ଭୁବନେଶ୍ବର : ରାଜ୍ୟର ସମସ୍ତ ସହରାଞ୍ଚଳରେ ଚାଲୁଥିବା ଆହାର ଖାଦ୍ୟ ଯୋଜନା ବାବଦରେ କେନ୍ଦ୍ରୀୟ ଉଦ୍ୟୋଗ ସଂସ୍ଥା ଯୋଗାଉଥିବା ସହାୟତା ପାଣ୍ଠି ଓଡ଼ିଶା ପରିବର୍ତ୍ତେ ବିହାରକୁ ସ୍ଥାନାନ୍ତର କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଟାର୍ଗେଟ କରିଛି। ୨୦୧୫ରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟରେ ଆହାର ଯୋଜନା କାର୍ଯ୍ୟକାରୀ କରାଇ ନଦେବା ପାଇଁ ଷଡ଼ଯନ୍ତ୍ର କରି ଆସୁଥିବା ବିଜେଡି ଅଭିଯୋଗ କରିଛି। ସାମ୍ବାଦିକ ସମ୍ମିଳନୀ କରି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଚାଲୁଥିବାବେଳେ ବିଜେପି, ଓଟିଭି ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି କାର୍ଯ୍ୟାନୁଷ୍ଠାନ ନହେବା ନେଇ ପ୍ରଶ୍ନ ଉଠାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର ଅଭିଯୋଗ କରିଛନ୍ତି, ୨୦୧୫ ମାର୍ଚ୍ଚ ୨୧ ତାରିଖରେ କେନ୍ଦ୍ର ସରକାରଙ୍କ ସାଧାରଣ ଉଦ୍ୟୋଗ ସଂସ୍ଥା ଏମସିଏଲ, ନାଲକୋ, ରାଉରକେଲା ଇସ୍ପାତ ନିଗମ ଆହାର ଯୋଜନା ଜରିଆରେ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ମାତ୍ର ୫ ଟଙ୍କାରେ ମିଲ ଯୋଗାଇବା ଖର୍ଚ୍ଚ ବାବଦରେ ସହାୟତା ପାଣ୍ଠି ଯୋଗାଇବାକୁ ରାଜ୍ୟ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିଲେ। ଏହି ଯୋଜନା ସାରା ରାଜ୍ୟରେ ୨୦୧୫ ଏପ୍ରିଲ ପହିଲାରୁ ଲାଗୁ ହୋଇଥିଲେ ବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମସିଏଲ, ନାଲକୋ, ଆରଏସପି ଉପରେ ଚାପ ପକାଇ ଆହାର ପାଇଁ ସହାୟତା ବନ୍ଦ କରାଇଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ସରକାରୀ ଉଦ୍ୟୋଗମାନଙ୍କ ପାରିପାର୍ଶ୍ବିକ ସହାୟତା ପାଣ୍ଠିରେ ଏହି ଯୋଜନା ରାଜ୍ୟର ସବୁ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଛି। ପ୍ରତିଦିନ ଲକ୍ଷେ ଲୋକଙ୍କୁ ଏହି ଯୋଜନା ମାଧ୍ୟମରେ ୮ କୋଟି ୨୦ ଲକ୍ଷ ଭୋଜନ ଯୋଗାଇ ଦିଆଯାଉଛି। ଅଥଚ ସେହି ସମୟରେ ବିହାରରୁ ରାଜ୍ୟସଭା ସାଂସଦ ଥିବା ଶ୍ରୀ ପ୍ରଧାନ ଏହି ୩ଟି କେନ୍ଦ୍ରୀୟ ସଂସ୍ଥାର ପାରିପାର୍ଶ୍ବିକ ବିକାଶ ପାଣ୍ଠି ଅର୍ଥକୁ ବିହାରକୁ ସ୍ଥାନାନ୍ତର କରାଇ ଲକ୍ଷ ଲକ୍ଷ ଗରିବଙ୍କ ମୁହଁରୁ ଆହାର ଛଡ଼ାଇ ନେବା ଭଳି କାମ କରିଛନ୍ତି ବୋଲି ମୁଖପାତ୍ର ଡଃ ପାତ୍ର ଅଭିଯୋଗ କରିଥିଲେ।
ମୁଖପାତ୍ର ସୁଲତା ଦେଓ ଅଭିଯୋଗ କରି କହିଥିଲେ, ରାଜ୍ୟରେ ଦୁଇ ପର୍ଯ୍ୟାୟ ନିର୍ବାଚନ ସରିଥିଲେ ବି ପ୍ରତି ପର୍ଯ୍ୟାୟରେ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ହୋଇଥିବା ୪୮ ଘଣ୍ଟାର ନିରବ ଅବଧିକୁ ବିଜେପି ଦଳର ନେତାମାନେ ଉଲଂଘନ କରିଆସୁଛନ୍ତି। ଏହା ବିରୋଧରେ ବିଜୁ ଜନତା ଦଳ ଲଗାତାର ଭାବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ବି ଏବେସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲୁଥିବାବେଳେ ସୋରଡ଼ା ବିଧାନସଭା ପାଇଁ ବିଜେପିର ପ୍ରାର୍ଥୀ ନୀଳମଣୀ ବିଷୋୟୀ ବୁଥ ଭିତରକୁ ବଳପୂର୍ବକ ପ୍ରବେଶ କରି ଇଭିଏମ ଭାଙ୍ଗିବା ଘଟଣାରେ ଅଭିଯୋଗ ହୋଇଥିଲେ ବି କିଛି ପଦକ୍ଷେପ ନିଆଯାଇନି। ନିରବ ଅବଧିକୁ ବିଜେପି ଉଲଂଘନ କରିବା ଅଭ୍ୟାସରେ ପରିଣତ କରିଥିବା ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ ଅଭିଯୋଗ କରିଛନ୍ତି। ସେହିପରି ଚଳିତ ନିର୍ବାଚନରେ ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ମାଲିକାନାରେ ଥିବା ନ୍ୟୁଜ୍ ଚାନେଲ ଓଟିଭି ସାମ୍ବାଦିକତାର ସବୁ ନୀତି ନିୟମର ସୀମା ଟପିଛି। ଏପରିକି ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ଦ୍ବାରା ପ୍ରଣୀତ ନୀତିନିୟମକୁ ଓଟିଭି ପାଳନ କରୁନାହିଁ। ଏହି ଚାନେଲର ସମ୍ବାଦ ଉପସ୍ଥାପକମାନେ ଲଗାତାର ଭାବେ ଭୋଟରଙ୍କୁ ବିଜେପି ସପକ୍ଷରେ ପ୍ରଭାବିତ କଲାଭଳି କାର୍ଯ୍ୟ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଅଭିଯୋଗ କରିଥିଲେ। ଏହା ବିରୋଧରେ ସିଇଓଙ୍କୁ ଅଭିଯୋଗ କରାଯାଇଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନଥିବା ନେଇ ବିଜେଡି ଆଶ୍ଚର୍ଯ୍ୟ ପ୍ରକଟ କରିଛି।