ଘର କଳି ବଢ଼ିଲା : କେନ୍ଦ୍ରକୁ ବିଜେଡିର ଟାର୍ଗେଟ, ୧୪ଲକ୍ଷ ଯୋଗ୍ୟ ହିତାଧିକାରୀ ହତାଶ

କେନ୍ଦ୍ର ଦେଉନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର
ବିଜେପି ଶାସିତ ରାଜ୍ୟକୁ ମିଳୁଛି, ଓଡ଼ିଶା ଭାଗ ନାହିଁ
ରାଜ୍ୟ ବିଜେପି ସାଂସଦଙ୍କ ଭୂମିକାକୁ ନେଇ ପ୍ରଶ୍ନ
ଟୁଇଟ୍‌ କଲେ ପ୍ରଣବ ପ୍ରକାଶ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପ୍ରସଙ୍ଗକୁ ନେଇ ଆଜି ଶାସକ ବିଜେଡି କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛି। ଅଭିଯୋଗ କରିଛି ଯେ କେନ୍ଦ୍ର ସରକାର ଯୋଜନାବଦ୍ଧ ଭାବେ ଓଡ଼ିଶାର ୧୪ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ କରିଛନ୍ତି। ଆବାସ ଯୋଜନାରେ ମନରେଗା ବାବଦରେ ଯେଉଁ ପ୍ରାପ୍ୟ ମିଳିବା କଥା ସେ ଟଙ୍କା ମଧ୍ୟ ମିଳୁନାହିଁ। ଗୋଟିଏ ପଟେ ଦଳ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଅନ୍ୟପଟେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ୍ କରି ବିଜେପିକୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଯେ ଓଡ଼ିଶା ଲୋକ ବିଜେପି ସାଂସଦଙ୍କୁ ନିର୍ବାଚିତ କରିଥିଲେ ଏଇଥିପାଇଁ ଯେ ସେମାନେ ରାଜ୍ୟ ସ୍ବାର୍ଥ ପାଇଁ ଲଢ଼ିବେ। ମାତ୍ର ସେମାନେ କେବିକେ ଯୋଜନା, ବିଆର୍‌ଜିଏଫ୍ ଏବଂ ୧୪ଲକ୍ଷ ଆବାସ ବନ୍ଦ କରି ଏହି ଭଲପାଇବାର ପ୍ରତିଦାନ ଦେଇଛନ୍ତି।

ଶୁକ୍ରବାର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜୁ ଯୁବ ଜନତା ଦଳ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଏବଂ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଏ କ୍ଷେତ୍ରରେ ଓଡ଼ିଶା ପ୍ରତି ବଡ଼ ଧରଣର ପାତର ଅନ୍ତର କରୁଛନ୍ତି। ବିଜେପି ଶାସିତ ରାଜ୍ୟକୁ ଘର ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଥିବା ବେଳେ ଓଡ଼ିଶା ଅବହେଳିତ ହୋଇଛି। ବିସ୍ମୟକର କଥା ହେଲା ଏୟା ଯେ ବିଜେପି ସାଂସଦମାନେ ଓଡ଼ିଶା ଲୋକଙ୍କ ପାଇଁ ଲଢ଼ିବା ପରିବର୍ତ୍ତେ ରାଜ୍ୟବାସୀଙ୍କୁ ତାଙ୍କ ହକ୍‌ରୁ ବଞ୍ଚିତ ପାଇଁ ଅଣ୍ଟା ଭଡ଼ିଛନ୍ତି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ସାକ୍ଷାତ କରି ଓଡ଼ିଶା କିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୋଟାରୁ ବଞ୍ଚିତ ହେବ, ସେ ଦିଗରେ ତତ୍ପରତା ଦେଖାଇଛନ୍ତି। କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ସାମାଜିକ ଅର୍ଥନୈତିକ ଗଣନା ରିପୋର୍ଟ ଅନୁସାରେ ପକ୍କା ଘର ଦେଇଥାନ୍ତି। ବର୍ତମାନ ଏ କ୍ଷେତ୍ରରେ ୱେଟିଂ ଲିଷ୍ଟ ସମ୍ପୂର୍ଣ୍ଣ ହୋଇଯାଇଛି। କେନ୍ଦ୍ରର ଏହି ଅବହେଳା ପାଇଁ ଓଡ଼ିଶାକୁ ଦିଆଯାଇଥିବା ୬ଲକ୍ଷ ଘର ନିର୍ମାଣ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ସେହିପରି ମହାବାତ୍ୟା ଫନିରେ ରାଜ୍ୟର ୧୪ ଜିଲ୍ଲା ପ୍ରଭାବିତ ହୋଇଥିଲା। ସେ ସମୟରେ ୮ଲକ୍ଷ ଘରକୁ ଆବାସ ପ୍ଲସରେ ତାଲିକାଭୁକ୍ତ କରାଯାଇଛି। ହେଲେ ଏଯାଏ ଏମାନଙ୍କୁ କେନ୍ଦ୍ରର େଵଟିଂ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ଅଥଚ ରାଜ୍ୟ ସରକାର ସେମାନଙ୍କୁ ଯୋଗ୍ୟ ହିତାଧିକାରୀ ବୋଲି ଚିହ୍ନଟ କରି ତାଲିକା କରିଛନ୍ତି। ଏହିଭଳି ଭାବେ ରାଜ୍ୟରେ ୧୪ଲକ୍ଷ ଯୋଗ୍ୟ ହିତାଧିକାରୀ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଇଚ୍ଛାଶକ୍ତି ଅଭାବ ଯୋଗୁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଦଳ ଅଭିଯୋଗ ଆଣିଛି।

Amar Ujala

ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଗୁଜରାଟ, ସିକିମ୍, ଲଦାଖ, ଦାଦ୍ରା ନଗର ହାବେଳି ଆଦିରେ କେନ୍ଦ୍ର ସରକାର ଆଵାସ ପ୍ଲସ୍‌ରେ ନୂତନ ହିତାଧିକାରୀଙ୍କୁ ସାମିଲ କରିସାରିଲେଣି। ଓଡ଼ିଶା ବାଦ୍‌ ପଡ଼ିଛି। ୨୦୧୬-୧୭ ଓଡ଼ିଶା ସମଗ୍ର ଦେଶରେ ଦ୍ବିତୀୟ ଓ ୨୦୧୭-୧୮ରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦ୍ରର ଏଭଳି ବୈମାତୃକ ମନୋଭାବ ନିନ୍ଦନୀୟ। ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ପକ୍କାଘର ଦେବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ। ଅାନୁଷଙ୍ଗିକ କାଗଜପତ୍ର ଏବଂ ଆଧାର କାର୍ଡ ଆଦି ମଗାଯାଇଥିଲା। ହେଲେ ଘର ମିଳିଲା ନାହିଁ। ଅନ୍ୟପକ୍ଷରେ କିଛି ଦିନ ତଳେ ୭ଜଣ ବିଜେପି ସାଂସଦଙ୍କ ଅଭିଯୋଗ କ୍ରମେ କେନ୍ଦ୍ର ସରକାର ୭ଜଣିଆ କେନ୍ଦ୍ରୀୟ ଟିମ୍ ଓଡ଼ିଶାକୁ ପଠାଇଥିଲେ। ୮୭୨ଟି ଘର ଉପରେ ଅଭିଯୋଗ ହୋଇଥିଲା। ସେଥିରୁ ମୋଟ ୯୦ ଜଣ ଘର ପାଇଛନ୍ତି। ହେଲେ ଏହି ଅଳ୍ପ ସଂଖ୍ୟକ ଲୋକଙ୍କୁ ଆଳ କରି କେନ୍ଦ୍ର ସରକାର ପୂରା ୧୪ଲକ୍ଷ ଲୋକଙ୍କୁ କାହିଁକି ବଞ୍ଚିତ କରିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ସେହିପରି ଇନ୍ଦିରା ଆବାସରେ େକନ୍ଦ୍ରୀୟ ଅଂଶଧନ ୭୫ ପ୍ରତିଶତ ଓ ରାଜ୍ୟ ଭାଗ ୨୫ ପ୍ରତିଶତ ଥିଲା। ଏନ୍‌ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ରାଜ୍ୟ ଭାଗ ଯଥାକ୍ରମେ ୬୦: ୪୦ ହୋଇଥିଲା। ଏହା ଫଳରେ ଓଡ଼ିଶା ଉପରେ ଅଧିକ ଆର୍ଥିକ ଚାପ ବଢ଼ିଥିଲା। ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଦେଉଛନ୍ତି। ଯେଉଁମାନେ ୪ମାସରେ ଶେଷ କରୁଛନ୍ତି ସେମାନଙ୍କୁ ୨୦ ହଜାର ଟଙ୍କା, ଯେଉଁମାନେ ୬ମାସରେ ଶେଷ କରୁଛନ୍ତି, ସେମାନଙ୍କୁ ୧୦ ହଜାର ଦିଆଯାଉଛି। ଇଞ୍ଜିନିୟରଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ଅର୍ଥ ରାଜ୍ୟ ବହନ କରୁଛି ଏବଂ ଏହାକୁ ଆକଳନ କଲେ ଦେଖାଯାଉଛି ଯେ କେନ୍ଦ୍ରୀୟ ଅନୁଦାନ ଯେତିକି ରାଜ୍ୟ ଅନୁଦାନ ବି ସେତିକି (୫୦: ୫୦)। ଦଳ ଆହୁରି ସାଂଘାତିକ ଅଭିଯୋଗ ଆଣି କହିଛି ଯେ ପ୍ରତି ଘର ପିଛା ମନରେଗା ବାବଦରେ ୧୬ହଜାରରୁ ୧୯ ହଜାର ଟଙ୍କା ଦିଆଯାଏ। ୯୦ରୁ ୯୫ ଦିନ ଦୈନିକ ପାରିଶ୍ରମିକ ହିସାବରେ ହିତାଧିକାରୀ ପାଇଥାନ୍ତି। ମାତ୍ର କିଛି ବର୍ଷ ହେଲା କେନ୍ଦ୍ର ସରକାର ଏ ବାବଦ ଅର୍ଥ ଦେଉନଥିବାରୁ ଅସନ୍ତୋଷ ବଢ଼ିଥିବା ବିଜେଡି ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର