମାନଙ୍କୁ ଅନୁରୋଧ କରୁଥିଲେ, ତାଙ୍କ ବିରୋଧରେ ମନ୍ତବ୍ୟ ଦେବାକୁ ବି ପଛାଉନାହାନ୍ତି। ବିଜେଡି କହିଛି, ମହିଳା ହିଂସା ଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି ନକରିବା ପାଇଁ ବିଜେଡି ବାରମ୍ବାର କହି ଆସିଛି। ହେଲେ ଦୁର୍ଭଗ୍ୟର କଥା ବିଜେପି ନେତାମାନେ ଏଭଳି ଘଟଣାକୁ ନେଇ ଅତ୍ୟନ୍ତ ନିମ୍ନରୁଚିର ରାଜନୀତି କରୁଛନ୍ତି। ଯଦି ଏଭଳି ସ୍ପର୍ଶକାତର ଘଟଣାରେ କୌଣସି ବ୍ୟକ୍ତିଙ୍କ ବିରୋଧରେ ବିଜେପି ନିକଟରେ କିଛି ତଥ୍ୟ ପ୍ରମାଣ ଥାଏ ତେବେ ତାହାକୁ ପୁଲିସ୍‍, ଅଦାଲତଙ୍କୁ ଦେବା ସହିତ ସର୍ବସାଧାରଣରେ ପ୍ରକାଶ ଲାଗି ଡକ୍ଟର ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର