ବିଜୁ ପକ୍କା ଘର ଲୋଗୋକୁ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ: ଓଡ଼ିଶାବାସୀଙ୍କ ଟଙ୍କା ଖର୍ଚ୍ଚ ହେଉଛି, ଲୋଗୋ ରହିଲେ ଅସୁବିଧା କେଉଁଠି?

ଭୁବନେଶ୍ବର: ବିଜୁ ପକ୍କାଘର ଲୋଗୋ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡି ଟାର୍ଗେଟ କରିଛି । ବିଜେଡି କହିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଅଂଶଧନ ଅଛି । ବିଜୁ ପକ୍କା ଘର ଯୋଜନାରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଥିଲା ସେହି ଅର୍ଥ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖର୍ଚ୍ଚ ହେଉଛି । ଗ୍ରାମୀଣ ଗୃହ ନିର୍ମାଣରେ ଓଡିଶା କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କୃତ ହୋଇଥିଲା । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧୁକାର କରିଛି । ଓଡ଼ିଶା ୫ ବର୍ଷ ଭିତରେ ୧୫,୭୩,୦୦୦ ଗୃହ ନିର୍ମାଣ କରିଛି । ଏହି ବାବଦରେ କେନ୍ଦ୍ର ସରକାର ପ୍ରାୟ ୧୨ ହଜାର ୯୨୮ କୋଟି ଖର୍ଚ୍ଚ ହୋଇଥିଲାବେଳେ ରାଜ୍ୟର ପ୍ରାୟ ୮ ହଜାର ୫ ଶହ ୧୮ କୋଟି ଖର୍ଚ୍ଚ ହୋଇଛି ।

ବିଜେପି ସାଂସଦ ମାନେ ଏହି ଯୋଜନାକୁ ବନ୍ଦ କରିବାକୁ ଷଡଯନ୍ତ୍ର ଚଲାଇଛନ୍ତି । ପାଖାପାଖି ଏକ ବର୍ଷରୁ ଅଧିକ ସମୟ ହେବ ଏ ଯୋଜନାକୁ ବନ୍ଦ କରାଯାଇଛି । ଓଡିଶାର ୩୦ ହଜାର ଗାଁର ଲୋକେ ଏ ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି । କିନ୍ତୁ କେବଳ ୩ ଶହ ଗାଁର ଅନିୟମିତତା ଦର୍ଶାଇ ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କର ହକକୁ ବାଧା ଦେଇଛନ୍ତି ବିଜେପିର ସାଂସଦ ମାନେ ।

ପୂର୍ବରୁ ଗ୍ରାମୀଣ ଗୃହ ନିର୍ମାଣରେ କେନ୍ଦ୍ର ସରକାରଙ୍କର ଏବଂ ରାଜ୍ୟ ସରକାରଙ୍କ ସେୟାର ୯୦:୧୦ ଥିଲା । ଏବେ ତାହା ୬୦: ୪୦ ହୋଇଛି । ଏହି ଯୋଜନାରେ ରାଜ୍ୟ ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛି । ଓଡ଼ିଶାବାସୀଙ୍କର ଟଙ୍କା ଖର୍ଚ୍ଚ ହେଉଛି ତେବେ ବିଜୁ ପକ୍କାଘର ଲୋଗୋ ଲଗାଯିବାରେ ଅସୁବିଧା କେଉଁଠି ରହିଲା ବୋଲି ବିଜେଡି ପ୍ରଶ୍ନ କରିଛି । ରାଜ୍ୟ ସରକାର କେନ୍ଦ୍ରକୁ ଲିଖିତ ଆକାରରେ ଏ ବିଷୟରେ ଅବଗତ କରାଇଥିଲେ । ଦୁଃଖ ଏବଂ ପରିତାପର ବିଷୟ କେନ୍ଦ୍ର ସରକାର ଓଡିଶାବାସୀଙ୍କୁ ଧୋକା ଦେଇଛନ୍ତି । ଓଡିଶାବାସୀଙ୍କ ପଇସା ଖର୍ଚ୍ଚ ହେଉଛି ତେବେ ହିତାଧିକାରୀଙ୍କ ଗୃହରେ ବିଜୁ ପକ୍କାଘର ଲୋଗୋ ଲଗାଯିବାରେ ମନା କରାଯାଉଛି କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି ।

ସମ୍ବନ୍ଧିତ ଖବର