ଭୁବନେଶ୍ବର : ‘ଫନି’ ମାଡ଼ରେ କ୍ଷତାକ୍ତ ହୋଇଛି ପୁରୀ ଜିଲ୍ଲା। କଣାସ, ଡେଲାଙ୍ଗ, ବ୍ରହ୍ମପୁର, କୃଷ୍ଣପ୍ରସାଦ ପରି ଜିଲ୍ଲାର ପ୍ରାୟ ସବୁ ବ୍ଲକ ବାତ୍ୟା ମାଡ଼ ଖାଇଛି। କେଉଁଠି ଚାଳ ଛପର ଘର ମାଟିରେ ମିଶିଛି ତ ଆଉ କେଉଁଠି ଟିଣ ଘର ଉପରେ ପଡ଼ିଛି ଗଛ। ହଜାର ହଜାର ଘର ଭାଙ୍ଗିଛି। ବାତ୍ୟାର ୧୨ ଦିନ ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ତଥାପି ଘରଦ୍ୱାର ଭାଙ୍ଗି ଯାଇଥିବାରୁ ଖାଇବା ପିଇବା ଲାଗି ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଦୁର୍ଦ୍ଦିନରେ ବିଭିନ୍ନ ଅନୁଷ୍ଠାନ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦେଉଛନ୍ତି। ବିଶୁଦ୍ଧ ପାଣି ବି ପହଞ୍ଚାଉଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବିଜେଡି ନେତା। ସେମାନେ ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚିବା ସହ ଖାଦ୍ୟ ପରଷି ଦେଉଛନ୍ତି। ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାର ୫ଟି ବ୍ଲକର ଲୋକଙ୍କ ସେବା କରୁଛନ୍ତି। ଦଳ ପକ୍ଷରୁ ଜିଲ୍ଲାର ୫ଟି ବ୍ଲକର ୧୩୧ଟି ଗ୍ରାମ ପଞ୍ଚାୟତରେ ରନ୍ଧା ଖାଦ୍ୟ ଯୋଗାଣ ହେଉଛି।

Advertisment

publive-image

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଦଳର ବିଧାୟକ ଓ ନେତାମା‌ନେ ୪ ଲକ୍ଷ ୫୦ ହଜାର ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଦେଉଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କ ଭଲମନ୍ଦ ବୁଝିବା ସହ ଜଳିଖିଆ, ମଧ୍ୟାହ୍ନଭୋଜନ ଓ ରାତ୍ରିଭୋଜନ ପ୍ରଦାନ କରୁଛନ୍ତି। ସେମାନଙ୍କର ଏହି କାର୍ଯ୍ୟରେ ଦଳମତ ନିର୍ବିଶେଷରେ ନେତାମା‌ନେ ସହଯୋଗ କରି ଚାଲିଛନ୍ତି। ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଦିଗରେ ବି କାର୍ଯ୍ୟ କରୁଛନ୍ତି। ‌ଯେଉଁ ସ୍ଥାନରେ ଲୋକେ ଖାଦ୍ୟ ଗ୍ରହଣ ଲାଗି କମ୍ୟୁନିଟି ଅଞ୍ଚଳକୁ ଆସି ପାରୁନାହାନ୍ତି, ସେଠାରେ ଲୋକଙ୍କ ଘରରେ ଖାଦ୍ୟ ପହଞ୍ଚାଯାଉଛି। କଣାସ ବ୍ଲକର ବିଭିନ୍ନ ପ୍ରଭାବିତ ଅଞ୍ଚଳରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପୁଅ ତଥା ବିଧାୟକ ପ୍ରାର୍ଥୀ ସୌଭିକ୍ ବିଶ୍ୱାଳ ରନ୍ଧା ଖାଦ୍ୟ ବାଣ୍ଟିଛନ୍ତି। କଣାସ ବ୍ଲକର କଣାସ, ସିରେଇ, ବିଜିପୁର, ଅଣ୍ଡାଳସିଂ, ଖଣ୍ଡାହେତା, ଆଳିବାଡ଼, ଜମଳଗୋଦା, ଗଡ଼ିଶାଗୋଦା, ବିନ୍ଧାଳ, ବଡ଼ଗଡ଼ସାହି, ସୁପରିଂ ଭଳି ୧୧ଟି ପଞ୍ଚାୟତରେ ବାତ୍ୟା ପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ପ୍ରତିଦିନ ବ୍ଲକର ପ୍ରାୟ ୩୦ ହଜାର ବିପନ୍ନଙ୍କୁ ବିଜେଡି ପକ୍ଷରୁ ଦୁଇ ଓଳି ରନ୍ଧା ଖାଦ୍ୟ ଦିଆଯାଇଛି। ଗତ ୧୦ ତାରିଖଠାରୁ ବିଧାୟକ ସଞ୍ଜୟ ବାସବର୍ମାଙ୍କ ନେତୃତ୍ବରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ୧୦ଟି ଟିମ୍‌ ଗଛ କାଟିବା ସହ ସଫେଇ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଫନି ମାଡ଼ରେ ଭାଙ୍ଗି ପଡ଼ିଥିବା ଅଞ୍ଚଳକୁ ପୁଣି ଥରେ ତାଜା କରିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି। ଗତକାଲି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ରାଇଖଣ୍ତି ପଞ୍ଚାୟତର ସବୁ ୱାର୍ଡର ୪ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ଟୁକୁନି ସାହୁ, ପୁଷ୍ପେନ୍ଦ୍ର ସିଂଦେଓ, ମନୋହର ରାନ୍ଧାରି, ରୋହିତ ପୂଜାରୀ, ଦେବେଶ ଆଚାର୍ଯ୍ୟ, ଅମର ପଟ୍ଟନାୟକ ପ୍ରମୁଖ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ‌ସେବା ଯୋଗାଇ ଦେଉଛନ୍ତି।