ରାହୁଲ, ଗଡ଼କରି ଓ ଧର୍ମେନ୍ଦ୍ରଙ୍କୁ ବିଜେଡ଼ିର ଜବାବ

ଭୁବନେଶ୍ବର : ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଭବାନୀପାଟଣା ଓ ରାଉରକେଲା ଗସ୍ତରେ ଆସିଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତିନ ଗଡ଼କରି ପାରାଦୀପ ଓ କାମାକ୍ଷାନଗର ଗସ୍ତ କରିଛନ୍ତି। ସେମାନେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବା ଅବସରରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଗର୍ଜନ କରିଛନ୍ତି। ସେମାନଙ୍କୁ କଡ଼ା ଜବାବ ଦେଇଛି ବିଜେଡି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏକ ବିବୃତିରେ କଂଗ୍ରେସ ସଭାପତି ଶ୍ରୀ ଗାନ୍ଧୀ ପଶ୍ଚିମ ଓଡ଼ିଶା ଗସ୍ତ କରିଥିବା ବେଳେ ମହାନଦୀ ପ୍ରସଙ୍ଗ ଉପରେ ନିରବ ରହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ବିଜେପି ନେତୃତ୍ବାଧୀନ ଛତିଶଗଡ଼ ସରକାର ଯେଉଁଭଳି ମହାନଦୀ ଶୁଖା‌ଇଦେବା ପାଇଁ ଷଡ଼୍‌ଯନ୍ତ୍ର କରିଥିଲେ, ବର୍ତମାନ କଂଗ୍ରେସ ନେତୃତ୍ବାଧୀନ ଛତିଶଗଡ଼ ସରକାର ବୋଧହୁଏ ସେହି ଷଡ଼୍‌ଯନ୍ତ୍ରକୁ ଆଗେଇ ନେଉଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ କଂଗ୍ରେସ ସମାବେଶରେ ଉପସ୍ଥିତ ଥାଇ ବକ୍ତବ୍ୟ ପ୍ରଦାନ କରିଥିଲେ ମଧ୍ୟ ସେ କିମ୍ବା ଓଡ଼ିଶାର କେହି କଂଗ୍ରେସ ନେତା ମୁହଁ ଖୋଲିନଥିଲେ। ସମ୍ଭବତଃ ଓଡ଼ିଶାର କୃଷିକୁ ଧ୍ବଂସ କରିବା ପାଇଁ କଂଗ୍ରେସ ଏଭଳି ଢଙ୍ଗରେ ଉଦ୍ୟମ କରୁଛି। କିନ୍ତୁ ଚାଷୀଙ୍କ ପାଇଁ କୁମ୍ଭୀର ଲୁହ ବୁହାଇ କଂଗ୍ରେସ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଓ କୃଷିଋଣ ଛାଡ଼ ପ୍ରସଙ୍ଗ ଉଠାଉଛି। ‌କେନ୍ଦ୍ରମନ୍ତ୍ରୀ ଗଡ଼କରିଙ୍କ ଗସ୍ତକୁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର। ଏହି ଗସ୍ତରେ କେବଳ କିଛି ବଡ଼ ଧରଣର ଶିଳାନ୍ୟାସ ଦେଖିବାକୁ ମିଳିଛି। ତାହା ପୁଣି ନିର୍ବାଚନର ମାତ୍ର ଦୁଇମାସ ପୂର୍ବରୁ। ଏଭଳି ଶିଳାନ୍ୟାସ କରିବାକୁ ବିଜେପିକୁ ପାଞ୍ଚବର୍ଷ ଲାଗିଲା କି? ବ୍ରାହ୍ମଣୀ ନଦୀ ଉପରେ ୨ୟ ସେତୁ ନିର୍ମାଣ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ନିକଟରେ କୌଣସି ଜମି ଅଧିଗ୍ରହଣ ଓ ଅନୁମୋଦନ କାର୍ଯ୍ୟ ସ୍ଥଗିତ ନଥିବା ସତ୍ତ୍ବେ ନିର୍ମାଣ କାର୍ଯ୍ୟ କାହିଁକି ଆରମ୍ଭ ହେଉନାହିଁ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି। ସେହିପରି କୋଷ୍ଟାଲ୍‌ ହାଇୱେ ପ୍ରକଳ୍ପ କାହିଁ ଏବଂ ଜମି ଅଧିଗ୍ରହଣ ସମସ୍ୟା ନଥିଲେ ବି କଟକରୁ ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ କାହିଁକି ହୋଇପାରୁନାହିଁ ବୋଲି ସେ ପଚାରିଛନ୍ତି। ବିଜେପି ପକ୍ଷରୁ ଗତ ୫ ବର୍ଷ ଧରି ଏଭଳି ବିଭ୍ରାନ୍ତିକର ଘୋଷଣାମାନ କରାଯାଉଛି ଏବଂ ଓଡ଼ିଶା ପ୍ରତି କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ କରା‌ଯାଉଥିବା ‌ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ବିଷୋଦ୍‌ଗାର କରିଛନ୍ତିି ବିଜେଡି ମୁଖପାତ୍ର। ଶ୍ରୀ ପ୍ରଧାନ ଅନ୍ୟ କାହାରିକୁ ଦୁର୍ନୀତିଗ୍ରସ୍ତ କହିବା ପୂର୍ବରୁ ବ୍ୟାପମ୍‌ ସ୍କାମ୍‌ରେ ନିଜ ଭୂମିକା ସଂପର୍କରେ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତିି। ଏହି ସ୍କାମର ମୁଖ୍ୟ ଖଳନାୟକ ସୁଧୀର ଶର୍ମାଙ୍କ ବିରୁଦ୍ଧରେ ଯେତେବେଳେ ତଦନ୍ତ କରାଗଲା, ସେତେବେଳେ ସେ ଶ୍ରୀ ପ୍ରଧାନଙ୍କୁ ବିମାନ ଟିକେଟ୍‌ ଦେଇଥିବା କଥା ପଦାକୁ ଆସିଥିଲା। ସେତେବେଳେ ଧର୍ମେନ୍ଦ୍ର ନିରବ ରହିଥିଲେ। ସେ ଜଣେ ଅଭ୍ୟାସଗତ ମିଛୁଆ ଏବଂ ଅପରାଧୀଙ୍କ ପୃଷ୍ଠପୋଷକ। ସେହିଭଳି ଟିଟୋ ଲିଙ୍କ୍‌, ଧଳସାମନ୍ତ ବାଇମୁଣ୍ଡି ମନ୍ତବ୍ୟ, ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ଭଳି ଅନେକ ଅପରାଧିକ ପ୍ରସଙ୍ଗ ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ରହିଛି।

ଭୁବନେଶ୍ବର ଭିତରକୁ ଚାଷୀମାନଙ୍କୁ ପ୍ରବେଶ କରାଇ ନଦେବା ଘଟଣା ନେଇ ଧର୍ମେନ୍ଦ୍ର ଦେଇଥିବା ବିବୃତିର ମଧ୍ୟ ଶ୍ରୀ ପାତ୍ର ଜବାବ ଦେଇଛନ୍ତି। ଧର୍ମେନ୍ଦ୍ର ମନେ ରଖିବା ଉଚିତ ଯେ ‌ନିକଟରେ ଦିଲ୍ଲୀ ପୁଲିସ୍‌ ଲଗାଇ ବିଜେପି ସରକାର ଚାଷୀମାନଙ୍କୁ ଅଟକାଇଥିଲେ। ମଧ୍ୟ ପ୍ରଦେଶ‌ର ବିଜେପି ସରକାର ଚାଷୀଙ୍କ ଉପରକୁ ବୁଲେଟ୍‌ ବର୍ଷା କରିଥିଲେ, ଯାହାଫଳରୋ ୫ଜଣ ଚାଷୀ ଟଳି ପଡ଼ିଥିଲେ। ଚାଷୀଙ୍କ ପାଇଁ ସେ କୁମ୍ଭୀର ଲୁହ ଗଡ଼ାଇବା ବନ୍ଦ କରନ୍ତୁ ବୋଲି ବିଜେଡି ମୁଖପାତ୍ର ପରାମର୍ଶ ଦେଇଛନ୍ତିି। ଶ୍ରୀ ପ୍ରଧାନ ଓ ତାଙ୍କ ଦଳ ବିଧାନସଭାର ସର୍ବସମ୍ମତ ସଂକଳ୍ପ ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍‌ ପିଛା ୨୯୩୦ ଟଙ୍କା ଦାବି ହାସଲ ପାଇଁ ଦାବି ନ କରିବା ଲଜ୍ଜାକର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର