ଭୁବନେଶ୍ବର : ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନକୁ ପ୍ରତିହତ କରି ଜନମତକୁ ପ୍ରଭାବିତ କରିବା ପାଇଁ ସୀମାବର୍ତ୍ତୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ପ୍ରଚୁର ଅର୍ଥ ଓ ଅପରାଧୀ ଆସୁଛନ୍ତି। ଏହି ଦୁଇ ରାଜ୍ୟର ସୀମାକୁ ତୁରନ୍ତ ସିଲ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ବିଜେଡି ସ୍ମାରକପତ୍ର ପ୍ରଦାନ କରିଛି। ସେହିପରି ଦୁଇଟି ପୃଥକ ଘଟଣାରେ ପୁଲିସ ଜବତ କରିଥିବା ବିଜେପି ନେତାଙ୍କ କଳା ଟଙ୍କା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦଳ ଦାବି କରିଛି।

Advertisment

ଶନିବାର ବିଜେଡିର ପ୍ରତିନିଧି ମଣ୍ଡଳୀ ସିଇଓ ସୁରେନ୍ଦ୍ର କୁମାରଙ୍କୁ ଭେଟି ରାଜ୍ୟରେ ଚଳିତ ଥର ନିର୍ବାଚନରେ ବିରୋଧୀ ଜନମତକୁ ଟଙ୍କା ଓ ଅପରାଧୀଙ୍କ ଦ୍ବାରା ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି। ବିଶେଷ କରି ଛତିଶଗଡ଼ ଓ ଝାଡ଼ଖଣ୍ଡରେ ବିଜେପି ହେଉ କି କଂଗ୍ରେସ ଚଳିତ ଥର ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ କରିବାରେ ଅନୈତିକ ଉପାୟ ଅବଲମ୍ବନ କରିବାର ଆଶଙ୍କା ରହିଛି। ବିଜେପୁର ଉପନିର୍ବାଚନର ଉଦାହରଣ ଦେଇ ଦଳ ଅଭିଯୋଗ କରିଛି, ଏଇ ସବୁ ରାଜ୍ୟରୁ ଅପରାଧୀମାନେ ଆସି ଉପନିର୍ବାଚନ ବେଳେ ହିଂସାକାଣ୍ଡ ଘଟାଇ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ଉପରେ ଆକ୍ରମଣ କରିଥିଲେ। ନିର୍ବାଚନୀ ହିଂସାକାଣ୍ଡରେ ଜଣେ ବିଜେଡି ନେତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ସେହିପରି ଭୋଟରଙ୍କୁ ପ୍ରଚୁର ଅର୍ଥ ପ୍ରଲୋଭନ ଦେଇ ଉପନିର୍ବାଚନକୁ ପ୍ରଭାବିତ କରିବାକୁ ମଧ୍ୟ ଉଦ୍ୟମ ହୋଇଥିଲା। ଚଳିତ ନିର୍ବାଚନରେ ସମାନ ପରିସ୍ଥିତି ଦେଖିବାକୁ ମିଳିପାରେ ବୋଲି ଦଳ ଅଭିଯୋଗ କରିଛି। ସେଥିପାଇଁ ଏ ଦୁଇ ରାଜ୍ୟର ସୀମାକୁ ଖୁବଶୀଘ୍ର ସିଲ କରିବାକୁ ନିର୍ବାଚନ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛି।

ବିଜେଡି ଆଉ ଏକ ଅଭିଯୋଗ ପତ୍ରରେ ଦର୍ଶାଇଛି, ନିର୍ବାଚନରେ ବିଜେପି ପ୍ରଚୁର କଳା ଟଙ୍କା ଖଟାଇ ଭୋଟର୍‌ଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଛି। ଗତ ୨୬ ତାରିଖରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଗଡରପାଲିଠାରେ ଏକ କାରରୁ ୨ ଲକ୍ଷ ଟଙ୍କା ପୁଲିସ ଜବତ କରିଥିଲା। ଜବତ ହୋଇଥିବା କାର ମାଲିକ ସୋହେଲାର ସଞ୍ଜିବ ମହାପାତ୍ର ହେଉଛନ୍ତି ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ସନତ ଗଡ଼ତିଆଙ୍କ ଦୃଢ଼ ସମର୍ଥକ। ସେହିପରି ଗତ ୨୭ ତାରିଖରେ ପୁଲିସ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପଞ୍ଝିକିଆ ଛକରୁ ଏକ କାରରୁ ୫ ଲକ୍ଷ ୩୬ ହାଜର ଟଙ୍କା ଜବତ କରିଥିଲା। ସମ୍ପୃକ୍ତ ଘଟଣାରେ ପୁଲିସ ବିଜେପିର ଗଜପତି ଜିଲ୍ଲା ଦାୟିତ୍ବରେ ଥିବା ନେତା ପବିତ୍ର ଦାସଙ୍କ ସମେତ ୪ ଜଣଙ୍କୁ ଅଟକ ରଖିଛି। ଏହି ଦୁଇ ଘଟଣା ପ୍ରମାଣିତ କରୁଛି ଯେ ବିଜେପି ଅର୍ଥବଳ ଖଟାଇ ରାଜ୍ୟରେ ଯେଣତେଣ ପ୍ରକାରେ ନିର୍ବାଚନ ଜିତିବାକୁ ଉଦ୍ୟମ କରୁଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେଡିର ପ୍ରତିନିଧି ମଣ୍ଡଳୀରେ ମୁଖପାତ୍ର ଲେନିନ ମହାନ୍ତି, ମୁଖପାତ୍ର ସସ୍ମିତ ପାତ୍ର ଓ ମୁଖପାତ୍ର ସୁଲତା ଦେଓ ପ୍ରମୁଖ ସାମିଲ ଥିଲେ।