‘ବିଭାଜିତ ମତଦାନ’ର କମାଲ୍! : ବିଧାନସଭାରେ ଶଙ୍ଖ, ଲୋକସଭାରେ ପଦ୍ମ

ବଦଳିବାକୁ ଯାଉଛି ଇତିିହାସ। ସୃଷ୍ଟି ହେବାକୁ ଯାଉଛି ନୂଆ ଧାରା। ଓଡ଼ିଶାରେ ପୂର୍ବରୁ ଯେତେବେଳେ ବି ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହୋଇଛି ଲୋକେ ଉଭୟ ଲୋକସଭା‌ ଓ ବିଧାନସଭାରେ ଗୋଟିଏ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇଛନ୍ତି। ମାତ୍ର ଏଥର ଓଡ଼ିଶାର ନିର୍ବାଚନୀ ଇତିହାସରେ ପ୍ରଥମ ଥର ପାଇଁ ମତଦାତାମାନେ ଭିନ୍ନ ଢଙ୍ଗରେ ବିଭାଜିତ ମତଦାନ (ସ୍ପ୍ଲିଟ୍‌ ଭୋଟିଂ) କରିଥିବା ଅନୁମାନ କରାଯାଉଛି। ଏଥର ଅନେକ ଭୋଟର ବିଧାନସଭାରେ ଗୋଟିଏ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇଥିବାବେଳେ ଲୋକସଭାରେ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ‘ସମ୍ବାଦ କନକ ଟିଭି’ ଏକଜିଟ୍‌ ପୋଲ-୨୦୧୯ରୁ ମିଳୁଛି ଏପରି ସଂକେତ। କେବଳ ଭୁବନେଶ୍ବର, କଟକ ଭଳି ସହରାଞ୍ଚଳର ଶିକ୍ଷିତ ଓ ସଚେତନ ଭୋଟର ଏପରି କରିନାହାନ୍ତି, ‌େକାରାପୁଟ ଓ ସୁନ୍ଦରଗଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଇଲାକାରେ ମଧ୍ୟ ଏପରି ‌ବିଭାଜିତ ମତଦାନ(ସ୍ପ୍ଲିଟ୍‌ ଭୋଟିଂ) କରିଛନ୍ତି। ବିଧାନସଭାରେ ବିଜେଡି ସପକ୍ଷରେ ଅଧିକ ଲୋକ ମତଦାନ କରିଥିବାବେଳେ ଲୋକସଭାରେ ବିଜେପି ସପକ୍ଷରେ ଅଧିକ ମତଦାନ ହୋଇଥିବା ଅନୁମାନ କରାଯାଉଛି। ତେବେ କେତେ ପ୍ରତିଶତ ମତଦାତା ଏଭଳି କରିଛନ୍ତି, ତା’ରି ଉପରେ ହିଁ ଫଳାଫଳ ନିର୍ଭର କରୁଛି।

ଯଦି ସମ୍ବାଦ-କନକ ନ୍ୟୁଜ୍‌ର ପୂର୍ବାନୁମାନ ସତ ହୁଏ ତେବେ ଏଥର ଓଡ଼ିଶାର ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ୮ରୁ ୧୨ଟି ଆସନ ହାତେଇବ। ଅନ୍ୟପକ୍ଷରେ ୨୦୧୪ ନିର୍ବାଚନରେ ୨୦ ଲୋକସଭା ଆସନ ଜିତିଥିବା ବିଜେଡିର ଆସନ ସଂଖ୍ୟା ଦୁଇଅଙ୍କରୁ ବି ତଳକୁ ଖସିଯିବ। ଫଳାଫଳ ଏପରି ହେଲେ ଅଧିକାଂଶ ଆସନରେ ଲୋକେ ‘ବିଭାଜିତ ମତଦାନ’ କରିଥିବା ସ୍ପଷ୍ଟ ହୋଇଯିବ। ନିର୍ବାଚନ ସରିବା ପରଠୁ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବାବେଳେ ଏକଜିଟ୍‌ ପୋଲ୍‌ରୁ ମଧ୍ୟ ଅନୁରୂପ ସୂଚନା ମିଳୁଥିବାରୁ ଏହି ଚର୍ଚ୍ଚା ଏବେ ଜୋର୍ ଧରିଛି। ଓଡ଼ିଶାରେ ‘ମୋଦୀ ଲହର୍‌’କୁ ଏହାର କାରଣ ବୋଲି ଦର୍ଶାଉଛନ୍ତି ରାଜନୈତିକ ବିଶ୍ଳେଷକ। ମାତ୍ର କେବଳ ଲୋକସଭାରେ ମୋଦୀ ଲହର୍ କିପରି କାମ କଲା, ବିଧାନସଭାରେ କାହିଁକି କାମ କରୁନି ତାହାର ଉତ୍ତର କାହା ପାଖରେ ନାହିଁ। ରାଜ୍ୟରେ ନବୀନ ସରକାର ବହୁ ଜନ ହିତକର ଯୋଜନା ପ୍ରଣୟନ କରି ‌‌େଲାକଙ୍କ ମନ ଜିଣିଥିବାରୁ ତାଙ୍କ ମୁହଁକୁ ଚାହିଁ ଲୋକେ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଛନ୍ତି ‌େବାଲି କୁହାଯାଉଛି। ‌ମାତ୍ର ଦେଶର ଅନ୍ୟ ଭାଗରେ ମୋଦୀଙ୍କ ଲୋକପ୍ରିୟତା କିଛିଟା କମିଥିଲେ ମଧ୍ୟ ଓଡ଼ିଶାରେ ମୋଦୀଙ୍କ ଯାଦୁ ଏଥର ଅଧିକ କାମ ଦେଉଛି। ଅନେକ ଯୁବ ଭୋଟର ମୋଦୀଙ୍କ ନୀତି ଓ ନେତୃତ୍ବକୁ ପସନ୍ଦ କରୁଥିବା ଦେଖାଯାଉଛି। ଆଉ କିଛି ମୋଦୀଙ୍କ ପ୍ରଦର୍ଶନ ନେଇ ଅସନ୍ତୁଷ୍ଟ ଥିଲେ ହେଁ ପ୍ରଧାନମନ୍ତ୍ରୀ ପଦ ପାଇଁ ବିକଳ୍ପ ଭାବେ ଅନ୍ୟ କାହାକୁ ‌ପସନ୍ଦ କରୁ ନଥିବାରୁ ଲୋକେ ଲୋକସଭାରେ ‌ବିଜେପିକୁ ଭୋଟ ଦେଇଥିବା କୁହାଯାଉଛି। ତେବେ ଏହି ଭୋଟରଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟରେ ନବୀନଙ୍କ ନେତୃତ୍ବକୁ ପୁଣିଥରେ ଭରସା କରି ବିଜେଡିକୁ ଭୋଟ ଦେଇଛନ୍ତି। ଫଳରେ ବିଧାନସଭାରେ ବିଜେଡିର ଆସନ ସଂଖ୍ୟା କମିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ବହୁମତଠାରୁ ଏହା ଯଥେଷ୍ଟ ଅଧିକ ହେବ ‌େବାଲି ଏକଜିଟ୍‌ ପୋଲ୍ ଫଳାଫଳରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର