କଂଗ୍ରେସର ଇସ୍ତାହାର ନେଇ ବିଜେଡି ପ୍ରତିକ୍ରିୟା, ଇସ୍ତାହାର ନୁହେଁ ଜୁମଲା

କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ପାଳନ ହେଲେ ରାଜ୍ୟ ଦେବାଳିଆ ହେବ

ଭୁବନେଶ୍ବର : ୨୦୧୪ରେ ବିଜେପି ରାଜ୍ୟବାସୀଙ୍କୁ ଯେଭଳି ପ୍ରତିଶ୍ରୁତିର ଜୁମଲା ଦେଖାଇଥିଲା ଠିକ୍ ସେହିଭଳି ୨୦୧୯ରେ ରାଜ୍ୟବାସୀଙ୍କ ଆଗରେ କଂଗ୍ରେସ ପ୍ରତିଶ୍ରୁତି ରଖିଛି। ଆଜି କଂଗ୍ରେସର ନିର୍ବାଚନ ଇସ୍ତାହାର ପ୍ରକାଶିତ ହେବା ପରେ ବିଜୁ ଜନତା ଦଳ ଏପରି ପ୍ରତିକ୍ରିୟା ରଖିଛି। ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି, ଭାରତୀୟ ଜନତା ପାର୍ଟି ଭଳି କଂଗ୍ରେସ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ଭୁଲିନାହିଁ। ଗତଥର ସାଧାରଣ ନିର୍ବାଚନରେ ବିଜେପି ଯେଭଳି ମିଥ୍ୟା ପ୍ରତିଶ୍ରୁତି ଦେଇ ଭଣ୍ଡାଇଥିଲା ଏବେ ତାକୁ କଂଗ୍ରେସ ଅନୁକରଣ କରିଛି। ଶ୍ରୀ ମଙ୍ଗରାଜ ଜଣାଇଛନ୍ତି କଂଗ୍ରେସ ଯେତିକି ପ୍ରତିଶ୍ରୁତି ରଖିଛି ତାକୁ କାର୍ଯ୍ୟକାରୀ କରିବାକୁ ହେଲେ ଅତିରିକ୍ତ ୨ ଲକ୍ଷ କୋଟି ଟଙ୍କା ଆବଶ୍ୟକ ପଡ଼ିବ। ରାଜ୍ୟର ବଜେଟ ଆକାର ୧ ଲକ୍ଷ ୨୦ ହଜାର କୋଟି ଥିବାବେଳେ ଅତିରିକ୍ତ ୨ ଲକ୍ଷ କୋଟି କଂଗ୍ରେସ କେଉଁଠୁ ଆଣିବ ବୋଲି ବିଜେଡି ପ୍ରଶ୍ନ କରିଛି। ଖାଲିସେତିକି ନୁହେଁ, ଯଦି ଇସ୍ତାହାର ମୁତାବକ କଂଗ୍ରେସ ପ୍ରତିଶ୍ରୁତି ପାଳନ କଲେ ତାହେଲେ ରାଜ୍ୟର ଆର୍ଥିକ ସ୍ଥିତି ବିଗିଡ଼ିଯିବ। ରାଜ୍ୟର ବର୍ତ୍ତମାନ ୮.୫% ଅଭିବୃଦ୍ଧି ହାର କଂଗ୍ରେସ ଶାସନ ସମୟରେ ଥିବା ୩%କୁ ଖସିଆସିବ। ଖାଦ୍ୟ ସୁରକ୍ଷା ନେଇ କଂଗ୍ରେସର ପ୍ରତିଶ୍ରୁତି ଟଙ୍କିକିଆ ଚାଉଳ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବା ସହ ପକ୍କାଘର ଯୋଜନାରେ ନିର୍ମାଣ ହୋଇଥିବା ୨୦ ଲକ୍ଷ ବାସଗୃହ ବ୍ୟବସ୍ଥା ଭୁଷୁଡ଼ିଯିବ। ସେହିଭଳି ସ୍ବାସ୍ଥ୍ୟସେବା, ବିଜୁଳି ଯୋଗାଣ, ସାମାଜିକ ନିରାପତ୍ତା, ଭିତ୍ତିଭୂମି ବିକାଶ ବ୍ୟବସ୍ଥା ଅକାମି ହୋଇ ରାଜ୍ୟକୁ ଘୋର ଅନ୍ଧାରକୁ ଠେଲିଦେବ ବୋଲି ବିଜେଡି ଅଭିଯୋଗ କରିଛି। ନିର୍ବାଚନ ଇସ୍ତାହାର କାର୍ଯ୍ୟକାରୀ ହେଲେ ବିଦ୍ୟାଳୟ, ମହାବିଦ୍ୟାଳୟ, ଡାକ୍ତରଖାନା, ରାସ୍ତା ଏବଂ ବ୍ରିଜ୍ ନିର୍ମାଣ କରିବାକୁ ପାଣ୍ଠି ମିଳିବ ନାହିଁ। ଯଦି କଂଗ୍ରେସ ରାଜ୍ୟର ବିକାଶ ଚାହୁଁଛି ତାହେଲେ ବିଜେପି ଭଳି ଏପରି ଅବାସ୍ତବ ଇସ୍ତାହାର ସ୍ବପ୍ନରେ ବି କାର୍ଯ୍ୟକାରୀ କରିବାକୁ କଂଗ୍ରେସ ଚିନ୍ତା ନକରୁ ବୋଲି ବିଜେଡି ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର