ରାୟଗଡ଼ା: ପ୍ରାର୍ଥୀ ଚୟନରେ ଶାସକ ବିଜେଡ଼ିର ମୁଣ୍ଡବ୍ୟଥା ବଢ଼ାଉଛି କାଶୀପୁର। ବ୍ଲକର ୩ ଜୋନ୍ ପାଇଁ ଟିକେଟ୍ ଲବିରେ ଅଛନ୍ତି ୩୦ରୁ ଉର୍ଧ୍ବ ପ୍ରାର୍ଥୀ। ତାଲିକାରେ ଗ୍ରାଜୁଏଟ୍, ପିଜି ଶିକ୍ଷାଧାରୀ ଆଶାୟୀ ଥିବାରୁ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ସିଦ୍ଧାନ୍ତରେ ପହଞ୍ଚି ପାରୁନି। କିଛି ଆଶାୟୀ କେବଳ ଦଳ ଟିକେଟ୍ ଦେଲେ ବାକି କଥା ଆମେ ବୁଝିବୁ ବୋଲି ଖୋଲାଖୋଲି ନେତାଙ୍କୁ କହୁଛନ୍ତି। ଲଗାତାର ମାନସ ମନ୍ଥନ ସତ୍ତ୍ବେ କାଶୀପୁର ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇପାରୁନଥିବାରୁ ଗୁରୁବାର ସକାଳ ୧୦ଟା ସୁଦ୍ଧା ତାଲିକା ଚୂଡ଼ାନ୍ତ କରି ଦାଖଲ କରିବାକୁ ଦଳୀୟ ପର୍ଯ୍ୟବେକ୍ଷକ ନିର୍ଦେଶ ଦେଇଛନ୍ତି।
ରାୟଗଡ଼ା ଜିଲ୍ଲା ରାଜନୀତିରେ କାଶୀପୁର ବ୍ଲକର ଗୁରୁତ୍ବ ଅନେକ ରହିଛି। ୧ ଲକ୍ଷରୁ ଉର୍ଧ୍ବ ଭୋଟର ଏହି ବ୍ଲକରେ ରହିଛନ୍ତି। ଝୋଡ଼ିଆ ସଂପ୍ରଦାୟ ସବୁ ଦଳର ଭୋଟ ଗଣତିକୁ ଓଲଟପାଲଟ କରୁଥିବାରୁ ୩ ପ୍ରମୁଖ ଦଳ ପ୍ରାର୍ଥୀ ଚୟନ କରିବା ପୂର୍ବରୁ ଶହେ ଥର ଚିନ୍ତା କରୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଟିକେଟ୍ ପ୍ରଦାନରେ କଂଗ୍ରେସ ମକରନ୍ଦ ମୁଦୁଲିକୁ ଅବହେଳା କରିବା ପରେ ଝୋଡ଼ିଆଙ୍କ ଏକତା, କାଶୀପୁର ବାସିନ୍ଦା ପ୍ରସଙ୍ଗ ରାୟଗଡ଼ା ରାଜନୀତି ଉପରେ ପ୍ରଭାବ ପକାଇଥିଲା। ବିଜେଡ଼ିର ହେଭିୱେଟ୍ ନେତା ଲାଲବିହାରୀ ହିମିରିକା ନିର୍ବାଚନରେ ପରାଜୟ ବରଣ କରିଥିଲେ।
ସ୍ବାଧୀନ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମକରନ୍ଦ। ସାଧାରଣ ନିର୍ବାଚନରେ ବିଜୟୀ ପରଠୁ ମକରନ୍ଦ ବିଜେଡ଼ି ଶିବିରରେ ଥିବାରୁ ଏବେ କାଶୀପୁରର ୩ ଜୋନରେ ପ୍ରାର୍ଥୀ ଚୟନ ପାଇଁ ଦଳ ମକରନ୍ଦ ଓ ବରିଷ୍ଠ ନେତା କୃଷ୍ଣ ପାଣିଗ୍ରାହୀଙ୍କୁ ଦାୟିତ୍ବ ଦେଇଛି। ୨୦୧୭ ନିର୍ବାଚନରେ ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁ ବିଜେଡ଼ି ହାତରୁ କାଶୀପୁର ବ୍ଲକର ଦୁଇ ଜିଲ୍ଲା ପରିଷଦ ଆସନ ଖସି ଯାଇଥିଲା। ଚଳିତ ଥର ମଧ୍ୟ ମାଳମାଳ ଆଶାୟୀ ଟିକେଟ୍ ପାଇଁ ଲବି ଚଲାଇ ଥିବାରୁ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚିନ୍ତାରେ ପଡିଛି। କିଛି ଆଶାୟୀ ଟିକେଟ୍ ପାଇବାରୁ ବଞ୍ଚିତ ହେଲେ ଦଳ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଚେତାବନୀ ଦେଇଛନ୍ତି। ଖଣିଜ ଓ ଶିଳ୍ପ ସମୃଦ୍ଧ କାଶୀପୁର ବ୍ଲକକୁ ଶାସକ ବିଜେଡ଼ି ହାତଛଡ଼ା କରିବାକୁ ଚାହୁଁନଥିବା ବେଳେ ଦଳୀୟ ଗୋଷ୍ଠୀ କନ୍ଦଳ ଦଳର ନେତୃବୃନ୍ଦଙ୍କୁ ଚିନ୍ତିତ କରିଛି। ସେପଟେ ବିଜେଡ଼ି କନ୍ଦଳରୁ ଫାଇଦା ଉଠାଇବା ଚକ୍କରରେ ରହିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। କଂଗ୍ରେସ ଓ ବିଜେପି ମଧ୍ୟ ଏହି ବ୍ଲକରେ ଆଜି ସୁଦ୍ଧା ପ୍ରାର୍ଥୀ ଚୟନ କରିବାରେ ସଫଳ ହୋଇ ନାହାନ୍ତି।
ଜିଲ୍ଲା ପରିଷଦ ନିର୍ବାଚନ ଲାଗି ଦିନକ ପରେ (୨୧ ତାରିଖରେ) ସରୁଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ହେଲେ ଆଜି ସୁଦ୍ଧା ୩ ପ୍ରମୁଖ ଦଳର ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇପାରିନି। ୧୭ରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ୧୭, ୧୮ ଦୁଇ ଦିନ କେହି ନାମାଙ୍କନ ଦାଖଲ କରିନଥିଲେ। ଆଜି ରାୟଗଡ଼ା ଓ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୧୪ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁଣପୁର ବ୍ଲକର କ ଆସନ ପାଇଁ ବିଜେଡ଼ି ପକ୍ଷରୁ ଅଶ୍ବିନୀ ଗମାଙ୍ଗ, ଖ ଆସନ ପାଇଁ ରଶ୍ମିରେଖା ଶତପଥୀ ନାମାଙ୍କନ ଦାଖଲ କରିଛନ୍ତି।
ସେହିପରି ରାମନାଗୁଡ଼ା କ ଆସନ ପାଇଁ ବିଜେଡ଼ି ପକ୍ଷରୁ ଗଗନ ଆଚାର୍ଯ୍ୟ, ଖ ଆସନରୁ ସୁରେଶ ଗମାଙ୍ଗ, ପଦ୍ମପୁର କ ଆସନ ପାଇଁ ଡାରିଗିନ୍ ଶବର, ଖ ଆସନ ପାଇଁ ମଣ୍ଟୁ ଆଚାର୍ଯ୍ୟ ନାମାଙ୍କନ ଦାଖଲ କରିଛନ୍ତି। ଭାରତ ନବ ନିର୍ମାଣ ପାର୍ଟି ପକ୍ଷରୁ ଶିବାଶିଷ ପାଣିଗ୍ରାହୀ ରାମନାଗୁଡ଼ା କ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ରାୟଗଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଲ୍ୟାଣସିଂହପୁର ବ୍ଲକର ଖ ଆସନ ପାଇଁ କଂଗ୍ରେସ ପକ୍ଷରୁ ଦୁଇ ଜଣ ପ୍ରାର୍ଥୀ ସ୍ବାତୀ ସତାନା, ସାଦାନା ଶିବାନୀ, ରାୟଗଡ଼ା କ ଜୋନ୍ ପାଇଁ କଂଗ୍ରେସର ରାଜୁ ମେଲେକା, କୋଲନରା କ ଜୋନ୍ ପାଇଁ ବିଜେପି ପକ୍ଷରୁ ମାଝିକ୍ରିଷ୍ଣା ରାଓ, ଖ ଜୋନ୍ ପାଇଁ ଜାନକି ଉଲାକା, କାଶୀପୁର ଖ ଜୋନ୍ ପାଇଁ ସ୍ବାଧୀନ ପ୍ରାର୍ଥୀ ରିୟା ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ମାଳମାଳ ଆଶାୟୀଙ୍କ ଯୋଗୁ ଅଧାରୁ ଅଧିକ ଜୋନରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ଚୟନ ହୋଇପାରିନି। ମୁନିଗୁଡ଼ା, ଚନ୍ଦ୍ରପୁର, ବିଷମକଟକ, କଲ୍ୟାଣସିଂହପୁର, କୋଲନରା, ରାୟଗଡ଼ାରେ ବିଜେଡ଼ିର ପ୍ରାର୍ଥୀ ଚୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର କିମ୍ବା ଶୁକ୍ରବାର ମଧ୍ୟରେ ବିଜେଡ଼ିର ଏହି ଜୋନ୍ ଗୁଡ଼ିକର ପ୍ରାର୍ଥୀ ନାମାଙ୍କନ ଦାଖଲ ନେଇ ଦଳ ସବୁଜ ସଙ୍କେତ ଦେଇଛି।