ଭୁବନେଶ୍ବର : ଓଟିଭି ନ୍ୟୁଜ ଚାନେଲର ଖବର ପ୍ରସାରଣ ଉପରେ ପୁଣି ଥରେ ଆପତ୍ତି ଉଠାଇ ରବିବାର ପୁଣି ଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ବିଜେଡି। ଚଳିତ ନିର୍ବାଚନରେ ଓଟିଭି ନ୍ୟୁଜ୍ ଚାନେଲ ଯେପରି ଖବର ପ୍ରସାରଣ କରୁଛି ତାହା ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ। ବିଜେପିର ପକ୍ଷଭୁକ୍ତ ହୋଇ ଯେପରି ଖବର ପରିବେଷଣ କରାଯାଉଛି ତାହା ସମ୍ପୂର୍ଣ୍ଣ ଭାବେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଦ୍ବାରା ପ୍ରଦତ୍ତ ମାର୍ଗଦର୍ଶିକା ପରିପନ୍ଥୀ ବୋଲି ବିଜେଡି ଅଭିଯୋଗ କରିଛି।

Advertisment

ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଦଳ ପ୍ରଦାନ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛି, ଓଟିଭି, ଇମ୍ଫା ଖଣି କମ୍ପାନୀ ଉପାଧ୍ୟକ୍ଷ ତଥା ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେଏକାଧିକ ବାର ଅଭିଯୋଗ କରାଯାଇଥିଲେ ବି ଗୋଟିଏ ବି ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହାସହିତ ସମ୍ପୃକ୍ତ ଚାନେଲର ସମ୍ବାଦ ଉପସ୍ଥାପକମାନେ ବିଜୁ ଜନତା ଦଳ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ପ୍ରଶ୍ନ ପଚାରି ଭୋଟରଙ୍କୁ ବିଜେପି ସପକ୍ଷରେ ପ୍ରଭାବିତ କରୁଛନ୍ତି। ନିର୍ବାଚନରେ ରାଜ୍ୟବାସୀ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଟିଭିକୁ ଜବାବ ଦେବେ। ଏପରି ନୀତି ବିରୁଦ୍ଧ କାର୍ଯ୍ୟ କରୁଥିବା ନ୍ୟୁଜ୍ ଚାନେଲ ବିରୋଧରେ ଯଦି କାର୍ଯ୍ୟାନୁଷ୍ଠାନ ନିଆନଯାଏ ତାହେଲେ ଗଣତନ୍ତ୍ର ପ୍ରତି କଠୋର ଅପହାସ୍ୟ ହେବ ବୋଲି ବିଜେଡି ଅଭିଯୋଗ କରିଛି। ଅନ୍ୟପଟେ ନିର୍ବାଚନ ସମୟରେ ପାଳନ କରାଯାଉଥିବା ନିରବ ଅବଧିକୁ ବିଜେପି ନେତାମାନେ ଅଭ୍ୟାସଗତ ଭାବେ ଉଲଂଘନ କରୁଥିବା ନେଇ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ନେଇ ମଧ୍ୟ ଦଳ ଅସନ୍ତୋଷ ପ୍ରକାଶ କରିଛି। ପ୍ରତିନିଧି ଦଳରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଲେନିନ ମହାନ୍ତିଙ୍କ ସମେତ ସୁଲତା ଦେଓ ପ୍ରମୁଖ ଉପସ୍ଥିତ ଥିଲେ।