ମାସେ ଧରି ରାଜ୍ୟରେ କୋଭିଡ୍ ଅଭିଯାନ ଚଳାଇବ ବିଜେଡି: ଦଳୀୟ ସାଂସଦ, ବିଧାୟକ ଓ ନେତାଙ୍କୁ ନବୀନଙ୍କ ଚିଠି

ଅକ୍ଟୋବର୨ରୁ ନଭେମ୍ବର ୨ ତାରିଖ ଯାଏ ବୁଲିବେ ନେତା, ମାସ୍କ ବାଣ୍ଟିବେ, ପ୍ଲାଜ୍‌ମା ଓ ରକ୍ତଦାନ ପାଇଁ ଉତ୍ସାହିତ କରିବେ

ଭୁବନେଶ୍ବର: କୋଭିଡ୍ କେଳେଙ୍କାରୀକୁ ନେଇ ବିରୋଧୀ ବିଧାନସଭାରେ ଗର୍ଜନ ତର୍ଜନ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ବିଜେଡି ଏହି ପ୍ରସଙ୍ଗରେ ଲୋକଙ୍କ ନିକଟକୁ ଯିବାକୁ ନିଷ୍ପତ୍ତି। କିନ୍ତୁ ଭିନ୍ନ ଢଙ୍ଗରେ। ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ରାଜ୍ୟସ୍ତରୀୟ ସମସ୍ତ କର୍ମକର୍ତ୍ତା, ସମସ୍ତ ସଂଗଠନ ମୁଖ୍ୟ, ନଗର ଏବଂ ବ୍ଲକ ସଭାପତି, ଜିଲ୍ଲା ପରିଷଦର ସଭାପତି ଓ ଉପ ସଭାପତିଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ କୁହାଯାଇଛି, ବିଜୁ ଜନତା ଦଳ ଗତ ୨୦ବର୍ଷ ଧରି ରାଜ୍ୟବାସୀଙ୍କ ସହିତ ରହିଛି। ଆଜିର କରୋନା ମହାମାରୀ ରାଜ୍ୟକୁ ଏକ ଅଭାବନୀୟ ସ୍ଥିତିରେ ପହଞ୍ଚାଇଛି। ପ୍ରତ୍ୟେକ ଜୀବନ ଏବେ ମୂଲ୍ୟବାନ। ଏଣୁ ବିଜେଡି ଏବର୍ଷ କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ ଆୟୋଜନ କରିବ।

‘ଓଡ଼ିଶା ମୋ ପରିବାର’ ସହିତ ବିଧାୟକଙ୍କୁ ସାମିଲ ହେବାକୁ ପରାମର୍ଶ

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଟିକା ଆମ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ମାସ୍କ ହେଉଛି ସୁରକ୍ଷା କବଚ। ଏଣୁ ଦଳର ପ୍ରତି ବିଧାୟକ ପଞ୍ଚାୟତସ୍ତରରେ ଗ୍ରାମବାସୀଙ୍କୁ ମାସ୍କ ବଣ୍ଟନ କରି ଏହାର ଉପଯୁକ୍ତ ବ୍ୟବହାର ସଂପର୍କରେ ସଚେତନ କରିବେ। କରୋନା ମହାମାରୀକୁ ରୋକିବା ସହିତ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ସତର୍କ ରହିବା ଜରୁରୀ। କୋଭିଡ୍ ନିୟମ ପାଳନ କରିବା, ଟେଷ୍ଟିଂରେ ସହଯୋଗ କରି ଉପଯୁକ୍ତ ସମୟରେ ନିଜର ଚିକିତ୍ସା କରାଇନେବା, ଆଗଧାଡିର କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହିତ ସମ୍ମାନ ପ୍ରଦର୍ଶନ କରିବା ଏବଂ ପ୍ଲାଜମା ଦାନ କରିବା ଲାଗି ସମସ୍ତ ଆଗେଇ ଆସିବା ଦରକାର ବୋଲି ଲୋକଙ୍କୁ ବୁଝାଇବେ। କେବଳ ସେତିକି ନୁହେଁ, ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ପ୍ଲାଜ୍‌ମା, ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ରକ୍ତଦାନ ଏବଂ ମୃତକଙ୍କ ଶବ ସତ୍କାର ପାଇଁ ‘ଓଡ଼ିଶା ମୋ ପରିବାର’ ନିଷ୍ଠାପର ଉଦ୍ୟମ କରୁଛି। ନିଜ ନିର୍ବାଚନମଣ୍ଡଳୀରେ ‘ଓଡ଼ିଶା ମୋ ପରିବାର’ ସହିତ ସାମିଲ ହୋଇ ଏସବୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆଗେଇ ନେବା ଦରକାର ବୋଲି ନବୀନ ପରାମର୍ଶ ଦେଇଛନ୍ତି।

ଓଡ଼ିଶାରେ କୋଭିଡ୍ ସ୍ଥିତି ସଂପର୍କରେ ନବୀନ ଦର୍ଶାଇଛନ୍ତି ଯେ ଗତ ୬ମାସ ମଧ୍ୟରେ କରୋନା ମହାମାରୀ ସାଧାରଣ ଜନଜୀବନରେ ନାହିଁ ନଥିବା ପରିବର୍ତ୍ତନ ଆଣିଛି। ଦେଶରେ ପ୍ରତିଦିନ ୨ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ଏହା ସାରା ପୃଥିବୀରେ ସର୍ବାଧିକ। ଏମିତିରେ ମୋଟ ସଂକ୍ରମିତଙ୍କ ସଂଖ୍ୟାରେ ବିଶ୍ବରେ ଭାରତ ଦ୍ବିତୀୟ ରାଷ୍ଟ୍ର। ଭାରତ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ଓଡ଼ିଶାବାସୀଙ୍କ ସହଯୋଗ ଓ ଆଗଧାଡିର କୋଭିଡ୍ ଯୋଦ୍ଧାଙ୍କ ନିରନ୍ତର ଉତ୍ସର୍ଗୀକୃତ ପ୍ରଦର୍ଶନ ଯୋଗୁଁ ରାଜ୍ୟ ଆଜି ଦୃଢ ଭାବେ କୋଭିଡ୍ ସଂକ୍ରମଣ ମୁକାବିଲା କରିପାରିଛି। କୋଭିଡ୍ ସଂକ୍ରମଣରୁ ସୁସ୍ଥ କରିବାରେ ଏବଂ ସର୍ବନିମ୍ନ ମୃତ୍ୟୁହାର ତଥା ସୁସ୍ଥ ହାରରେ ଓଡ଼ିଶା ଏବେ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ସରକାର କୋଭିଡ୍ ପାଇଁ ୭୭ଟି ଚିକିତ୍ସାଳୟ ପ୍ରତିଷ୍ଠା କରିଛନ୍ତି। ଟେଷ୍ଟିଂ ଠାରୁ ଆରମ୍ଭ କରି ପ୍ଲାଜ୍‌ମା ଥେରାପି ମାଧ୍ୟମରେ ସବୁ ଚିକିତ୍ସା ଖର୍ଚ୍ଚ ସରକାର ବହନ କରୁଛନ୍ତି।

ରାଜ୍ୟରେ କୋଭିଡ୍ ଚିକିତ୍ସା ବାବଦରେ କାହାରିକୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡୁନାହିଁ ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୩୦ଲକ୍ଷରୁ ଅଧିକ ଲୋକଙ୍କ ଟେଷ୍ଟିଂ ସହିତ ପାଖାପାଖି ୨ଲକ୍ଷ ଲୋକଙ୍କୁ ସୁସ୍ଥ କରି ରାଜ୍ୟ କୋଭିଡ୍ ମୁକାବିଲା କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ସରପଞ୍ଚମାନଙ୍କୁ କୋଭିଡ୍ ନିୟନ୍ତ୍ରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ସେମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବାରେ ଓଡ଼ିଶା ଏକମାତ୍ର ଓ ପ୍ରଥମ ରାଜ୍ୟ। ସମୂହ ଟେଷ୍ଟିଂ ଚିହ୍ନଟ ଏବଂ ଉପଯୁକ୍ତ ସମୟରେ ଚିକିତ୍ସା ଯୋଗାଇ ଓଡ଼ିଶା ଗଞ୍ଜାମ ଜିଲ୍ଲାର ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିପାରିଛି। ଅଧିକ ସଂକ୍ରମିତ ଜିଲ୍ଲାରେ ଏହି ପଦ୍ଧତି ଅବଲମ୍ବନ କରି କୋଭିଡ୍ ସ୍ଥିତିରେ ସୁଧାର ପାଇଁ ଉଦ୍ୟମ ଜାରି ରହିଛି। କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ବିଶ୍ବରେ ଟିକା ପ୍ରସ୍ତୁତି ଜୋରସୋର ଆଗେଇଛି। ସରକାର ନିର୍ଧାରିତ ସମୟରେ ଟିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରସ୍ତୁତକାରୀ ସଂସ୍ଥାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛନ୍ତି। ଏଥିରେ ଓଡ଼ିଶା ସଫଳ ହେବ।

ସମ୍ବନ୍ଧିତ ଖବର