ଭୁବନେଶ୍ବର : ରାଜ୍ୟରେ ୨ ଲକ୍ଷ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ଓ ଉଚ୍ଚତର ବୃତ୍ତି ପ୍ରଦାନରେ ଅଣଦେଖା କରିଛନ୍ତି କେନ୍ଦ୍ର ସରକାର । ଏହା ବିରୋଧରେ ବିଜୁ ଯୁବ ଜନତା ଓ ଛାତ୍ର ଜନତା ଦଳ ଆଗାମୀ ଦିନରେ ଦସ୍ତଖତ ଅଭିଯାନ କରିବ । ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟଠାରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏ ନେଇ କେନ୍ଦ୍ର ସରକାରଙ୍କୁ ନିନ୍ଦା କରାଯାଇଛି । ଆସନ୍ତା କାଲି ଭୁବନେଶ୍ବରସ୍ଥିତ ଲୋୟର ପିଏମଜିଠାରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଏକ ବିକ୍ଷୋଭ ସଭା ସହିତ ସାମୂହିକ ଦସ୍ତଖତ ଅଭିଯାନ କରାଯିବ ବୋଲି ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ କହିଛନ୍ତି । ଏହି ଅଭିଯାନ ୧ ମାସ ଧରି ରାଜ୍ୟର ପ୍ରତ୍ୟେକଟି ଜିଲ୍ଲାରେ ଜାରି ରହିବା ସହ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଦସ୍ତଖତ ସଂଗ୍ରହ କରାଯିବ । ପରେ ୧୦ ଲକ୍ଷ ସଂଗୃହୀତ ଦସ୍ତଖତକୁ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ। ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ର, ଉପଦେଷ୍ଟା ଚିନ୍ମୟ ସାହୁ ଓ ଦଳର ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।