କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି। ଚମ୍ପୁଆର ପୂର୍ବତନ ସ୍ବାଧୀନ ବିଧାୟକ ସନାତନ ମହାକୁଡ଼ଙ୍କ କେନ୍ଦୁଝର ଜିଲ୍ଲାର ସମସ୍ତ ୬ଟି ନିର୍ବାଚନମଣ୍ଡଳୀ ସମେତ ପଡ଼ୋଶୀ କରଞ୍ଜିଆ ନିର୍ବାଚନମଣ୍ଡଳୀରେ ସଂଗଠନ ରହିଛି। ତାଙ୍କର ନିଜସ୍ବ ଭୋଟବ୍ୟାଙ୍କ ମଧ୍ୟ ରହିଛି। ୨୦୧୪ରେ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ବିଜୟୀ ହେବା ପରେ ନିଜର ସାଂଗଠନିକ ଦକ୍ଷତା ବଢ଼ାଇଥିଲେ। ନିଜର ଏକ ଦଳ ଗଠନ କରି କାୟାବିସ୍ତାର କରିବା ଯୋଜନାରେ ଥିଲେ। ତେବେ ସନାତନଙ୍କୁ ଅଟକାଇବାକୁ ଚେଷ୍ଟା କରି ବିଜେଡି ସଫଳ ହୋଇଥିଲା। ୨୦୧୯ରେ ସନାତନ ପ୍ରାର୍ଥୀ ହୋଇ ନ ଥିଲେ। ତାଙ୍କ ସୁପାରିସରେ ବିଜେଡି ଚମ୍ପୁଆରୁ ମୀନାକ୍ଷୀ ମହାନ୍ତ ଓ କେନ୍ଦୁଝର ଲୋକସଭା ଆସନପାଇଁ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିଲା। ଉଭୟ ବିଜୟୀ ହୋଇଥିଲେ।

Advertisment

ଚମ୍ପୁଆରୁ ମୀନାକ୍ଷୀ ବିଜୟୀ ହେବା ପରେ ବିଜେଡିରେ ସନାତନଙ୍କୁ ଅଣଦେଖା କରାଯାଇଥିଲା। ଏପରିକି ସନାତନ ଓ ମୀନାକ୍ଷୀ ପରସ୍ପରର ମୁହଁ ଚାହିଁବା ଅବସ୍ଥାରେ ନଥିଲେ। ଗତଥରର ଝଟ୍‌କା ପରେ ଚଳିତ ନିର୍ବାଚନରେ ସନାତନ ନିଜେ ପ୍ରାର୍ଥୀ ହେବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିଜେଡି ସନାତନଙ୍କ ନିଷ୍ପତ୍ତିରେ ପ୍ରଥମେ ଏକମତ ନଥିଲା। ବହୁଦିନର ଛକାପଞ୍ଝା ଭିତରେ ସନାତନଙ୍କୁ ଦଳ କୋଳେଇ ପାରୁନଥିଲା କି ‌ଛାଡ଼ି ପାରୁନଥିଲା। ଯେଉଁଥି ପାଇଁ ଚମ୍ପୁଆ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଘୋଷଣା ମଧ୍ୟ ବିଳମ୍ବ ହେଉଥିଲା। ଏପରିକି ସନାତନଙ୍କୁ ବିଜେଡି ଟିକେଟ ନ ଦେଲେ ସେ ବିଜେପିକୁ ଚାଲିଯିବେ ବୋଲି ଚର୍ଚ୍ଚା ହେଉଥିଲା। ଜିଲ୍ଲା ବିଜେପିର ଏକାଧିକ ନେତା ବାରମ୍ବାର ସନାତନଙ୍କୁ ଭେଟି ତାଙ୍କୁ ନିଜ ଦଳକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ସନାତନ ବିଜେପିକୁ ଚାଲିଗଲେ ଜିଲ୍ଲାର ସବୁ ଆସନରେ ବିଜେଡି ଗଣିତ ବିଗିଡ଼ିଯିବ ବୋଲି ଦଳୀୟ ଶୀର୍ଷ ନେତୃତ୍ବ ଆଶଙ୍କା କରିଥିଲେ। ଶେଷରେ ବିଜେଡି ଏହି ଆସନର ପ୍ରମୁଖ ଦାବିଦାର କୁଶ ଆପଟଙ୍କୁ ବାଦ୍‌ ଦେଇ ସନାତନଙ୍କୁ ଚମ୍ପୁଆରୁ ପ୍ରାର୍ଥୀ କରିଥିବା କୁହାଯାଉଛି।